Home ଓଡ଼ିଶା ନକଲି ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ

ନକଲି ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ

924

ମାଲକାନଗିରି, ୩୧ା୩ (ଓଡିଆ ପୁଅ )ନକଲି ବିଇଡି ସାର୍ଟିଫିକେଟ ଦାଖଲକରି ଶିକ୍ଷାବିଭାଗରେ ନିଯୁକ୍ତି ପାଇଥିବା ମାଲକାନଗିରି ଜିଲ୍ଲାର ଜଣେ ଶିକ୍ଷକଙ୍କୁ ମାଲକାନଗିରି ପୁଲିସ ଗିରଫକରି କୋର୍ଟଚାଲାଣ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅନେକ ଶିକ୍ଷକ ନକଲି ସି.ଟି, ବିଇଡି ପ୍ରମାଣ ପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଏ ସଂପର୍କରେ ଖୋଳତାଡ ଆରମ୍ଭ ହୋଇଯାଇଛି।ଏହି ଖୋଳତାଡରେ ଜଣେ ଶିକ୍ଷକ ଙ୍କ ବିଇଡି ପ୍ରମାଣପତ୍ର ନକଲି ଥିବାର ଜଣାପଡିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାହାର ତଦନ୍ତ ଚାଲିଥିଲା। ଗତ ଗତ ଦୁଇଦିନ ତଳେ ସେହି ସାର୍ଟିଫିକେଟ ନକଲି ବୋଲି ପ୍ରମାଣ ମିଳିବାପରେ ସଂପୃକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ମାଲକାନଗିରି ଥାନାସ୍ଥ ଝରାପାଲି ପଞ୍ଚାୟତ ନିକଟବର୍ତି ମୁରିଆପାଲ୍ଲି ପ୍ରାଥମିକ ବିଦ୍ୟାଳୟରେ ଗତ ୨୦୧୮ ମସିହାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ପୁରୀ ଜିଲ୍ଲା କାକଟପୁର ଗୋପ ଅଞ୍ଚଳର ଶିଦ୍ଧାର୍ଥ ଶଙ୍କର ମହାପାତ୍ର ଚାକିରି ସମୟରେ ଦେଇଥିବା ବିଇଡି ପ୍ରମାଣ ପତ୍ରଟି ନକଲି ବୋଲି ଜଣାପଡିବା ପରେ ତାହାର ତଦନ୍ତ ଆରମ୍ଭ କରାଯାଇଥିଲା। ସେ ଦାଖଲ କରିଥିବା ସାର୍ଟିଫିକେଟ ଟି ଝାସିଂ ର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ତାହା ଅସଲିକି ନକଲି ବୋଲି ଜାଣିବା ପାଇଁ ଜିଲ୍ଲାପ୍ରାଶାସନ ସେହି ବିଶ୍ୱବିଦ୍ୟାଳୟକୁ ଉକ୍ତ ସାର୍ଟିଫିକେଟର ନକଲ ପଠାଇଥିଲେ, ସେହି ସାର୍ଟିଫିକେଟ ଇସୁ କରା ଯାଇଥିବା ନାମରେ କୌଣସି ପିଲା ସେଠାରେ ପାଠପଡି ନାହାନ୍ତି ତାହା ନକଲି ବୋଲି ସେଠାରୁ ଉତ୍ତର ଆସିଲାପରେ ଶିକ୍ଷକ ଶ୍ରୀ ମହାପାତ୍ର ଙ୍କ ନାମରେ ମାଲକାନଗିରି ଥାନାରେ ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ମାଲକାନଗିରି ଆଇଆଇସି ରଂଜନକୁମାର ସାହୁ ଏହାର ତଦନ୍ତ ଆରମ୍ଭ କରିଦେଇଥିଲେ। ନକଲି ବିଇଡି ପ୍ରମାଣପତ୍ର ଦାଖଲକରି ଚାକିରି କରିବା ଅଭିଯୋଗରେ ମୁରିଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟକ ଶ୍ରୀ ମହାପାତ୍ର କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏହି ଘଟଣାପରେ ବିରି ମାଡରେ କୋଳଥ ଚୋପା ହେବାପରି ନକଲି ପ୍ରମାଣ ପତ୍ର ଦାଖଲ କରି ଚାକିରି ପାଇଥିବା ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମହଲରେ କୁକୁଆ ଭୟ ସୃଷ୍ଟି ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଶିକ୍ଷାବିଭାଗରେ ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସିଟି ଓ ବିଇଡି ପ୍ରମାଣ ପତ୍ରଗୁଡିକ ରାଜ୍ୟ ବାହରର ହୋଇଥିବା ବେଳେ ଅଧିକାଂଶ ସାର୍ଟିଫିକେଟ ନକଲି ଥିବାର ସନ୍ଦେହ କରାଯାଉଛି। ତାହାର ବିଧି ବଦ୍ଧଭାବେ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.