Home ଓଡ଼ିଶା ପୋଲିସ ପରିବାର କଲ୍ୟାଣ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୋଲିସ ପରିବାର କଲ୍ୟାଣ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

60

କଟକ୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଠାରେ କାର‌୍ୟ୍ୟକରୁଥିବା ବରିଷ୍ଠ ପୋଲିସ ଅଧିକାରୀ ମହିଳା କ୍ଲବ ଆନୁକୂଲ୍ୟରେ ପରିଚାଳିତ ପୋଲିସ ପରିବାର କଲ୍ୟାଣ କେନ୍ଦ୍ରର ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ତୁଳସୀପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । କ୍ଲବର ସଭାପତି ଶ୍ରୀମତି ବିନ୍ଦୁ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ପୋଲିସ ପରିବାର କଲ୍ୟାଣ କେନ୍ଦ୍ର ଗୁଡିକର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଆଜି ଶିଶୁ ଦିବସ ଅବସରରେ ସେ ପିଲା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ବରିଷ୍ଠ ପୋଲିସ ଅଧିକାରୀ ମହିଳା କ୍ଲବ ବିଗତ ଦିନ ମାନଙ୍କରେ କରିଥିବା ଜନହିତକର କାର୍ଯ୍ୟବଳୀର  ଅବତାରଣା କରିଥିଲେ । ପରିବାର କଲ୍ୟାଣ କେଂନ୍ଦ୍ରରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ପରିସର ବୃଦ୍ଧି କରିବା ସହ ଏହାର ଭିତ୍ତିଭୂମିର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ କହିବା ସହ ପ୍ରତି ଦୁଇ ମାସରେ ଥରେ ଏବାବଦରେ କେଂନ୍ଦ୍ର ପରିସରରେ ବୈଠକ କରି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ପରିବାର କଲ୍ୟାଣ କେଂନ୍ଦ୍ରରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ କୌଶଳ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱ ଦେବା ଏବଂ ସେମାନଙ୍କୁ ଧନ୍ଦାମୂଳକ ଶିକ୍ଷା, ସ୍ୱଚ୍ଛତା ଆଦି ପ୍ରସଙ୍ଗ ଉପରେ ଶିକ୍ଷା ଦିଆଯିବା ଆବଶ୍ୟକ ବୋଲି କହିଥିଲେ । ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡା. ଦେବାଶିଷ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଂଶ ଗ୍ରହଣ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡକ୍ୱାର୍ଟର) ଶ୍ରୀ ବିନୟତୋଷ ମିଶ୍ର ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସବୁବେଳେ କିଛି ନୂଆ କାର୍ଯ୍ୟକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବାକୁ ମୁଖ୍ୟବକ୍ତା ଅତିଥିମାନେ ପରାମର୍ଶ ଦେଇଥିଲେ । ବିଶେଷ ଭାବରେ କେଂନ୍ଦ୍ରରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତିଗତ ଶିକ୍ଷା ଓ କୌଶଳ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭର କ୍ଲବର ସଭାପତି ଶ୍ରୀମତୀ ବିନ୍ଦୁ ଶର୍ମା ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ କ୍ଲବର ସଂପାଦୀକା ଶ୍ରୀମତୀ ସୋନାଲୀ ମହାନ୍ତି ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପରିବାର କଲ୍ୟାଣ କେନ୍ଦ୍ରର ସଂପାଦକ ଶ୍ରୀମତି ସବିତା ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ତଥା ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତୁଳସିପୁର ପୋଲିସ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ କୁମାର ସାହୁଙ୍କୁ ଶ୍ରେଷ୍ଠ ଛାତ୍ର ଭାବେ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ନର୍ସରୀ ଛାତ୍ର ଭାବେ ସନ୍ତୋଷୀ ପ୍ରସାଦ ମିଶ୍ର, ଶ୍ରେଷ୍ଠ ମା ଭାବେ ଶ୍ରୀମତୀ ଅହଲ୍ୟା ମିଶ୍ର, ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ଶେଫାଳୀ ବୋଷ ଏବଂ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଭାବେ ପ୍ରଜ୍ଞା ଭୋଇଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ  । ପରିବାର କଲ୍ୟାଣ କେଂନ୍ଦ୍ର ଆନୁକୂଲ୍ୟରେ ଆନ୍ତଃବିଦ୍ୟାଳୟ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ୨ ଟି ବିଭାଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଶମିତ୍ କାନୁନ୍‌ଗୋ ଓ ପ୍ରଜ୍ଞା ପ୍ରଧାନ ଦୁଇଟି ଭିନ୍ନ ଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଭ୍ୟା, ବରିଷ୍ଠ ପୋଲିସ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.