Home Top News ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଏବଂ ଫସଲର ସୁରକ୍ଷା ବାର୍ତ୍ତା : କୃଷି ଓ କୃଷକ ସଶକ୍ତିକରଣ...

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଏବଂ ଫସଲର ସୁରକ୍ଷା ବାର୍ତ୍ତା : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନେଲା ଆଗୁଆ ପଦକ୍ଷେପ

58

ଭୁବନେଶ୍ୱର, ୩୦ ନଭେମ୍ବର (ଓଡ଼ିଆ ପୁଅ) ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ବାର୍ଭା ଅନୁଯାୟୀ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଅଛି। ଏହା ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ଏବଂ ୪ ତାରିଖରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ପାଇଁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ପଦକ୍ଷେପମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଗ୍ରହଣ କରାଯାଇଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୯୦% ଧାନ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୫୦% ଧାନ କଟା ହେବାକୁ ବାକିଅଛି। ମଧ୍ୟମ କିସମ ଧାନ କଟା ଚାଲିଛି। କପା ତୋଳିବା ଚାଲିଅଛି ଏବଂ ରବି ଫସଲ ଯଥା ମୁଗ, ବିରି, ପନିପରିବା ବୁଣା ଚାଲିଛି। ସେଥିପାଇଁ ସମସ୍ତ ଜିଲ୍ଲାର ଗାଁ ଗାଁରେ ନିଜ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମାଇକ ଦ୍ଵାରା ପ୍ରଚାର କାର୍ଯ୍ୟ ଚାଲୁ ରହିଛି ଏବଂ ନିମ୍ନଲିଖିତ ଉପଦେଶାବଳିକୁ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଉଛି।

୧. ଶତକଡା ୮୫ ଭାଗ ପାଚିଯାଇଥିଲେ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
୨. କଟା ହୋଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ ଧାନ ଅମଳ ସମ୍ଭବ ନହେଲେ ପଲିଥିନ ଘୋଡାଇ ସୁରକ୍ଷିତ ରଖନ୍ତୁ।
୩. ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଏବଂ ନାଳି ମୁହଁ ଖୋଲା ରଖନ୍ତୁ।
୪. ଧାନଗଛ ପଡି ଯାଇଥିଲେ ହଳା କରି ଠିଆ କରନ୍ତୁ।
୫. ଧାନ କାଟି ବିଲରେ ଶୁଖାନ୍ତୁ ନାହିଁ।
୬. ବର୍ଷା ସମୟରେ କୌଣସି କୀଟନାଶକ ସିଞ୍ଚନ କରନ୍ତୁ ନାହିଁ।
୭. ମୁଗ, ବିରି ଓ ପନିପରିବା ଫସଲରେ ପାଣି କାଟିବା ବ୍ୟବସ୍ଥା କରନ୍ତୁ।
୮. ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ।
୯. କପା ଫସଲରେ ପାକଳ ହୋଇଥିବା ବକରାଗୁଡିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ ଏବଂ ବର୍ଷାର ପରବର୍ତ୍ତୀ ୩-୪ ଦିନପରେ ଖରାରେ ସୁଖାନ୍ତୁ।
୧୦. ସମସ୍ତ ରବି ଫସଲ ବିଶେଷକରି ଆଳୁ ଲଗାଇବାକୁ ସାମୟିକ ସ୍ଥଗିତ ରଖନ୍ତୁ।
୧୧. ଆଳୁ ଆଦି ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ।
୧୨. କୀଟନାଶକ ଔଷଧ ସିଞ୍ଚନ ଓ ଜଳ ସେଚନ ସାମୟିକ ବନ୍ଦ ରଖନ୍ତୁ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସହ ଏକ ଆଭାସୀ ବୈଠକ କରାଯାଇଥିଲା। ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିମ୍ନୋକ୍ତ ପରାମର୍ଶ ପ୍ରଦାନ କରିଥିଲେ।
୧- ସମସ୍ତ ଅଧୁକାରୀମାନେ ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ରୂପେ ନିଜର ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ।
୨- ଫସଲ ସୁରକ୍ଷା ଉପଦେଶାବଳୀକୁ କମ୍ୟୁନିଟି ରେଡିଓ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଶେଷ କରିବେ।
ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖ୍ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.