Home ଆମ ସଂସ୍କୃତି, କଳା ଓ ଐତିହ୍ୟ ନାମ ପୂଜାଫୁଲ, ପ୍ରେମ ପ୍ରସାଦ

ନାମ ପୂଜାଫୁଲ, ପ୍ରେମ ପ୍ରସାଦ

446

– ଶ୍ରୀ ଅଖଣ୍ଡ

ମହାପ୍ରଭୁ ସାରା ସଂସାରରେ ବ୍ୟାପି ରହିଛନ୍ତି। ଚରାଚର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଆମ ଭିତରେ ପ୍ରଭୁ। ବାହାରେ ମଧ୍ୟ ପ୍ରଭୁ। ମହାପ୍ରଭୁଙ୍କ କୃପାରୁ ହିଁ ଏ ସଂସାର ସୃଷ୍ଟି। ଆଉ ଉପରେ ପ୍ରଭୁ କୃପା କରିବା ପରେ ହିଁ ଆମେ ମଣିଷ ଭାବେ ଜନ୍ମ ନେଇଛେ। ମୃତ୍ୟୁ ପରେ ମଧ୍ୟ ଆମେ ତାଙ୍କରି ଦେହରେ ଲୀନ ହୋଇଯାଉଛେ। ପୁଣି ଧର୍ମ ଓ କର୍ମ ଅନୁସାରେ ନୂଆ ରୂପ ନେଉଛେ। ଭଗବାନଙ୍କ କୃପାକୁ ଆମେ ବ୍ୟର୍ଥରେ ଯିବାକୁ ଦେବା ନାହିଁ। ଆମେ ଏହାକୁ ସତ୍ ବ୍ୟବହାର କରି ସଂସାରରେ ସୁକର୍ମ କରି ସବୁକିଛି ପ୍ରଭୁଙ୍କୁ ହିଁ ସମର୍ପଣ କରିଦେବା। ଏଥିରେ ହିଁ ମାନବ ଜୀବନର ସାର୍ଥକତା। ପ୍ରଭୁ ହେଉଛନ୍ତି ଏଇ ଅଖିଳ ବ୍ରହ୍ମାଣ୍ଡର ନାଥ। ଏଠାରେ କେହି ଅନାଥ ନାହାନ୍ତି। କାରଣ ପ୍ରଭୁ ହେଉଛନ୍ତି ସମସ୍ତଙ୍କର ନାଥ। ସେ ହେଉଛନ୍ତି କରୁଣା ସାଗର। ତାଙ୍କର କରୁଣାରୁ ହିଁ ଆମ ଭଳି ଅନାଥ ମନେ କରୁଥିବା ଜୀବମାନେ ତାରଣ ହୋଇଥାନ୍ତି। ଧର୍ମ ହେଉଛି ମଣିଷ ବଂଚିବାର ମାର୍ଗ। ଧର୍ମର ସଂରକ୍ଷଣ ଓ ବିସ୍ତାରଣ ପାଇଁ ହିଁ ମହାପ୍ରଭୁ ଅବତାର ନେଇଥାନ୍ତି। ବୈକୁଣ୍ଠ ସେଇଠି, ଯେଉଁଠି ମୋ ପ୍ରଭୁ ଥାନ୍ତି। ଶ୍ରୀକ୍ଷେତ୍ର ବୈକୁଣ୍ଠ ପାଲଟିଯାଇଛି। କାରଣ ସେଠାରେ ହିଁ ସୁରେଶ୍ୱରଙ୍କର ବାସ। ଏହି ଅନୁଭବ କୋଟି କୋଟି ଜନତାଙ୍କୁ ହୋଇ ଆସିଛି ବହୁ ବହୁ ବର୍ଷ ଧରି। ପ୍ରଭୁଙ୍କ ମହିମାକୁ, ପ୍ରଭୁଙ୍କ କରୁଣାକୁ ଓ ପ୍ରଭୁଙ୍କ ପ୍ରେମକୁ ଅନୁଭବ କରନ୍ତୁ। ଆପଣଙ୍କ ହୃଦୟରେ ମନ୍ଥନ ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ସ୍ମରଣ କରି ହିଁ ତାଙ୍କର ଦର୍ଶନ କରିଥାନ୍ତି। ପ୍ରଭୁ ସମସ୍ତଙ୍କ ହୃଦୟରେ ବିରାଜମାନ କରିଛନ୍ତି। କିନ୍ତୁ ସମସ୍ତେ ତାହା ଅନୁଭବ କରିପାରନ୍ତି ନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ ନାମ ହେଉଛି ପ୍ରଭୁଙ୍କ ପାଇଁ ପୂଜାପୁଲ। ନାମ ନେଲେ ହିଁ ପ୍ରଭୁ ପୂଜାଫୁଲ ପାଇଥାନ୍ତି। ଏପଟେ ଆମକୁ ପରମାନନ୍ଦ ମିଳିଥାଏ। ମହାପ୍ରଭୁଙ୍କ ପ୍ରେମ ହିଁ ଆମ ପାଇଁ ମହାପ୍ରସାଦ। କାରଣ ମା ଲକ୍ଷ୍ମୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ବୋଲି ତାହାର ନାମ ମହାପ୍ରସାଦ। ତେଣୁ ମହାପ୍ରଭୁଙ୍କୁ ପ୍ରେମ କରୁଥିବା ଭକ୍ତ ଉପରେ ସବୁଠାରୁ ଅଧିକ ଖୁସୀ ହୋଇଥାନ୍ତି ମହାଲକ୍ଷ୍ମୀ। ଆମେ ପ୍ରଭୁଙ୍କ ନାମ ନେବା ସହ ତାଙ୍କୁ ପ୍ରେମ କରିବା ଉଚିତ୍। ଏହା ପ୍ରତ୍ୟେକ ମନୁଷ୍ୟର କର୍ତବ୍ୟ। କାରଣ ପ୍ରଭୁଙ୍କ ବିନା ଆମର ସତା ଅବା କେଉଁଠି ? ତାଙ୍କର ମହିମାର ଶେଷ ନାହିଁ ଓ ରୂପ ଅନୁପମ। ସଂସାରରେ କିଏ ବା ଅଛି, ଯେ ପ୍ରଭୁଙ୍କର ମହିମା ଅନୁଭବ କରିନାହିଁ। ସଂସାରରେ କିଏ ବା ଅଛି, ଯେ ପ୍ରଭୁଙ୍କ ରୂପରେ ବିମୋହିତ ହୋଇନାହିଁ। ସାରା ବିଶ୍ୱର ପ୍ରେମ ଧାମ ହିଁ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କରି ପ୍ରେମରସରେ ହିଁ ଆମର ଜୀବନ ସମ୍ଭବ ହୋଇଛି। ତାଙ୍କରି କୃପାରୁ ହିଁ ଆମେ ସଂସାରରେ ନିଜ ସଂସାର କରୁଛେ। ତାଙ୍କୁ ପ୍ରେମ କରି ହିଁ ଆମେ ସବୁ ଦୁଃଖ ଭୁଲି ଯାଉଛେ। ଶ୍ରଦ୍ଧାଳୁ ତାଙ୍କରି ଚରଣରେ ହିଁ ମଥା ଟେକେ। ପ୍ରଭୁଙ୍କୁ ଭଜନ କରେ ଓ ପ୍ରେମଭାବରେ ତାଙ୍କରି ସହିତ ଲୀନ ହୋଇଯାଏ। ଆସନ୍ତୁ ସମସ୍ତେ ସେହି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ, ମନନ କରିବା।

ଦୀକ୍ଷା ମିଶନ, ପିପିଲି, ପୁରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.