Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ସ୍ୱାମୀ-ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତି

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ସ୍ୱାମୀ-ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତି

5

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ କାଶିମପୁର ଗ୍ରାମରେ ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ସଂଘବଦ୍ଧ ଭାବେ ମାରାତ୍ମକ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।ଅଭିଯୋଗ ଅନୁଯାୟୀ, ସେପ୍େଟମ୍ବର ୨ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ କାଶିମପୁର ଗ୍ରାମର ଲକ୍ଷ୍ମୀ ପାଗଳ (୪୭) ନିଜ ନାତୁଣୀଙ୍କ ସହ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ଗ୍ରାମର ଉମେଶ ନାଥ (୩୩) ଓ ନିଶାକର ନାଥ (୬୧) ସେଠାରେ ପହଂଚି ତାଙ୍କ ଝିଅ କେଉଁଠି ଅଛି ବୋଲି ପଚାରିବା ସହ ଝିଅକୁ ଲୁଚାଇ ରଖାଯାଇଥିବା ନେଇ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବାକ ବିତଣ୍ଡା ହେବା ପରେ ଲକ୍ଷ୍ମୀ ପ୍ରତିବାଦ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଉମେଶ ନାଥ ଏକ ପଥରରେ ଲକ୍ଷ୍ମୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଲିଖିତ ଅଭିଯୋଗ କରା ଯାଇଛି।ପରେ ନିଶାକର ନାଥ ଏକ ଲୁହା ରଡ ଓ ବାଉଁଶ ଫାଳିଆ ରେ ଲକ୍ଷ୍ମୀ ପାଗଳ ଏବଂ ତାଙ୍କ ସ୍ୱାମୀ ସଂକର୍ଷଣ ପାଗଳ ଙ୍କୁ ମାରାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ଆକ୍ରମଣକାରୀମାନେ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏବଂ ଲକ୍ଷ୍ମୀଙ୍କୁ ଗୋଇଠା-ବିଧା ମାରି ଥିବା ଜଣାଯାଇଛି।ଘଟଣା ପରେ ୧୧୨ ପୋଲିସ ଗାଡ଼ି ଓ ଆମ୍ବୁଲାନ୍ସ ଯୋଗେ ଆହତ ଦମ୍ପତିଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସଂକର୍ଷଣ ପାଗଳ ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏନେଇ ଲକ୍ଷ୍ମୀ ପାଗଳଙ୍କ ଲିଖିତ ଅଭିଯୋଗ ଆଧାରରେ ଧୂଷୁରୀ ଥାନାରେ କେସ୍ ନଂ–୩୮୩/୨୦୨୬ ରୁଜୁ କରାଯାଇଛି। ଏସ୍‌.ଆଇ. ବିନ୍ମୟ ପାତ୍ର ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.