Home ଜିଲ୍ଲା ପରିକ୍ରମା ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ପାଣିଛତ୍ର ଗାଁ କଥା!, ସ୍ୱାଧିନତାର ୭୪ ବର୍ଷ ପରେ ବି...

ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ପାଣିଛତ୍ର ଗାଁ କଥା!, ସ୍ୱାଧିନତାର ୭୪ ବର୍ଷ ପରେ ବି ଅବହେଳିତ ପାଣିଛତ୍ର ଗାଁ

66

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବାର ଡ଼ିଣ୍ଡିମ ପିଟୁଥିବାବେଳେ ସ୍ୱାଧିନତାର ୭୪ ବର୍ଷ ପରେବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ୧୦ନଂ ୱାର୍ଡ଼ର ଗାଁ ପାଣିଛତ୍ର ଠାରେ। ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲୋଟିଛି ସାତ ସପନ। କିନ୍ତୁ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥାନ୍ତି ଓ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଏହି ଗାଁର ଅଧିବାସୀ ମାନେ ଲୁହଭିଜା ନୟନରେ ଓ ଆବେଗଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଛନ୍ତି। ଏକ ଛୋଟିଆ ଗାଁ ପାଣିଛତ୍ର ଯାହାର ଲୋକସଂଖ୍ୟା ପାଖାପାଖି ୧୦୦। ଚାରିପଟେ ଚାଷଜମି ମଧ୍ୟରେ ରହିଯାଇଛି ଏହି ଛୋଟିଆ ଗାଁ। ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ। ମୁଖ୍ୟ କେନାଲ ରାସ୍ତା ଠାରୁ ଲମ୍ବିଥିବା ମାଟି ରାସ୍ତାରେ ପ୍ରାୟ ୨କି.ମି ଗଲାପରେ ଏହି ଗାଁ ପଡ଼େ। ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ। ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ନୁହେଁ। ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ। ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି। ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି। ବଜାରକୁ ନ ଗଲେ ରୋଷେଇ ବନ୍ଦ, ପୁଣି କଲେଜକୁ ନ ଗଲେ ପାଠ ପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ। ଏହି ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ ତଥା କଲେଜକୁ ଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି। ବର୍ଷା ଋତୁ ରେ ଏହି ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ି ଥାଏ। ରାସ୍ତା ଅବସ୍ଥା ଯୋଗୁଁ ଏଠାକାର ପିଲାମାନେ ଠିକ୍ ଭାବେ ଶିକ୍ଷାଦାନ ପାଇପାରିନଥାନ୍ତି। ଏହି ଗାଁର ରୋଗୀମାନଙ୍କୁ ଖଟିଆରେ ବୁହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥାଏ। ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏହି ଗାଁର ପ୍ରାୟ ୨କି.ମି. ଦୂରରେ ରହିଥାନ୍ତି କାରଣ ଏହି ସଂକୀର୍ଣ୍ଣ ରାସ୍ତାରେ ଚାରିଚକିଆ ଗାଡ଼ି ଆସିବା ସମ୍ଭବପର ହୁଏ ନାହିଁ। ଏହି ପରି ଅସମ୍ଭବ ପରିସ୍ଥିତମାନ ଏହି ଗାଁ ଲୋକେ ସମ୍ମୁଖୀନ ହେଉଛନ୍ତି। ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥିଲେ ସୁଦ୍ଧା ତାହା ଆଜିଯାଏ କେବଳ ପ୍ରତିଶୃତିରେ ହିଁ ରହିଯାଇଛି ବୋଲି ଗ୍ରାମର ବୟସ୍କ ବ୍ୟକ୍ତି ଆମ ପ୍ରତିନିଧିଙ୍କୁ କହିଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ବିକାଶ ନାରାର ଡ଼ିଣ୍ଡିମ ପିଡ଼ୁଥିବା ବେଳେ ଆଜିବି ଲୋକେ ଗମନାଗମନର ସୁବିଧା ଉପଲବ୍ଧ କରି ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.