Home ଓଡ଼ିଶା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରୋଜଗାର ଦେଉଛି ଗୋବର ଦୀପ

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରୋଜଗାର ଦେଉଛି ଗୋବର ଦୀପ

37

ବାଲେଶ୍ୱର, ୧୩ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : କରୋନା ସଂକ୍ରମଣ ଯୋଗୁଁ ବାହାର ରାଜ୍ୟରୁ ଫେରିଆସିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ବଞ୍ଚିବାର ରାହା ଦେଖାଇଛି ରେମୁଣାର ମା ଭାରତୀ ଗୋସେବା କେନ୍ଦ୍ର। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବାରେ ସରକାର ବିଫଳ ହେଲା ପରେ ବହୁ ଶ୍ରମିକ ଜୀବନକୁ ପାଣି ଛଡ଼ାଇ ପୂର୍ବ ଭଳି ବାହାର ରାଜ୍ୟକୁ ଚାଲି ଯାଇଇଛନ୍ତି। ମାତ୍ର ନୀଳଗିରି ଅଞ୍ଚଳର ଦୁଇଶ୍ରମିକ ପ୍ରଫୁଲ୍ଲ କୁମାର ସ ଓ ମହେଶ୍ୱର ସ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଗୋରୁଗାଈଙ୍କ ଗୋବରରୁ ସେମାନେ ଦୀପ ପ୍ରସ୍ତୁତ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ବାଲେଶ୍ୱର ଗଣେଶ୍ୱରପୁର ଶିଳ୍ପାଞ୍ଚଳରେ ଥିବା ‘ମା ଭରାତୀ ଗୋ-ସେବା କେନ୍ଦ୍ର’ ଏବେ ସେମାନଙ୍କୁ ବଞ୍ଚିବାର ରାହା ଦେଖାଇଛି। କରୋନା କାଳରେ ଚେନାଇରୁ ଫେରିଥିବା ନିଳଗିରୀ ଅଞ୍ଚଳର ଏହି ଦୁଇ ପ୍ରବାସୀ ଶ୍ରମିକ ଦୀର୍ଘ ଚାରିମାସ ଘରେ ବସି ରହିବା ଫଳରେ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ ଦୁର୍ବିସହ ହୋଇ ପଡିଥିଲା। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ପ୍ରଦାନରେ ରାଜ୍ୟ ସରକାର ସଫଳ ନହେବାରୁ ଶେଷରେ ତାଙ୍କ ସହ ଆସିଥିବା ଜିଲ୍ଲାର ବହୁ ଶ୍ରମିକ ନିଜ ନିଜର କର୍ମସ୍ଥଳକୁ ଫେରି ଯାଇଥିଲେ। ମାତ୍ର ପାରିବାରିକ ସମସ୍ୟାକୁ ଦୃଷ୍ଟିରେ ରଖି ମହେଶ୍ୱର ଓ ପ୍ରଫୁଲ୍ଳ ଘରେ ରହିଥିଲେ ବି ରୋଜଗାରର ପନ୍ଥା ଅନ୍ୱେଷଣରେ ଲାଗି ପଡ଼ିିଥିଲେ। ଚେନାଇରୁ ଶିଖିଥିବା ଗୋବର ଦୀପ ତିଆରି କଳାକୁ ବ୍ୟବହାର କରି ପେଟ ପୋଷିବା ଲକ୍ଷ୍ୟରେ ସେମାନେ ଘୂରିବୁଲୁଥିଲେ। ଏହି ସମୟରେ ‘ମା ଭରାତୀ ଗୋ-ସେବା କେନ୍ଦ୍ର’କଥା ଶୁଣିବା ପରେ ସେମାନେ ସେଠାକୁ ଯାଇ କେନ୍ଦ୍ରର ତତ୍ତ୍ୱାବଧାରକ ଜିତେନ୍ଦ୍ର ସ୍ୱାଇଁ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଭେଟି ଗୋବର ଦୀପ ସମ୍ପର୍କରେ ଅବଗତ କରିଥିଲେ। ଗୋସେବା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସମ୍ମତି କ୍ରମେ ସେମାନେ ଏହି ଦୀପ ତିଆରି ଆରମ୍ଭ କରିଥିଲେ। ବେଆଇନ୍ ଗୋରୁ ଚାଲାଣ ବେଳେ ଉଦ୍ଧାର ହେଉଥିବା ଶହଶହ ଗୋରୁଗାଈଙ୍କୁ ଏହି ଗୋସେବା କେନ୍ଦ୍ରରେ ରହୁଛନ୍ତି। ପ୍ରତିଦିନ ସେହି ଗୋରୁଗାଈଙ୍କଠାରୁ ବାହାରୁଥିବା ଟନଟନ ଗୋବରରୁ ଏବେ ପ୍ରସ୍ତୁତ ହେଉଛି ଦୀପ। ଏହି ଯୁବକଦ୍ୱୟଙ୍କ ପ୍ରଚେଷ୍ଟାରୁ ତିଆରି ଏହି ଗୋବର ଦୀପ ସାଧାରଣରେ ଚାହିଦା ବେଶ ବଢ଼ିଚାଲିଛି। ମାଟି ଦୀପ ଠାରୁ ଏହା ହାଲ୍‌କା।ସାଧାରଣତଃ ଦେବାଦେବୀଙ୍କ ପୂଜାରେ ଗାଈର ଗୋବରକୁ ପବିତ୍ରତାର ମାନ୍ୟତା ଦିଆଯାଉଥିବା ବେଳେ ଗୋବର ତିଆରି ଏହି ଦୀପ କିଣିବାକୁ ଲୋକଙ୍କ ଭିତରେ ଅଧିକ ଆଗ୍ରହ ଲକ୍ଷ୍ୟ କରାଯାଇଛି। ସେଥିପାଇଁ ହଜାର ହଜାର ଦୀପ ପ୍ରସ୍ତୁତ ପାଇଁ ସେମାନଙ୍କୁ ଅଗ୍ରୀମ ବି ମିଳୁଛି। ମାତ୍ର ଏଭଳି ଛୋଟିଆ ରୋଜଗାର ମାଧ୍ୟମକୁ ଆଗାମୀ ଦିନରେ ବ୍ୟାପକ ଆକାରରେ କରାଯାଇ ଦୀପ ସାଙ୍ଗକୁ ଫୁଲକୁଣ୍ଡ ପ୍ରଭୃତି ସାମଗ୍ରୀ ପ୍ରସ୍ତୁତ କରାଗଲେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା ବୋଲି ସେମାନେ ପ୍ରକାଶ କରିଛନ୍ତି। ଏହି ଗୋବର ଦୀପର ଚାହିଦାକୁ ଦେଖି ଗୋ-ସେବା କେନ୍ଦ୍ର କର୍ତ୍ତୃପକ୍ଷ ନିକଟ ଭବିଷ୍ୟତରେ ଉଚିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.