Home ଜିଲ୍ଲା ପରିକ୍ରମା ନଦୀଗାଁରେ ପ୍ରସ୍ତାବିତ ମଦ ଦୋକାନକୁ ତିନି ପଂଚାୟତର ବିରୋଧ, ସ୍କୁଲ, ମନ୍ଦିର ଓ ଜନବସତି ନିକଟରେ...

ନଦୀଗାଁରେ ପ୍ରସ୍ତାବିତ ମଦ ଦୋକାନକୁ ତିନି ପଂଚାୟତର ବିରୋଧ, ସ୍କୁଲ, ମନ୍ଦିର ଓ ଜନବସତି ନିକଟରେ ଦୋକାନ ଖୋଲିବାକୁ ନେଇ ଜନଅସନ୍ତୋଷ

4

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅଧୀନ ନଦୀଗାଁ ପଂଚାୟତର ଠିକିଗଡିଆ ଠାରେ ଏକ ପ୍ରସ୍ତାବିତ ସରକାରୀ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଏହି ନିଷ୍ପତିକୁ ବିରୋଧ କରି ନଦୀଗାଁ, ଅର୍ଜୁନପୁର ଓ ଭଟସାହି ପଂଚାୟତର ସ୍ଥାନୀୟ ବାସିନ୍ଦା ଏକଜୁଟ ହୋଇଛନ୍ତି।ସୂଚନାଯୋଗ୍ୟ, ପୂର୍ବରୁ ହରିହଂସ ରାସ୍ତାରେ ଏହି ମଦ ଦୋକାନ ଖୋଲିବା ପାଇଁ ସରକାର ଲାଇସେନ୍ସ ଦେଇଥିଲେ, ମାତ୍ର ଚାରିଟି ପଞ୍ଚାୟତର ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ସେଠାରେ ଦୋକାନ ଖୋଲିବା ସମ୍ଭବ ହୋଇପାରି ନଥିଲା। ଏବେ ପୁଣିଥରେ ଏହି ଦୋକାନକୁ ନଦୀଗାଁ ପଂଚାୟତର ଠିକିଗଡିଆ ଠାରେ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଏହାକୁ ତିନି ପଂଚାୟତର ଶତାଧିକ ମହିଳା, ପୁରୁଷ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସିଆରପି ପ୍ରମୁଖ ବିରୋଧ କରିଛନ୍ତି।ରବିବାର ଦିନ ୩ ଟା ସମୟରେ ଆରଆଇ ଛକଠାରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ଏକ ଶୋଭାଯାତ୍ରାରେ ଯାଇ ଧୁଷୁରୀ ଥାନାରେ ଏହାର ଦୃଢ଼ ବିରୋଧ କରାଯାଇଛି। ସୁଚନା ଥାଉକି ପ୍ରସ୍ତାବିତ ସ୍ଥାନଟି ସମ୍ପୂର୍ଣ୍ଣ ନିୟମ ବାହାରେ। ମଦ ଦୋକାନଟି ଯେଉଁଠାରେ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି, ତା’ ନିକଟରେ ସ୍କୁଲ, ମନ୍ଦିର, ଅଙ୍ଗନବାଡି କେନ୍ଦ୍ର, ଆରଆଇ ଅଫିସ ଏବଂ ସମ୍ପୂର୍ଣ୍ଣ ଜନବସତି ରହିଛି। ଏପରି ସ୍ଥାନରେ ମଦ ଦୋକାନ ଖୋଲିଲେ ସାମାଜିକ ବାତାବରଣ ଦୂଷିତ ହେବା ସହ ଶିକ୍ଷାର୍ଥୀ ଓ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ତେବେ ଏଭଳି ସମ୍ବେଦନଶୀଳ ସ୍ଥାନରେ କେଉଁ ପରିସ୍ଥିତିରେ ପ୍ରଶାସନ ଅନୁମତି ଦେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।ଏହି ପ୍ରତିବାଦ ସଭାରେ ନଦୀଗାଁ ସରପଂଚ ଝରଣା ମାଝୀ, ପୂର୍ବତନ ସରପଂଚ ନିରଂଜନ ମାଝୀ, ଭଟସାହି ସରପଂଚ ସୀତାକାନ୍ତ ମିଶ୍ର, ପୂର୍ବତନ ସରପଂଚ ଦୟାନିଧି ମିଶ୍ର, ରାମଚନ୍ଦ୍ର ବେହେରା, ହେମନ୍ତ ସୂତାର, ହରିହର ବେହେରା, ଉପେନ୍ଦ୍ର ବେହେରା, ଗିରିଶ ବାରିକ ଓ ରବୀନ୍ଦ୍ର ବାରିକ ପ୍ରମୁଖ ନେତୃତ୍ୱ ନେଇଥିଲେ। ପ୍ରଶାସନ ଯଦି ଏହି ନିଷ୍ପତିରୁ ଓହରି ନଆସେ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.