Home ଜିଲ୍ଲା ପରିକ୍ରମା ପ୍ରାକ୍ ନିର୍ବାଚନ ପରିପ୍ରେକ୍ଷୀରେ ଶାସନକଳର ସ୍ୱରୂପ, ପ୍ରଗତି ନା ଦୁର୍ଗତୀ ପଥେ

ପ୍ରାକ୍ ନିର୍ବାଚନ ପରିପ୍ରେକ୍ଷୀରେ ଶାସନକଳର ସ୍ୱରୂପ, ପ୍ରଗତି ନା ଦୁର୍ଗତୀ ପଥେ

11

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୁରାତନ ବୌଦ୍ଧିକ ଅନୁଷ୍ଠାନ ଚିନ୍ତନଚକ୍ରର ୧୪୮ ତମ ଆଲୋଚନା ଚକ୍ର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ସୁସାହିତ୍ୟିକ ଶ୍ରୀ ମଦନମୋହନ ମହାକୁଡ଼ଙ୍କ ସଭାପତିତ୍ୱରେ ଭଦ୍ରକ ସହିଦ୍‌ଭବନ ପରିସରରେ ଥିବା ଭଦ୍ରକ କ୍ଲବ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରରେ “ନିର୍ବାଚନ ପରିପ୍ରେକ୍ଷୀରେ ଶାସନକଳର ସ୍ୱରୂପ ପ୍ରଗତି ନା ଦୁର୍ଗତୀ ପଥେ” ଶୀର୍ଷକ ପ୍ରବନ୍ଧ ଭଦ୍ରକ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ତଥା ଅବସରପ୍ରାପ୍ତ ଶିକ୍ଷାଜିଲ୍ଲା ଅଧିକାରୀ ଗୟାଧର ପଣ୍ଡା ପାଠ କରିଥିଲେ । ପ୍ରବନ୍ଧଟି ପୂର୍ବକାଳର ଶାସନବ୍ୟବସ୍ଥା, ମଧ୍ୟଯୁଗୀୟ ଶାସନ ବ୍ୟବସ୍ଥା ଏବଂ ସାମ୍ପ୍ରତିକ ଶାସନବ୍ୟବସ୍ଥା ଉପରେ ଏକ ସଂକ୍ଷିପ୍ତ ତୁଳନାତ୍ମକ ବିବରଣୀ ସହିତ ପ୍ରାକ୍ ନିର୍ବାଚନ ପରିପ୍ରେକ୍ଷୀରେ ଶାସନକଳର ସ୍ୱରୂପ କିପରି ହୋଇଥାଏ ଏବଂ ଶାସନ ଦାୟିତ୍ୱରେ ଥିବା ଜନପ୍ରତିନିଧି ମାନେ ପୁନଃ ନିର୍ବାଚିତ ହେବା ଆଶା ଓ ଆଙ୍କାଂକ୍ଷାରେ ନିର୍ବାଚନକୁ ଆଖି ଆଗରେ ରଖି ଶାସନକଳକୁ କିପରି ଭାବେ ସଦୁପଯୋଗ ବା ଦୂରୂପଯୋଗ କରିଥାନ୍ତି ଏବଂ ତାହାର ପରିଣାମ ଦେଶ ବା ରାଜ୍ୟକୁ ପ୍ରଗତି ପଥରେ ନା ଦୁର୍ଗତୀ ପଥରେ ନେଇଥାଏ ତାହା ଉପରେ ପର୍ଯ୍ୟବେଶିତ ଥିଲା । ବିଷୟବସ୍ତୁଟି ବହୁ ଆଲୋଚନାସାପେକ୍ଷ ଥିବାରୁ ଭଦ୍ରକ ସହରର ପ୍ରମୁଖଃ ବୁଦ୍ଧିଜୀବୀ ଯଥା ଲଲାଟେନ୍ଦୁ ମହାନ୍ତି, ବିଶିଷ୍ଟ ଅଧିବକ୍ତା ନିତ୍ୟାନନ୍ଦ ଦାସ, ଇଂରାଜୀ ବିଭାଗର ପ୍ରାଧ୍ୟାପକ ଡ. ଗୋଲକବିହାରୀ ସାହୁ, ଭଦ୍ରକ ସର୍ବୋଦୟ ମଣ୍ଡଳର ସଭାପତି ଶ୍ରୀ ଅମର ପାଣିଗ୍ରାହୀ, ବାବୁଲାଲ ଦାସ, ନାରାୟଣ ଚନ୍ଦ୍ର ପାଢ଼ି, ଗୋଲକ ମଲ୍ଲିକ, ଘନଶ୍ୟାମ ଲେଙ୍କା, ଭବାନୀ ଶଙ୍କର ନାୟକ, ଶ୍ରୀ ହରିଶ୍ ଦାସ ଇତ୍ୟାଦି ଆଲୋଚନାରେ ଭାଗ ନେଇ ନିର୍ବାଚନକୁ କିପରି ନୀରପେକ୍ଷ ଓ ଦୁର୍ନୀତି ମୁକ୍ତ କରାଯାଇପାରିବ ନିଜ ନିଜର ମତ ରଖିଥିଲେ । ଶ୍ରୀ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରବନ୍ଧଟି ସମୟୋଚିତ ଓ ତଥ୍ୟଭିତିକ ହୋଇଥିବାର ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଆଲୋଚନାଚକ୍ରର ପ୍ରାରମ୍ଭରେ ଚିନ୍ତନଚକ୍ରର ପ୍ରତିଷ୍ଠାତା ଡ. ସୁରେନ୍ଦ୍ର ମିଶ୍ରଙ୍କ ପୁତ୍ର ଶିକ୍ଷକ ଶ୍ରୀ ସମ୍ବିତ ମିଶ୍ର ପୂର୍ବ ବୈଠକର ବିବରଣୀ ପାଠକରିବା ସହିତ ବୈଠକର ପ୍ରାକ୍ ସୂଚନା ଦେଇଥିଲେ । ଶିକ୍ଷକ ତଥା ଚିନ୍ତନଚକ୍ରର ସକ୍ରିୟ ସଦସ୍ୟ ରଞ୍ଜୀବ୍ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାମାନ୍ୟ ଜଳଯୋଗ ପରେ ଆଲୋଚନାଚକ୍ରର ସମାପ୍ତି ଘଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.