ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିିକ୍ଷା ସହିତ ଦେଶପ୍ରେମ, ଅନୁଶାସନ, ନେତୃତ୍ୱ ଗୁଣ ଓ ସମାଜସେବାର ଭାବନାକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାର ବନ୍ତ ଶିଶୁ ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ପକ୍ଷରୁ ସଦସ୍ୟତା ଅଭିଯାନ ଆୟୋଜିତ ହୋଇଯାଇଛି । ଏହି ଅଭିଯାନକୁ ନେଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଜ୍ଞାନ, ଚରିତ୍ର, ଏକତା ଓ ରାଷ୍ଟ୍ର ପୁନଃନିର୍ମାଣର ଆଦର୍ଶକୁ ଆଧାର କରି ଆୟୋଜିତ ଏହି ସଦସ୍ୟତା ଅଭିଯାନରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସାମିଲ୍ ଥିଲେ । ଛାତ୍ର ଜୀବନରୁ ହିଁ ସମାଜ ଓ ଦେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଷ୍ଟ୍ର ଗଠନରେ ଯୁବ ପିଢୀର ଭୂମିକା ସର୍ମ୍ପକରେ ଅଭିଯାନ ମାଧ୍ୟମରେ ସଚେତନ କରାଯାଇଥିଲା । ଏହି ଅବସରରେ ଏବିଭିପର ମାସିକ ପତ୍ରିକା-ଛାତ୍ର ସନ୍ଦେଶ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦାମୋଦର ନାୟକଙ୍କୁ ପ୍ରଦାନ କରଯାଇଥିଲା । ପତ୍ରିକା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସାମାଜିକ ସଚେତନତା, ଦେଶର ସାମ୍ପ୍ରତିକ ପରିସ୍ଥିତି ଓ ଯୁବପିଢୀର ଦାୟିତ୍ୱ ସମ୍ପର୍କରେ ବିଭିନ୍ନ ବାର୍ତା ପହଚାଂଇବାର ଉଦ୍ୟମ କରାଯାଇଥିବା କୁହାଯାଇଥିଲା । କାର୍ଯ୍ୟକ୍ରମରେ ଏବିଭିପିର ଜିଲ୍ଲା ସଂଯୋଜକ ଓମକାର ମହାନ୍ତି, ନଗର ସଭାପତି ସୁନିଲ କୁମାର ପରିଡା, ସମ୍ପାଦିକା ଶୁଭସ୍ମିତା ମହାକୁଡ, ଜ୍ୟୋତି ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ରହି ଚାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଯୁବପିଢୀ ହେଉଛି ଦେଶର ଭବିଷ୍ୟତ ଏବଂ ଛାତ୍ର ଜୀବନରୁ ହିଁଁ ଶୃଙ୍ଖଳା, ସେବା ଓ ଦେଶପ୍ରତି କର୍ତବ୍ୟବୋଧ ଗଢି ତୋଳିବା ଆବଶ୍ୟକ ବୋଲି ଆୟୋଜକଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା । ଅଭିଯାନ ଅବସରରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଅଧିକ ସଫଳ କରିଥିଲା । ଆଗାମୀ ଦିନରେ ମଧ୍ୟ ଛାତ୍ରଛାତ୍ରୀ ମଧ୍ୟରେ ଶିକ୍ଷା, ସାମାଜିକ ସଚେତନତା, ଦେଶପ୍ରେମ ଓ ସେବା ଭାବନାକୁ ବ୍ୟାପକ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି ।








