Home ଜିଲ୍ଲା ପରିକ୍ରମା ପାନୀୟଜଳ ପାଇଁ ଲୋକେ ଡହଳବିକଳ, ପ୍ରଶାସନ ନିଦାବିଷ୍ଣୁ, ୫ଦିନ ଧରି ଜଳଯୋଗାଣ ପରେ ବିଜେପି ପକ୍ଷରୁ...

ପାନୀୟଜଳ ପାଇଁ ଲୋକେ ଡହଳବିକଳ, ପ୍ରଶାସନ ନିଦାବିଷ୍ଣୁ, ୫ଦିନ ଧରି ଜଳଯୋଗାଣ ପରେ ବିଜେପି ପକ୍ଷରୁ ଆନ୍ଦୋଳନ ଚେତାବନୀ

17

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାତର ବାରଟି ୱାର୍ଡ ମଧ୍ୟରୁ ଛଅଟି ୱାର୍ଡର ନାରାୟଣପୁର, ରାମଚନ୍ଦ୍ରପୁର, ସଂପୋଇ, ନେଉଳିଆ, ଭୂତିଆ ଗ୍ରାମର ପାଖାପାଖି ପଚିଶଶହ ଗ୍ରାମବାସୀ ପାନୀୟ ଜଳ ଅଭାବରୁ ଡହଳବିକଳ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଉକ୍ତ ଗ୍ରାମଗୁଡିକରେ ଶହେରୁ ଉର୍ଦ୍ଧ ନଳକୂପ ଥିଲେ ମଧ୍ୟ ମରାମତି ଅଭାବରୁ ଅଧିକାଂଶ ଅକାମୀ ହୋଇପଡିଥିବା ବେଳେ ଆଉ କିଛି ଅତିକମ ଜଳସ୍ତରରେ ବସାଯାଇଥିବା ଯୋଗୁଁ ବ୍ୟବହାର ଉପଯୋଗୀ ଜଳ ଦେଉ ନାହିଁ । ଏହା ବାଦ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଜଳଯୋଗାଣ ନିମନ୍ତେ ବ୍ୟବହାର କରାଯାଇଥିବା ପାଇପ ଅତି ନିମ୍ନମାନର ହୋଇଥିବା ଯୋଗୁଁ ଏହା ସ୍ଥାନେ ସ୍ଥାନେ ଫାଟି ଯାଇ ପାଣିର ଅପଚୟ ହେଉଛି । ଯାହା ଦ୍ୱାରା ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହରେ ପାନୀୟ ଜଳ ପାଇଁ ଜନସାଧାରଣ ଡହଳବିକଳ ହେବା ସରକାରଙ୍କ ଉତ୍ତରଦାଇତ୍ୱ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ଥିବା ବେଳେ ବିରୋଧି ବିଜେପି ଏହି ଘଡିସନ୍ଧି ମୂହୂର୍ତ୍ତରେ ପାନୀୟ ଜଳ ଯୋଗାଣ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରିଛି । ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବଦ୍ରୀନାରାୟଣ ଧଳଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ କର୍ମକର୍ତ୍ତା ପ୍ରଦ୍ୟୁମ୍ନ ସେନାପତି, କ୍ଷୀରୋଦ ରାୟ, ସମୀର ରାଉତ, ପ୍ରହ୍ଲାଦ ସାହୁ, ଦିନବନ୍ଧୁ ରାଉତ, ଶୁବାସିଷ ରାଉତ, କାଳନ୍ଦୀ ଘଡେଇ, ସ୍ୱରାଜ ମହାପାତ୍ର, କୃପାସିନ୍ଧୁ ବାରିକଙ୍କ ସହଯୋଗରେ ଚାରି ଦିନ ଧରି ଜଳଯୋଗଣ କରୁଛନ୍ତି ।

ଏହି ଭଳି ସମସ୍ୟା ଅନେକ ଗ୍ରାମରେ ଥିବା ବେଳେ ସରକାରୀ ଅଧିକାରୀମାନଙ୍କ ଦାଇତ୍ୱହୀନତାକୁ ନେଇ ବିଜେପି ସରକାରଙ୍କୁ ଅନେକ ପ୍ରଶ୍ନ କରିଛି । ଏହି ସମସ୍ୟାକୁ ନେଇ ଶ୍ରୀ ଧଳ ସରକାରଙ୍କୁ ତୀବ୍ର ଭର୍ସନା ସହ ଜଳପ୍ରକଳ୍ପ ନିର୍ମାଣରେ ହୋଇଥିବା ବ୍ୟାପକ ଦୁର୍ନୀତି ବିଷୟରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି । ତାଙ୍କ ଅଭିଯୋଗ ମୂଳେ ପାନୀୟ ଜଳଯୋଗାଣକୁ ସୁଗମ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ବାଲିପୋଖରୀ ଓ ମଞ୍ଜୁରୀରୋଡ ଠାରେ ମେଗା ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଦୁଇଟି ଟାଙ୍କି ନିର୍ମାଣ ପାଇଁ ୨୦୦୨ ମସିହାରୁ କାର୍ଯ୍ୟାଦେଶ ପାଇ ଏ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇନଥିବା ସ୍ଥଳେ ଏହାର ମରାମତି ପାଇଁ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କାହା ସ୍ୱାର୍ଥରେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏତ୍‌ଦବ୍ୟତୀତ ସ୍ଥାନୀୟ ବିଧାୟକଙ୍କ ନିରବତାକୁ ନେଇ ତାଙ୍କର ଅଯୋଗ୍ୟପଣତାକୁ ସର୍ବସାଧାରଣରେ ସ୍ୱୀକାର କରିବାକୁ ସେ ଆହ୍ୱାନ ଦେବା ସହ ଯଦି ଆଗାମୀ ତିନିଦିନ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀର ପ୍ରତି ଗ୍ରାମରେ ପାନୀୟ ଜଳର ସୁବ୍ୟବସ୍ଥା କରାନଯାଏ ତେବେ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଅବଗତ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.