Home ଜିଲ୍ଲା ପରିକ୍ରମା ପଂଚାୟତ ଗଠନକୁ ୫ବର୍ଷ ପୂରିଲା, ବିକାଶଠାରୁ ବହୁ ଦୂରରେ ବଡ଼ବର୍ଚ୍ଚିକୟାଁ!

ପଂଚାୟତ ଗଠନକୁ ୫ବର୍ଷ ପୂରିଲା, ବିକାଶଠାରୁ ବହୁ ଦୂରରେ ବଡ଼ବର୍ଚ୍ଚିକୟାଁ!

34

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତଗୁଡ଼ିକର ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ଏହାର ସଫଳ ରୁପାୟନକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ପଂଚାୟତ ପୁନର୍ଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ପଂଚାୟତ ଗଠନ ଘୋଷଣା କରାଯାଇଥିଲା । ତଦନୁସାରେ ବନ୍ତ ବ୍ଲକ ଅଧିନରେ ୨୨ଟି ପଂଚାୟତ ପରିବର୍ତ୍ତେ ୨୫ଟି ପଂଚାୟତ କାର୍ଯ୍ୟ କରିଥିଲା । ତନ୍ନମଧ୍ୟରୁ କାଦବରାଙ୍ଗ ପଂଚାୟତକୁ ଭାଗକରାଯାଇ ନୂତନ ଭାବେ ବଡ଼ବର୍ଚ୍ଚିକୟାଁ ପଂଚାୟତ ଗଠନ କରାଯାଇଥିଲା । ୬ ଗୋଟ ିରାଜସ୍ୱ ଗ୍ରାମ ଯଥା ବଡ଼ବର୍ଚ୍ଚିକୟାଁର ୧୧୮୦ଜଣ, ବିଶଲକଣାର ୧୦୭୪ଜଣ, ଆପ୍ତିରାଷଡ଼ଙ୍ଗୀର ୮୨୦ଜଣ, ରାଉତରାଗଡ଼ିଆର ୭୨୬ଜଣ, କୁସୁନନଗରର ୭୩୫ଜଣ ଓ ଜୟସିଂହପୁରର ୨୧୬ଜଣ ଲୋକସଂଖ୍ୟା ମୋଟ ୪୭୫୧ ଲୋକସଂଖ୍ୟାକୁ ନେଇ ଗଠିତ ହୋଇଥିଲା ଏହି ପଞ୍ଚାୟତ । ନୂତନ ପଂଚାୟତ ଗଠନ ହେବାର ଇତି ମଧ୍ୟରେ ୫ବର୍ଷ ବିତିଯାଇଥିଲେ ସୁଦ୍ଧା ପଂଚାୟତରେ ଲାଗିରହିଥିବା ସମସ୍ୟାଗୁଡ଼ିକ ପ୍ରତି ନଜର ପକାଇଲେ ବିକାଶ ଠାରୁ ବହୁ ଦୂରରେ ବଡ଼ବର୍ଚ୍ଚିକୟାଁ ପଂଚାୟତ ଥିବାର ଜଣାପଡ଼େ । ପଂଚାୟତ ଗଠନ ହେବାକୁ ଇତି ମଧ୍ୟରେ ୫ବର୍ଷ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବହୁ ବାଦବିବାଦ ମଧ୍ୟରେ ପଂଚାୟତ ଗୃହ ନିର୍ମାଣ ହୋଇଥିଲେ ସୁଦ୍ଧା ସରକାରୀ ସ୍ତରୀୟ ଘୋଷଣା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ସେହିପରି “ଆମ ଗାଁ ଆମ ବିକାଶ” ଯୋଜନାକୁ ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ସୁ୍‌ଦ୍ଧା ଏହି ଯୋଜନାରେ ଅର୍ନ୍ତଭୁକ୍ତ ବିଭିନ୍ନ ପ୍ରକଳ୍ପକୁ ନଜରକୁ ନେଲେ ଏହା ଏଠାରେ ସଂପୂର୍ଣ୍ଣ ଫେଲ ମାରିଥିବାର ଜଣାପଡ଼ିଛି ।

ସେହିପରି ପଂଚାୟତ ଗଠନ ହେବା ପରେ ଉକ୍ତ ପଂଚାୟତ ଅର୍ନ୍ତଗତ କୁସୁନନଗର ଠାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏକ ଗୋଷ୍ଠିକେନ୍ଦ୍ର ନିର୍ମାଣ ନିମନ୍ତେ ସିଏଫସି ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ମଂଜୁର ହୋଇଥିଲା । ଯାହାକି ଉକ୍ତ ପଂଚାୟତର ପ୍ରଥମ ପ୍ରକଳ୍ପ ହୋଇଥିବା ବେଳେ ଉକ୍ତ ପ୍ରକଳ୍ପଟି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଗ୍ରେଡ଼ବିମରେ ଅଟକି ରହିଛି ପ୍ରକଳ୍ପ ନିର୍ମାଣ । ଏକା ସମୟରେ ଉକ୍ତ ପଂଚାୟତ ଅର୍ନ୍ତଗତ ବିସଲକଣା ଗ୍ରାମ ୫ନଂ ୱାର୍ଡ଼ର ଶେଉଳଗଡ଼ିଆ ଠାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏସଏଫସି ପାଣ୍ଠିରୁ ଏକ ଗୋଷ୍ଠିକେନ୍ଦ୍ର ନିର୍ମାଣ ନିମନ୍ତେ ଅର୍ଥ ମଂଜୁର ହୋଇଥିଲା । ଇତି ମଧ୍ୟରେ ୫ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଉକ୍ତ ପ୍ରକଳ୍ପଟି ସଂପୂର୍ଣ୍ଣ ହୋଇପାରିନାହିଁ । କୁସୁନନଗର ଗାଁ ମଧ୍ୟ ଭାଗ ଦେଇ ପ୍ରଭାହିତ ରସସାଗର ନାଳ ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ପୋଲଟିଏ ଥିଲେ ସୁଦ୍ଧା ଏହା ଉପରେ ଆଜି ସୁଦ୍ଧା ସ୍ଥାୟୀ ପୋଲ ନିର୍ମାଣ ହୋଇପାରିନାହିଁ ।

ସେହିପରି ଜୟସିଂହପୁର , ଆପ୍ତିରାଷଡ଼ଙ୍ଗୀ ଓ ଚାପୁଣ୍ଡିଆ ସାହିକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିନାହିଁ । ଗ୍ରାମବାସୀମାନେ ବିପଦ ସଂକୁଳ ରାସ୍ତାରେ ଯାତାୟାତ କରୁଛନ୍ତି । ଉକ୍ତ ପଂଚାୟତ ଅନ୍ତର୍ଗତ ବହୁ ଗ୍ରାମରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ଷାଦିନେ ସାହିବାସୀ ପାଣିଘେରରେ ରହୁଥିବାର ଦେଖିବାକୁ ମିଳୁଛି । ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏହି ପଂଚାୟତ ଅନ୍ତର୍ଗତ ବହୁ ବିଦ୍ୟାଳୟ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ବିଶଲକଣା ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ନିର୍ମାଣକୁ ନେଇ ଲାଗିରହିଥିବା ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ସରକାରୀ ତଥ୍ୟ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଉକ୍ତ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନଥିବା ଜଣାପଡ଼ିଛି । ଉକ୍ତ ପଂଚାୟତରେ ଲାଗି ରହିଥିବା ଏହିପରି ବିଭିନ୍ନ ସମସ୍ୟାକୁ ଆକଳନକୁ ନେଲେ ଉକ୍ତ ପଂଚାୟତ ବିକାଶ ଠାରୁ ବହୁ ଦୂରରେ ଥିବା ଜଣାପଡ଼ିବା ସହ ସରକାର ଯେଉଁ ଆଭିମୂଖ୍ୟ ନେଇ ନୂତନ ପଂଚାୟତ ଗଠନ କରିଥିଲେ ତାହା ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସଫଳ ହୋଇପାରୁ ନଥିବା ପରିଲକ୍ଷିତ ହୋଇଛି । ଏଥିପ୍ରତି ସରପଂଚଙ୍କ ସମେତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.