Home ଜିଲ୍ଲା ପରିକ୍ରମା ପୁଲିସ୍ ପିପୁଲ ଫ୍ରେଣ୍ଡଲି ଘୋଷଣାରେ ରହିଲା, ଫାଇଲ୍ କାମ ଆଗ ନା ଅଭିଯୋଗ ଶୁଣାଣି ଆଗ!

ପୁଲିସ୍ ପିପୁଲ ଫ୍ରେଣ୍ଡଲି ଘୋଷଣାରେ ରହିଲା, ଫାଇଲ୍ କାମ ଆଗ ନା ଅଭିଯୋଗ ଶୁଣାଣି ଆଗ!

10

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲା ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ବିଭାଗୀୟ ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷକରି ଥାନାରୁ ନ୍ୟାୟ ନପାଇ ପୁଲିସ୍ ମୁଖ୍ୟଙ୍କୁ ସାକ୍ଷାତ୍ କରି ଦୁଃଖ ଜଣାଇବା ପାଇଁ ଜିଲାର ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ସାଧାରଣ ଲୋକ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏନେଇ ଅସେନ୍ତାଷ ପ୍ରକାଶ ପାଇଛି । ଭୟରେ ମୁହଁ ଫିଟାଇ ପାରୁନାହାଁନ୍ତି । ନିକଟରେ ଟାଉନ୍ ଥାନା ପରିସରରେ ଆଦର୍ଶ ଥାନାକୁ ଉଦ୍‌ଘାଟନ କରିବାକୁ ଆସିଥିବା ରାଜ୍ୟ ପୁଲିସ୍ ଡିଜି ଜିଲା ପୁଲିସ୍‌ର ଉତ୍ତମ ସେବା ଉପରେ ଗୁରୁତ୍ୱ ଦେଇଥିଲେ । ଜନତାଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ ପୁଲିସ୍ ଏବେ ପିପୁଲ ଫ୍ରେଣ୍ଡଲି ହୋଇଥିବାରୁ ପ୍ରତ୍ୟେକ ବ୍ୟକ୍ତି ନିଜ ଥାନାରେ ଅଭିଯୋଗ କରିପାରିବେ । ଥାନାରେ ନ୍ୟାୟ ନମିଳିଲେ ଆଇନ୍‌କୁ ନିଜ ହାତକୁ ନନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ । ଡିଜିଙ୍କ ଏହି ପରାମର୍ଶ ଜିଲାରେ ବିପରୀତ ଗତିରେ ଚାଲିଛି । ଜିଲାର ବିଭିନ୍ନ ଥାନା ଅଂଚଳର ଗାଁ ଲୋକ ସ୍ଥାନୀୟ ଥାନାରୁ ନ୍ୟାୟ ନପାଇ ବୁଢା-ବୁଢୀ ବୟସ୍କ ବ୍ୟକ୍ତି ମହିଳା ଏସ୍‌ପିଙ୍କ ଠାରୁ ନ୍ୟାୟ ପାଇବା ଆଶାରେ ଦୌଡି ଆସିଥାନ୍ତି । ଏମାନଙ୍କ ପାଇଁ ମୁଖ୍ୟ କାର୍ଯ୍ୟାଳୟର ପ୍ରବେଶ ପଥରେ ଲମ୍ବା ସୋଫାର ବ୍ୟବସ୍ଥା ରହିଛି ।

କିନ୍ତୁ ସାହେବଙ୍କୁ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ । କେବଳ ଜନସାଧାରଣ ନୁହଁ ସମ୍ବାଦପତ୍ରର ପ୍ରତିନିଧିମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଥାଏ । ସାହେବଙ୍କ ଡାକରା କେତେବେଳେ ଆସିବ, ନ୍ୟାୟ ପାଇବା ପାଇଁ ଅପେକ୍ଷାରତ ଚାତକ ଭଳି ଚାହିଁବସିଥାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ଲୋକମାନେ ଏତେ ସମୟ ଅପେକ୍ଷା କରି ଥକାରେ ଶୋଇପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ସାହେବଙ୍କ ଦ୍ୱାରପାଳଙ୍କୁ ପଚାରିଲେ ଫାଇଲ୍ କାମ ଚାଲିଛି, କାମ ସରିଲେ ସାର୍ ଡାକିବେ ବୋଲି ଉତ୍ତର ମିଳେ । ଏଠି ପ୍ରଶ୍ନ ଉଠୁଛି ଫାଇଲ୍ କାମ ଆଗ ନା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଆଗ । ଜିଲା ପୁଲିସ୍ କେତେ ପିପୁଲ ଫ୍ରେଣ୍ଡଲି ତାହା ଏଥିରୁ ସ୍ପଷ୍ଟ ଅନୁମେୟ କରାଯାଇପାରେ । ତମାମ୍ ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ôଚଛି । ଜିଲାରେ କେହି ସୁରକ୍ଷିତ ନୁହଁନ୍ତି । ସରକାରୀ କର୍ମଚାରୀମାନଙ୍କୁ ମାଡ ମାରିବା, ଏପରିକି ପୁଲିସ୍‌କୁ ମାଡ ମାରିବା ଘଟଣା ମଧ୍ୟ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ସାଜିଛି । ଚୋରି, ଡକାୟତି, ରାହାଜାନୀ ଓ ନିଶା କାରବାର ବୃଦ୍ଧି ପାଇବା ଘଟଣା ପୁଲିସ୍‌ର ପାରିବାପଣିଆକୁ ପଦାରେ ପକାଇଛି । ରାଜ୍ୟ ପୁଲିସ୍ ଡିଜି ଦେଇଥିବା ଉଦ୍‌ବୋଧନ ପାଣିର ଗାର ପାଲଟିଛି । କଥାରେ ଅଛି ‘ଖୁଣ୍ଟ ଗୁଣେ ବଳଦ ନାଚେ’ । ତେବେ ଜିଲା ପୁଲିସ୍ ପ୍ରଶାସନର ତଳରୁ ଉପର ଯାଏ ସବୁଠି ଉଦାସୀନତା ଓ ଅପରାଗତାର ଚିତ୍ର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.