ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘର କୋଣ ରୁ ୨ ଗୋଟି ନାଗୁଣୀ ସହ ୨୭ ଟି ନାଗ ଛୁଆ ଉଦ୍ଧାର ହୋଇଛି। ଭଦ୍ରକ ର ସାପ ଧରାଳି ମିର୍ଜା ଆରିଫ୍ ଦ୍ୱାରା ୨ ଗୋଟି ବଡ଼ ନାଗ ସାପ ସହିତ ୨୭ଟି ଛୁଆ ଉଦ୍ଧାର କରିଛି। ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ବ୍ଲକ ଅଧିନସ୍ଥ ହରିପୁର ପଂଚାୟତର ଭଟ୍ଟପୁର ଗାଁରେ। ଏହି ଗାଁର ସନାତନ ବେହେରାଙ୍କ ଠାକୁର ଘର ପାଖରେ ଗୋଟିଏ ଗାତରେ ସାପ ଥିବା ଦେଖିଥିଲେ ତାଙ୍କ ପରିବାର ଲୋକେ। ତେଣୁ ସେମାନେ ଭୟଭୀତ ହୋଇ ସାପ ଧରାଳି ମିର୍ଜା ଆରିଫ ଙ୍କୁ ଫୋନ କରିଥିଲେ। ଖବର ପାଇ ମିର୍ଜା ଆରିଫ ସେଠାରେ ପହଂଚି ଥିଲେ। ତେବେ ସାପଟି ଘରର ଏକ କୋଣରେ ମାଟି କାନ୍ଥ ଫାଟକରେ ଅଣ୍ଡା ଦେଇ ଛୁଆ ଫୁଟାଇ ଥିବା ମିର୍ଜା ଦେଖିବାକୁ ପାଇଥିଲେ। ତେଣୁ ସେ ଓ ତାଙ୍କ ସହଯୋଗୀ କୌଶଳ କ୍ରମେ ପ୍ରଥମେ ଗୋଟିଏ ବଡ଼ ନାଗୁଣୀକୁ ଉଦ୍ଧାର ସହିତ ୨୭ ଗୋଟି ନାଗ ଛୁଆଙ୍କୁ ଉଦ୍ଧାର କରିଥିଲେ। ପରେ ସେହି ଘରେ ଅନ୍ୟ ଏକ କୋଣରୁ ଆଉ ଗୋଟିଏ ବଡ଼ ନାଗ କୁ ଧରିବାରେ ସକ୍ଷମ ହୋଇଥିଲେ ମିର୍ଜା ଆରିଫ। ଏହି ଘଟଣା ଜଣାପଡିବା ପରେ ସନାତନଙ୍କ ଘରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା। ତେବେ ସାପ ଧରାଳି ମିର୍ଜା ଆରିଫ ସବୁ ବଡ଼ ସାପ ଓ ଛୁଆଙ୍କୁ ସେଠାରୁ ଉଦ୍ଧାର କରି ବନ୍ୟପ୍ରାଣୀ ବିଭାଗ ଅଧିକାରୀଙ୍କ ସହାୟତାରେ ଜଙ୍ଗଲରେ ଛାଡିବାର ବନ୍ଦୋବସ୍ତ କରିଥିବାର ଜଣାପଡିଛି।








