Home ଜିଲ୍ଲା ପରିକ୍ରମା ପତ୍ନୀକୁ ୩ ଲକ୍ଷ ଟଙ୍କାରେ ବନ୍ଧା ରଖିଲା ସ୍ୱାମୀ, ୨ୟ ବିବାହକୁ ନେଇ ଥାନାରେ ଅଭିଯୋଗ

ପତ୍ନୀକୁ ୩ ଲକ୍ଷ ଟଙ୍କାରେ ବନ୍ଧା ରଖିଲା ସ୍ୱାମୀ, ୨ୟ ବିବାହକୁ ନେଇ ଥାନାରେ ଅଭିଯୋଗ

181

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବାହ ମଣ୍ଡପର ହୋମାଗ୍ନିକୁ ସାକ୍ଷୀ ରଖି ସାତ ଫେରା ଘୂରି ସାତ ଜନ୍ମକୁ ଅର୍ଦ୍ଧାଙ୍ଗିନୀର ମାନ୍ୟତା ଦେଇ ସୀମନ୍ତରେ ସିନ୍ଦୁର ମାଖିଥିବା ସ୍ୱାମୀଟିଏ ଯେ ଶେଷରେ ତାକୁ ସୁଦୂର ତାମିଲନାଡୁରେ କଂପାନୀ ମାଲିକ ନିକଟରେ ବନ୍ଧା ରଖି ଦ୍ୱିତୀୟ ବିବାହର ସ୍ୱପ୍ନ ଦେଖିବା ନିଶ୍ଚିତ ଭାବେ ପୁରୁଷ ଜାତି ପାଇଁ କଳଙ୍କ । କିନ୍ତୁ ଏହିଭଳି ଏକ ଘଟଣା ଘଟିଛି ଏହି ଜିଲାର ବାସୁଦେବପୁର ଥାନା କିସ୍ମତ କୃଷ୍ଣପୁର ପଂଚାୟତରେ । ତେବେ ଆଜି ବାସୁଦେବପୁର ଥାନାରେ ନିର୍ଯ୍ୟାତିତା ପତ୍ନୀ ଦେଇଥିବା ଅଭିଯୋଗ ପତ୍ର ମୂଳେ ଆଜକୁ ୧୦ ବର୍ଷ ତଳେ ସୁଦର୍ଶନପୁର ପଂଚାୟତର ନୟନାନନ୍ଦ ନାୟକଙ୍କ କନ୍ୟା ସସ୍ମିତା (୩୦) ସ୍ଥାନୀୟ କିସ୍ମତ କୃଷ୍ଣପୁର ପଂଚାୟତର ରାଜେନ୍ଦ୍ର ଘଡାଇଙ୍କୁ ବିବାହ କରିଥିଲେ । ପରିବାରର ଆର୍ଥିକ ଅବସ୍ଥାର ସୁଧାର ପାଇଁ ସ୍ୱାମୀ ରାଜେନ୍ଦ୍ର ନବ ବିବାହିତା ପତ୍ନୀକୁ ନେଇଯାଇଥିଲା ନିଜ କର୍ମସ୍ଥଳ ସୁଦୂର ତାମିଲନାଡୁକୁ । ସେଠାରେ ଏକ ଘରୋଇ କଂପାନୀରେ ଉଭୟ ସ୍ୱାମୀ-ସ୍ତ୍ରୀ କାମ କରିଆସୁଥିଲେ । ସାଂସାରିକ ବନ୍ଧନରେ ଅଫୁରନ୍ତ ଖୁସିର ଲହରି ମଧ୍ୟରେ କନ୍ୟା ସନ୍ତାନଟିଏ ପାଇ ବେଶ୍ ଖୁସିରେ ରହିଆସୁଥିଲେ ଉକ୍ତ ଦମ୍ପତି । ମାତ୍ର ଦେହର ଭୋକ ରାଜେନ୍ଦ୍ରର କାମୁକ ଭାବନାକୁ ପ୍ରଜ୍ଜ୍ୱଳିତ କରିଥିଲା । ନିଜ ଘର ଲୋକଙ୍କ ପ୍ରରୋଚନାରେ ଗାଁକୁ ଯାଇ ଦ୍ୱିତୀୟ ବିବାହର ସ୍ୱପ୍ନ ଦେଖିଥିଲା ସେ । ଫଳରେ ବିବାହ ସମୟରେ ପତି-ପତ୍ନୀର ମର୍ଯ୍ୟାଦା ଭୁଲିଯାଇ ପତ୍ନୀ ସସ୍ମିତାର ଅଜାଣତରେ ଘରୋଇ କଂପାନୀ ମାଳିକଙ୍କ ଠାରୁ ୩ ଲକ୍ଷ ଟଙ୍କା ନେଇ ଲୁଚି ତାମିଲନାଡୁରୁ ଗାଁ ମୁହାଁ ହୋଇଥିଲା । ଏହି ଖବର ଜାଣିବା ପରେ ସସ୍ମିତା ନିଜର କନ୍ୟା ସହ ଶ୍ୱଶୁରଘରକୁ ଯିବାପାଇଁ ବାହାରିଥିବାବେଳେ କଂପାନୀ ମାଲିକ ପତିର ଟଙ୍କା ନସୁଝିବା ଯାଏ ଯିବାକୁ ଦେଇନଥିଲା । ତେବେ ବହୁ କାକୁତି ମିନତୀ ପରେ ନିଜ ୭ ବର୍ଷର ଝିଅକୁ ଧରି ଗାଁକୁ ଫେରିଥିଲା ସସ୍ମିତା । ମାତ୍ର ସ୍ୱାମୀ ଦ୍ୱିତୀୟ ବିବାହ କରିଥିବାର ଜାଣି ପ୍ରତିବାଦ କରିବାକୁ ଯାଇ ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ବଂଚିଯାଏ ସେ । ରାତାରାତି କନ୍ୟା ସହ ପିତ୍ରାଳୟ ଫେରି ବାସୁଦେବପୁର ଥାନାରେ ଆଜି ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ନାମରେ ଲିଖିତ ଅଭିଯୋଗ କରିଛି ସସ୍ମିତା । ଏବଂ ଅଭିଯୁକ୍ତ ଶ୍ୱଶୁରଘର ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବିବାହ ସମୟରେ ତାର ଗରିବ ପିତାମାତା ଯୌତୁକ ବାବଦ ଯେଉଁ ନଗଦ ୫୦ ହଜାର ଟଙ୍କା, ସୁନା ଅଳଙ୍କାର ଓ ଆସବାବ ପତ୍ରମାନ ଦେଇଥିଲେ, ତାହା ଫେରସ୍ତ ପାଇବାକୁ ଅନୁରୋଧ କରିଛି । ଏହି ଅଭିଯୋଗ ପାଇବା ପରେ ବାସୁଦେବପୁର ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.