ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟରେ ଗୁରୁତର ଅବହେଳା , କର୍ତବ୍ୟରେ ଅସହଯୋଗ ଓ ନିର୍ବାଚନୀ ପ୍ରକ୍ରିୟାରେ ବାଧା ସୃଷ୍ଟି ଅଭିଯୋଗରେ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସହକାରୀ ଶିକ୍ଷକ ସପନ କୁମାର ନାୟକଙ୍କୁ ତତ୍କାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଶ୍ରୀ ନାୟକ ପିଏସଏସ୍ ନୋଡାଲ ହାଇସ୍କୁଲ, ଚନ୍ଦ୍ରକାଟବିନ୍ଧାର ସହକାରୀ ଶିକ୍ଷକ ହୋଇଥିବାବେଳେ ନବଗଠିତ ବୁଥ୍ ନଂ-୨୯, ମାଲପୁର, ୪୭-ଚାନ୍ଦବାଲି ବିଧାନସଭା କ୍ଷେତ୍ରର ବୁଥ୍ ଲେଭେଲ ଅଫିସର (ବିଏଲଓ) ଭାବେ ନିୟୋଜିତ ଥିଲେ। ଏସଆଇଆର-୨୦୨୬ କାର୍ଯ୍ୟ ସଫଳ ଭାବେ ସମ୍ପାଦନ ପାଇଁ ବିଏଲଓମାନଙ୍କର ଇରୋନେଟ୍ ପ୍ଲାଟଫର୍ମରେ ପଞ୍ଜୀକରଣ ଓ ବିଏଲଓ ଆପ୍ ସକ୍ରିୟ କରିବା ଆବଶ୍ୟକ ଥିବାବେଳେ ସେ ଏଥିପାଇଁ ଆବଶ୍ୟକ ଏପିକ୍ ବିବରଣୀ ଓ ଓଟିପ୍ ପ୍ରଦାନ କରିନଥିଲେ। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଓ ସମ୍ପୃକ୍ତ ଅଧିକାରୀମାନଙ୍କ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଶ୍ରୀ ନାୟକ ସହଯୋଗ କରିନଥିଲେ। ଏପରିକି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ଆବଶ୍ୟକ ତଥ୍ୟ ଉପଲବ୍ଧ କରାଇନଥିଲେ। ଫଳରେ ବିଏଲଓ ଆପ୍ ପରିଚୟପତ୍ର ସୃଷ୍ଟି ଓ ଏସଆଇଆର-୨୦୨୬ର ବୈଧ ନିର୍ବାଚନୀ ପ୍ରକ୍ରିୟା ଗୁରୁତର ଭାବେ ବ୍ୟାହତ ହୋଇଥିବା ଅଭିଯୋଗ ହୋଇଥିଲା । ନିଲମ୍ବନ ଅବଧିରେ ଶ୍ରୀ ନାୟକଙ୍କ ମୁଖ୍ୟାଳୟ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ରହିବ ଏବଂ ସେ କୌଣସି ପୂର୍ବାନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ ନିର୍ବାଚନୀ କାର୍ଯ୍ୟରେ ଅବହେଳା ଓ ଅସହଯୋଗକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।








