Home ଆମ ସଂସ୍କୃତି, କଳା ଓ ଐତିହ୍ୟ ପ୍ରାଚୀନ ପରମ୍ପରାରେ ନୟାଗଡ଼ର ନାରିମାନଙ୍କ ସମ୍ପୃକ୍ତି

ପ୍ରାଚୀନ ପରମ୍ପରାରେ ନୟାଗଡ଼ର ନାରିମାନଙ୍କ ସମ୍ପୃକ୍ତି

132

ନୟାଗଡ଼, ୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ନାରୀମାନଙ୍କ ସମ୍ପୃକ୍ତି ଭୌଗଳିକ, ସାମାଜିକ, ଏøତିହାସିକ, ସାଂସ୍କୃତିକ ପଟ୍ଟଭୂମିରେ ବେଶ୍ ସଶକ୍ତ। ମାତୃଶକ୍ତିରୂପୀ ଯଶସ୍ୱୀ, ସଂସ୍କୃତି ସମ୍ପର୍ଣ୍ଣା, ସଂଗଠିତା ଦୁର୍ଦ୍ଦର୍ଷ ବିଭବଶାଳିନୀ, ସର୍ବଂସହା ଅତୀତ ଓ ସାମ୍ପ୍ରତିକ ମୁହୁର୍ତ୍ତରେ ନୟାଗଡ଼ର ସାମାଜିକ ସ୍ଥିତିକୁ ନାରୀମାନେ ବିଭିନ୍ନ ସମୟରେ ଗୌରବମୟ କରିପାରିଛନ୍ତି। ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିଭୂମୀ କଂଟିଲୋର ନୀଳମାଧବ କ୍ଷେତ୍ର ତଥା ଶାସ୍ତ୍ରାନୁମୋଦିତ ରାଧାକୃଷ୍ଣ ଲୀଳା, ଶ୍ରୀ ନୀଳମାଧବ ଜଗନ୍ନାଥଙ୍କ ଠାରେ ଆରୋପ କରାଯାଇଛି ଏବଂ ସେହି ପରମ୍ପରା କ୍ରମେ ଚଳିଆସିଛି ନୟାଗଡ଼ ଭୂଖଣ୍ଡ କଂଟିଲୋ ନୀଳମାଧବ ପୀଠ ନିକଟବର୍ତ୍ତୀ ବିଶ୍ୱାବସୁ ପୀଠରୁ। କୁସୁମୀ ନଦୀ କୂଳ ଶବରପଲ୍ଲୀ ପାହାଡ଼ ପାଦଦେଶରେ ବିଶ୍ୱାବସୁ ରାଜଜେମା ଲଳିତାଙ୍କର ଆଦ୍ୟ ଲୀଳାଖେଳାର ବିହାର ସ୍ଥଳୀ। ଯେଉଁଠି ସମୂହ ସ୍ତ୍ରୀଲୋକମାନଙ୍କୁ ନେଇ ଆସର ଜମେ ବାଲିଚଲାଖିଆ ପର୍ବ। ଯାହାକୁ ପରାକ୍ଷରେ ଶ୍ରୀକୃଷ୍ଣ ରାଧାଙ୍କ ପୂଜା ଏବଂ ଲଳିତା ସମ୍ବନ୍ଧ ନେଇ ଜଗନ୍ନାଥଙ୍କ ଆରାଧନା ବୋଲି କୁହାଯାଇପାରେ। ତତ୍କାଳୀନ ବିଶ୍ୱାବସୁ ସମୟର ଶ୍ରୀନୀଳମାଧବଙ୍କ ଆବିର୍ଭାବ, ଲଳିତା ବିଦ୍ୟାପତିଙ୍କ କିମ୍ବଦନ୍ତ୍‌ୀରୁ ସୂଚନା ଦିଏଯେ ସେ ସମୟର ନାରୀମାନଙ୍କ ସମାଜରେ ସ୍ଥିତି ସୃଦୃଢ ଥିଲା ଓ ନାରୀମାନଙ୍କୁ ଯଥାଯୋଗ୍ୟ ସମ୍ମାନ ଦିଆଯାଉଥିଲା। ସେହି ସମ୍ମାନର ଅଧିକାରୀଣୀ ଏବେକାର ନୟାଗଡ଼ର ନାରୀମାନେ ମଧ୍ୟ ସେମିତି ସଂସ୍କୃତି ସମ୍ପର୍ଣ୍ଣା ହୋଇ ନିଜ ନିଜ ଭିତ୍ତ୍‌ିଭୂମୀ ସମୃଦ୍ଧ କରିବା ସହ ନୟାଗଡ଼ ପାଇଁ ମର୍ଯ୍ୟଦା ଆଣିପାରିଛନ୍ତି। ନୟାଗଡ଼ ରାଜ୍ୟ ପ୍ରତିଷ୍ଠା ହେବା ପରେ ନାରୀମାନଙ୍କ ଭୂମିକା କିଛି କମ୍ ନଥିଲା। ନେପାଳ ଓ ହିନ୍ଦୋଳ ରାଜାର କନ୍ୟା ନୟାଗଡ଼ ରାଜ୍ୟର ରାଜରାଣୀର ଅଧିକାରୀଣୀ ହୋଇପାରିଛନ୍ତି। ସେମାନଙ୍କ ନାମରେ ସୌାଭାଗ୍ୟମଞ୍ଜରୀ ମାର୍ଗ, ବ୍ରଜକିଶୋର ଛାତ୍ରାବାସ, ସୌଭାଗ୍ୟ ମଞ୍ଜରୀ ପାଠାଗାର, କେସି କ୍ଲବ ମଧ୍ୟରେ ମଣ୍ଡାଦେବୀଙ୍କ ନାମାନୁସାରେ ମଣ୍ଡାବାଗାନ ପ୍ରତିଷ୍ଠା ହୋଇଥିଲା। ରାଜାମାନଙ୍କ ଅତ୍ୟାଚାରରେ ପ୍ରଜା ଆ୍େ‌ନ୍ଦାଳନ ଯେତେବେଳେ ଦେଖାଗଲା ସେତେବେଳେ ଥୁଆବାରୀର ନାରୀମାନଙ୍କ ଭୂମିକା ଅତି ଆଶ୍ଚର୍ଯ୍ୟଜନକ ଥିଲା। ଥୁଆବାରୀର ଚାନ୍ଦ ବେୱା, ମନୁ ବେୱା, ମଣି ବେୱା ରାଜାଙ୍କର ଦମନଲୀଳାକୁ ପ୍ରତିହତ କରିବା ପାଇଁ ନିଜକୁ ବୀର ରମଣୀ ଭାବେ ସଜେଇ ଦେଇଥିଲେ। ରାଜଯୋଗୀ ସଂଗ୍ରାମୀ ଶୁକ୍ରୁ ବେହେରାଙ୍କ ପତ୍ନୀ ଗୁଞ୍ଜର ଦେବୀ ପ୍ରଜା ଆନ୍ଦୋଳନରେ କିପରି ସାମିଲ ହୋଇ ନିଜ ଜୀବନକୁ ଝାସ ଦେଇଥିଳେ ତାହା ଶୁକ୍ରୁ ବେହେରାଙ୍କ ସୁପୁତ୍ରୀ ସାବିତ୍ରୀ ଦେବୀ ତାଙ୍କ ଲିଖିତ ଗାନ୍ଧିବାଦୀ ମଣିଷ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସେହିପରି ମଝିଆଖଣ୍ଡର ଗଦେଇ ନାହାକଙ୍କ ପତ୍ନୀ ଖଲି, ଦିବାକର ପରିଡ଼ାଙ୍କ ଭଉଣୀ ଇନ୍ଦୁମତୀ ପରିଡ଼ା, ରଣପୁରର ବୀରା ରମଣୀ ପ୍ରଭାବତୀ, ରାଜଜେମା ପ୍ରଜ୍ଞାବତୀ ଜଣେ ଜଣେ ବୀରା ରମଣୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ରାଜମାତା ବସନ୍ତ ମଞ୍ଜରୀ ଦେବୀ ଜଣେ ଦୃଢ ପ୍ରଶାସିକା ହେବା ସହ ହରେକୃଷ୍ଣ ମହାତାବଙ୍କ ମନ୍ତ୍ରୀ ମଣ୍ଡଳରେ ବିଭିନ୍ନ ପଦପଦବୀରେ ରହି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ଯାହାକି ତାଙ୍କ ନେତୃତ୍ୱରେ ଚାନ୍ଦପୁର ଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ପ୍ରତିଷ୍ଠା ହୋଇପାରିଥିଲା। ସ୍ୱାଧୀନତା ପୂର୍ବରୁ ଓ ପରେ ନାରୀ ଜାଗରଣର ନୂଆ ସ୍ୱପ୍ନ ଆରମ୍ଭ ହୋଇଥିବାବେଳେ ଗୋଲାପରାଣୀ ପଟ୍ଟନାୟକ ସମାଜସେବୀକା ଓ ଚିତ୍ରକଳାରେ ୧୯୬୦ରୁ ଅଶୀଦଶକ ପର୍ଯ୍ୟନ୍ତ ଏକମାତ୍ର ମହିଳା ଭାବେ ନିଜର ପାରଦର୍ଶିତା ଦେଖାଇ ପାରିଥିଲେ। ଗୋତିସାହିର ଅମୂଲ୍ୟ କୁମାରୀ ପଟ୍ଟନାୟକ ଓ କୃଷ୍ଣପ୍ରିୟା ପଟ୍ଟନାୟକ ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଶିଶୁ ଗଳ୍ପ ରଚନା କରି ସୁଖ୍ୟାତି ଅର୍ଜନ କରିଥିଲେ। କୃଷ୍ଣପ୍ରିୟା ପଟ୍ଟନାୟକ ଯେ ଖାଲି ଜଣେ ଲେଖିକା ନୁୁହନ୍ତି ସେ ମଧ୍ୟ ସାରସ୍ୱତ ସାଧିକା। ଆଉ ଜଣେ ନାରୀ ପ୍ରତିଭା ହେଲେ ବିଜୟିନୀ ଦାସ, ସେବତୀ ପରିଡ଼ା, ବିରୁଡ଼ାର ସୁବାସିନୀ ବେହେରା ଓ ଭଞ୍ଜ ବିଶାରଦା ଅବସରପ୍ରାପ୍ତ ଅଧ୍ୟକ୍ଷା ଗୀତା ଦେବୀ। ଏମାନେ ହେଉଛନ୍ତି ଓଡ଼ିଆ ଆଧୁନିକ ସାହିତ୍ୟର ଜଣେ ଜଣେ ସଫଳ ସ୍ରଷ୍ଟା। ସେହିପରି ସଂସ୍କୃତବିତ୍ ଡ.ବିଦ୍ୟୁଲତା ରାୟ, ପ୍ରତିଭା ପଟ୍ଟନାୟକ, ଶରତ ପ୍ରଭା ଦାସ, ମନୋରମା ପଟ୍ଟନାୟକ ଜଣେ ଜଣେ ସୁସାହିତ୍ୟିକା। ବିଶିଷ୍ଟ ନାମକରା ଗାୟିକା ଭାବେ ବିଣାପାଣୀ ପେଣ୍ଠୋଇ, ସୁଚିସ୍ମିତା ପଟ୍ଟନାୟକ, ରୋଜାଲିନ୍ ବସନ୍ତରା, କଳ୍ପନା ପଣ୍ଡା, ସ୍ୱର୍ଣ୍ଣଲତା ରଥ। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ନୃତ୍ୟ ଶିଳ୍ପୀ ହେଲେ ପାଭ୍‌ଲୋଭା ପଟ୍ଟନାୟକ। ସେହପରି ଭାବରେ ଖଣ୍ଡପଡ଼ା କାଦୁଆସାହିର ମାଳତୀ ଲତା ପ୍ରଧାନ, ଯୁବନାଟ୍ୟ ଶିଳ୍ପୀ ଭାବେ ରାଜଶ୍ରୀ ପାତ୍ର, ଗିତାଶ୍ରୀ ପ୍ରିୟମ୍ବଦା, ବାଉଁଶରାଣୀରେ ବିଭିନ୍ନ ଦେଶରେ ନାଁ କରିଥିବା ନାଥିଆପଲ୍ଲୀର ମମତା, ସୁଷମା, ରାଜଲକ୍ଷ୍ମୀ, ସାହିତ୍ୟରେ ସଂଯୁକ୍ତା ଶୂରଦେଓ, ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ରାଜସ୍ମିତା କର, ରଣପୁରର ନାରୀକବି ପଦ୍ମାବତୀ ପ୍ରମୁଖ ନୟାଗଡ଼ ପାଇଁ ଗୌରବ ଆଣିଛନ୍ତି। ଏହାବାଦ୍ ମାଟିକୁ ଆପଣାର କରି ଜୀବନକୁ ଅନ୍ୟପାଇଁ ଉତ୍ସର୍ଗ କରିଥିବା ଅନେକ ମହିୟସୀ ମହିଳା ଏମାଟିରେ ଜନ୍ମ ନେଇଛନ୍ତି। ଭିନ୍ନ ଭିନ୍ନ ସ୍ତରରେ ସ୍ୱକୀୟ ପ୍ରତିଭାରେ ସେମାନେ ପ୍ରତିଷ୍ଠିତ ଓ ଆସ୍ପର୍ଦ୍ଧିତ ହୋଇଛନ୍ତି ଜନ ମାନସରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.