Home ଜିଲ୍ଲା ପରିକ୍ରମା ଧାମରା ଓ ଚାନ୍ଦବାଲି ଭଦ୍ରକର ସଂସ୍କୃତି ଓ ଅର୍ଥନୀତିର ମେରୁଦଣ୍ଡ, ଭଦ୍ରକ ବୈଶାଖୀ ମେଳାର ଚତୁର୍ଥ...

ଧାମରା ଓ ଚାନ୍ଦବାଲି ଭଦ୍ରକର ସଂସ୍କୃତି ଓ ଅର୍ଥନୀତିର ମେରୁଦଣ୍ଡ, ଭଦ୍ରକ ବୈଶାଖୀ ମେଳାର ଚତୁର୍ଥ ସନ୍ଧ୍ୟା

7

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ସଂସ୍କୃତି ଓ ଅର୍ଥନୀତି ସହିତ ସମୁଦ୍ରର ସମ୍ପର୍କ ଅବିଚ୍ଛେଦ୍ୟ। ଭଦ୍ରକର ପରିଚୟ ଅତୀତର ସମୁଦ୍ର ଗର୍ଜନ ଓ ପାଲଟଣା ବୋଇତ-ବହିତ୍ର ସହିତ ଗଭୀର ଭାବେ ଜଡ଼ିତ। ବୈତରଣୀ ଓ ମନ୍ତେଇ ନଦୀର ସଂଗମ ସ୍ଥଳରେ ଅବସ୍ଥିତ ଚାନ୍ଦବାଲି କେବଳ ଏକ ବନ୍ଦର ନଥିଲା, ବରଂ ଏହା ଥିଲା ବ୍ରିଟିଶ ଶାସନ କାଳରୁ ଏକ ପ୍ରମୁଖ ବାଣିଜ୍ୟିକ ପ୍ରବେଶ ପଥ। ସେହିପରି ଧାମରା ନିଜର ପ୍ରାକୃତିକ ପରିବେଶ ଓ ଗଭୀର ସମୁଦ୍ର ଯୋଗୁଁ ଆଜି ମଧ୍ୟ ବିଶ୍ୱ ଅର୍ଥନୈତିକ ମାନଚିତ୍ରରେ ଶକ୍ତିଶାଳୀ କେନ୍ଦ୍ର ଭାବେ ଉଭା ହୋଇଛି। ସେହିପରି ବାସୁଦେବପୁର ଅଂଚଳ ଏକଦା ଉତ୍କୃଷ୍ଟ ମାନର ଲବଣ ଉତ୍ପାଦନ ପାଇଁ ପ୍ରସିଦ୍ଧ ଥିଲା। ସମୁଦ୍ର ପଥରେ ଏହି ଲବଣ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା, ଯାହା ସ୍ଥାନୀୟ ବ୍ୟବସାୟୀଙ୍କୁ ସ୍ୱାବଲମ୍ବୀ କରିଥିଲା। ଭଦ୍ରକର ନୌବାଣିଜ୍ୟ କେବଳ ଏକ ବ୍ୟାବସାୟିକ କାରବାର ନୁହେଁ, ଏହା ଓଡ଼ିଆ ସାସ୍କୃତିକ ଅଭ୍ୟୁଦୟର ସ୍ମାରକୀ। ଭଦ୍ରକର ମାଟି ଓ ପବନରେ ଆଜି ମଧ୍ୟ ସେହି ସାମୁଦ୍ରିକ ଐତିହ୍ୟର ସୁବାସ ବାରି ହୋଇପଡ଼େ। ଏହା ଆମ ପାଇଁ ଗର୍ବ ଏବଂ ଭବିଷ୍ୟତ ଅର୍ଥନୀତି ପାଇଁ ଏକ ସଶକ୍ତ ଆଧାର ବୋଲି ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଓଡ଼ିଶା ସଂସ୍କୃତି ଓ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଥମ ବୈଶାଖୀ ମେଳାର ଚତୁର୍ଥ ସନ୍ଧ୍ୟାରେ ଅତିଥି ମତବ୍ୟକ୍ତ କରିଛନ୍ତି। ସାହିତ୍ୟିକ ଡା. ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟ ଆଜିର ସନ୍ଧ୍ୟା ଏକ ବୌଦ୍ଧିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ‘ନୌବାଣିଜ୍ୟ ଇତିହାସରେ ଧାମରା-ଚାନ୍ଦବାଲି’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଯୋଗଦେଇ ପ୍ରାଚୀନ କାଳରୁ ଭଦ୍ରକ ଜିଲ୍ଲାର ଧାମରା, ବାସୁଦେବପୁର ଓ ଚାନ୍ଦବାଲି ଅଂଚଳ ବିଶ୍ୱ ବାଣିଜ୍ୟ କାରବାରର ଏକ ପ୍ରମୁଖ କେନ୍ଦ୍ର ଭାବେ ଖ୍ୟାତି ଅର୍ଜନ କରିଆସିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଗାଳ୍ପିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ନିଜର ବକ୍ତବ୍ୟରେ ଧାମରା ଓ ଚାନ୍ଦବାଲି ବନ୍ଦରର ପୁରାତନ ଇତିହାସ ଓ ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ରୋଟାରୀଆନ ଅଶୋକ ମହାନ୍ତି ଯୋଗଦେଇ ସାଂସ୍କୃତିକ ଜାଗରଣରେ ଏଭଳି ମେଳାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ୍ ଦୁଃଶାସନ ରାଉତ, ଶିକ୍ଷାବିତ୍ ଶ୍ରୀଯୁକ୍ତ ଅମୂଲ୍ୟ ରାଉତ ପ୍ରମୁଖ ଯୋଗଦେଇ ଗୌରବମୟ ନୌବାଣିଜ୍ୟ ପରମ୍ପରା ଉପରେ ସବିଶେଷ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତ୍ୟାଗଭୂମି ସଭାପତି ଅଜୟ ନାୟକ, ତ୍ୟାଗଭୂମି ସମ୍ପାଦକ ଅଧିବକ୍ତା ଗଦାଧର ବଳ, ଗୌରାଙ୍ଗ ଚନ୍ଦ୍ର ବାରିକ,ନାରାୟଣ ପାଢି, ବିପ୍ଳବ ହୋତା,ମଦନ ମୋହନ ନାୟକ, ଶରତ ଜେନା, ଗୀତାରାଣୀ ଆଇଚି, ଆଞ୍ଜୁବାଳା ନାୟକ, ସଂଯୁକ୍ତା ମିଶ୍ର, ବୈଲୋଚନ ବେହୁରିଆ, ସୁଚିତ୍ରା ପାଣିଗ୍ରାହୀ, ଉପେନ୍ଦ୍ର ବାରି, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ସୁଧାକର ରାଉତ, ଶାନ୍ତକୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମେଳା କମିଟି ସଦସ୍ୟ ପଦ୍ମନ ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ବାବୁଲାଲ ଦାସ ମଂଚ ଆହ୍ୱାନ କରିଥିଲେ। ଅନ୍ୟତମ ସଦସ୍ୟ ନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନେଶ୍ୱରର ପ୍ରସିଦ୍ଧ ସାଇ ନୃତ୍ୟ ଏକାଡେମୀ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.