Home ଜିଲ୍ଲା ପରିକ୍ରମା ପରୀକ୍ଷା ମୁଣ୍ଡ ଉପରେ, ତଥାପି ସୁଧୁରିନି ବହି ଓ ପାଠପଢ଼ା ବ୍ୟବସ୍ଥା,ଉର୍ଦ୍ଦୁ-ପାର୍ସିଆନ୍ ବହି ନାହିଁ, ଶିକ୍ଷକ...

ପରୀକ୍ଷା ମୁଣ୍ଡ ଉପରେ, ତଥାପି ସୁଧୁରିନି ବହି ଓ ପାଠପଢ଼ା ବ୍ୟବସ୍ଥା,ଉର୍ଦ୍ଦୁ-ପାର୍ସିଆନ୍ ବହି ନାହିଁ, ଶିକ୍ଷକ ଅଛନ୍ତି; ପିଲା ପଢ଼ିବେ କ’ଣ, ପରୀକ୍ଷାରେ ଲେଖିବେ କ’ଣ!

2

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ବିଭିନ୍ନ ସ୍କୁଲ୍ ପରିଦର୍ଶନ କରାଯାଇ ସ୍କୁଲ୍‌ଗୁଡ଼ିକରେ ପାଠପଢ଼ା, ପାଠ୍ୟପୁସ୍ତକ ବଂଟନ ଓ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିର ସ୍ଥିତି ଯାଂଚ କରାଯାଇଥିଲା। ସଂଗଠନର ଦାବି ଅନୁଯାୟୀ, ଏପର୍ଯ୍ୟନ୍ତ ବହି ଓ ପାଠପଢ଼ା ସମ୍ବନ୍ଧୀୟ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଉର୍ଦ୍ଦୁ ଓ ପାର୍ସିଆନ୍ ଭାଷାର ପାଠ୍ୟପୁସ୍ତକ। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ-ନବମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଷୟର ଶିକ୍ଷକ ଥିବା ସତ୍ୱେ ଆବଶ୍ୟକ ପାଠ୍ୟପୁସ୍ତକ ଏପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଉପଲବ୍ଧ ହୋଇପାରିନାହିଁ। ଶିକ୍ଷକ ଅଛନ୍ତି, କିନ୍ତୁ ପାଠ୍ୟପୁସ୍ତକ ନାହିଁ। ତେବେ ପିଲାମାନେ ପଢ଼ିବେ କ’ଣ ପରୀକ୍ଷାରେ ଲେଖିବେ କ’ଣ ଏଭଳି ପ୍ରଶ୍ନ ଉଠାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ସଂଗଠନର ଅଭିଯୋଗ ଅନୁସାରେ, ଉର୍ଦ୍ଦୁ, ଆରବୀ ଓ ଅନ୍ୟାନ୍ୟ ଭାଷାକୁ ମାତୃଭାଷା ଭାବେ ପଢ଼ୁଥିବା ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଯେତିକି ଗୁରୁତ୍ୱ ଦିଆଯିବା କଥା, ସେତିକି ଗୁରୁତ୍ୱ ଦିଆଯାଉନାହିଁ। ବିଶେଷକରି କମ୍ପଲସରୀ ବା ମାତୃଭାଷା ଭିତିକ ବିଷୟରେ ଯଦି ଶିକ୍ଷକ ଥାଇ ମଧ୍ୟ ବହି ନଥାଏ, ତେବେ ଏହା ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଗମ୍ଭୀର ପ୍ରଶ୍ନ। ଅନ୍ୟପଟେ, ଚଳିତ ଶିକ୍ଷାବର୍ଷରେ ଯେଉଁ ପାଠ୍ୟପୁସ୍ତକରେ ଭୁଲ୍ ଥିବା ଅଭିଯୋଗ ଉଠିଥିଲା, ସେଗୁଡ଼ିକର ସଂଶୋଧିତ ବହି ମଧ୍ୟ ଏପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯଥାସମୟରେ ମିଳିନଥିବା ଅଭିଯୋଗ ହୋଇଛି। ପରୀକ୍ଷା ମୁଣ୍ଡ ଉପରେ। ଏଭଳି ସ୍ଥିତିରେ ପିଲାମାନଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତି କିପରି ହେବ। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ, ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଠିକ୍ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉ, ଉର୍ଦ୍ଦୁ, ଆରବୀ ଓ ପାର୍ସିଆନ୍ ଭଳି ବିଷୟର ପାଠପଢ଼ାକୁ ଗୁରୁତ୍ୱ ଦିଆଯାଉ ଏବଂ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି କୌଣସି ବାଧା ନ ରହେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ। ସଂଗଠନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍କୁଲ୍ ପରିଦର୍ଶନ କରି ବାସ୍ତବ ସ୍ଥିତି ତଦାରଖ କରାଯିବ ବୋଲି କୁହାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ସହ କୌଣସି ପ୍ରକାରର ଅବହେଳା ଗ୍ରହଣୀୟ ନୁହେଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.