Home ଜିଲ୍ଲା ପରିକ୍ରମା ପ୍ରାଇମେରୀ ସ୍କୁଲ ବନ୍ଦ ନିଷ୍ପତି ଘରୋଇ ବିଦ୍ୟାଳୟ ପାଇଁ ପ୍ରୋତ୍ସାହନ : କନିଷ୍ଠ ଶିକ୍ଷକ ଆଶାୟୀ...

ପ୍ରାଇମେରୀ ସ୍କୁଲ ବନ୍ଦ ନିଷ୍ପତି ଘରୋଇ ବିଦ୍ୟାଳୟ ପାଇଁ ପ୍ରୋତ୍ସାହନ : କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ପ୍ରତିବାଦ

80

ବାଲେଶ୍ୱର, ୧୩ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ଯୋଗୁଁ ରାଜ୍ୟରେ ସରକାରୀ ପ୍ରାଇମେରୀ ସ୍କୁଲ ବନ୍ଦ କରିବା ନେଇ ସରକାରଙ୍କ ନିଷ୍ପତିକୁ ଦୃଢ଼ ବିରୋଧ କରିଛି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ଏନେଇ ସଂଗଠନର ବାଲେଶ୍ୱର ଶାଖା କର୍ମକର୍ତ୍ତା ଓ ସଦସ୍ୟମାନେ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁଁ ଗରିବ ଅବହେଳିତ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଥିବା ବେଳେ ଟ୍ରେନିଂପ୍ରାପ୍ତ ସିଟି ଓ ବିଇଡି ପ୍ରାର୍ଥୀ ନିଯୁକ୍ତି ସୁଯୋଗ ହରାଇବାକୁ ଯାଉଛନ୍ତି ବୋଲି ସେମାନେ ଆରୋପ ଉଠାଇଛନ୍ତି। ୨୦ରୁ କମ ଛାତ୍ରଛାତ୍ରୀ ଥିବା ପ୍ରାଇମେରୀ ସ୍କୁଲଗୁଡ଼ିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ଆଶାୟୀ ଶିକ୍ଷକଙ୍କ ନିଯୁକ୍ତି ଓ ଗରିବ ଘରର ପିଲାଙ୍କ ଶିକ୍ଷା ଗ୍ରହଣରେ ଅନ୍ତରାୟ ହେବାକୁ ଯାଉଛି ବୋଲି ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ଅନୁମତି ନଥାଇ ଛତୁଫୁଟିଲା ଭଳି ଶହ ଶହ ସଂଖ୍ୟାରେ ପ୍ରତିଷ୍ଠା ହେଉଥିବା ଘରୋଇ ବିଦ୍ୟାଳୟ ପ୍ରତି କିଛି ମଧ୍ୟ ଅଙ୍କୁଶ ରହୁନାହିଁ। ଆବଶ୍ୟକ ଭିତ୍ତିଭୂମି ଓ ସରକାରୀ ଅନୁମତି ନଥାଇ ବି ବହୁ ଘରୋଇ ବିଦ୍ୟାଳୟ ଏବେ ଚାଲିଛି। ସରକାରୀ ବିଦ୍ୟାଳୟ ବନ୍ଦ ହୋଇଗଲେ ନିଜର ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ଗରିବ ପରିବାରମାନେ ବାଧ୍ୟ ହେବ କିମ୍ବା ସେମାନଙ୍କ ପିଲା ଆଉ ପାଠ ପଢ଼ିବାର ସୁଯୋଗ ପାଇବେ ନାହିଁ। ତେବେ ବିଦ୍ୟାଳୟ ସଂଖ୍ୟା ହ୍ରାସ ପାଇବା ଫଳରେ ଶିକ୍ଷକତା ପାଇଁ ଅପେକ୍ଷା କରିଥିବା ପ୍ରଶିକ୍ଷଣପ୍ରାପ୍ତ ପ୍ରାର୍ଥୀଙ୍କ ଭବିଷ୍ୟତ କ’ଣ ହେବ ସେନେଇ ସରକାର କିଛି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ସରକାର ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତ୍ୟାହାର ସହ ବେଆଇନ୍ ଘରୋଇ ସ୍କୁଲ ଉଚ୍ଛେଦ କରିବା ଓ ଶିକ୍ଷକତା ଅପେକ୍ଷାରେ ଥିବା ପ୍ରଶିକ୍ଷଣପ୍ରାପ୍ତ ପ୍ରାର୍ଥୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଶିକ୍ଷକ ଆଶାୟୀ ସଂଘ ଦାବି କରିଛି। ନତୁବା ଆଗାମୀ ଦିନରେ ସଂଘ ଆମରଣ ଅନଶନ କରିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.