Home ଜିଲ୍ଲା ପରିକ୍ରମା ଧାମରାରେ ଲକ୍ଷପତି ହେବା ମାୟାରେ ଯୁବଗୋଷ୍ଠୀ, ଜାଲ ଟଙ୍କାର ରାସ୍ତା ଧାମରାରୁ କେନ୍ଦ୍ରାପଡା

ଧାମରାରେ ଲକ୍ଷପତି ହେବା ମାୟାରେ ଯୁବଗୋଷ୍ଠୀ, ଜାଲ ଟଙ୍କାର ରାସ୍ତା ଧାମରାରୁ କେନ୍ଦ୍ରାପଡା

23

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଟିପତି ହେବା ମାୟାରେ ଯୁବଗୋଷ୍ଠୀ କେମିତି ରାତାରାତି ନିଜର ଅସଲ ଟଙ୍କା ଦେଇ ଡବଲ ଜାଲ ଟଙ୍କା ଆଣି ବେପାର କରି ମାଲେ ମାଲ ହେବେ ସେ ନେଇ ଚାଲିଛି ଷଡଯନ୍ତ୍ର ।ଏହି ଷଡଯନ୍ତ୍ରରେ ଶିକାର ହୋଇ କିଛି ଯୁବକ ସଫଳ ହୋଇଥିବା ବେଳେ କିଛି ଯୁବକ ବିଫଳ ହୋଇ ସ୍ଥାନୀୟ ଯୁବକଙ୍କ ଶରବ୍ୟର ଶିକାର ହୋଇ ଫାଇନ ଦେଇ ଆସୁଥିବା ନଜରକୁ ଆସିଛି । ଏହି ଜାଲଟଙ୍କାର ଚେର ଧାମରାରୁ ଆରମ୍ଭ ହୋଇ କେନ୍ଦ୍ରପଡା ଜିଲ୍ଲାର ତାଳଚୁଆ ପର୍ଯ୍ୟନ୍ତ ଲମ୍ବିଥିବା ଜଣାଯାଇଛି । ନିକଟରେ ଧାମରା ପଂଚାୟତର ଜଣେ ଯୁବକ ଚିଙ୍ଗୁଡି ଚାଷ କରି ପ୍ରାପ୍ୟ ହୋଇଥିବା ନିଜର ଟଙ୍କାକୁ ଜାଲ ଟଙ୍କା ଗୋଷ୍ଠୀର ଯୁବକଙ୍କ ହାବୁଡରେ ପଡି ଟଙ୍କା ହାତେଇବା ଦୂରର କଥା ନିଜର କଷ୍ଟ ଅର୍ଜିତ ଲକ୍ଷାଧିକ ଟଙ୍କା ସ୍ଥାନୀୟ ଯୁବକଙ୍କୁ ଦେବା ସହ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଅଟକ ହୋଇ ରହିବା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସମସ୍ତ ଘଟଣା ପୁଲିସ ଜାଣତରେ ଚାଲିଛି ବୋଲି ଅଂଚଳରେ ମଧ୍ୟ ଚର୍ଚ୍ଚା । ଖବରରୁ ଜଣାଯାଇଛି ଧାମରା ପଂଚାୟତର ଝାଡକାଟି ଗ୍ରାମର ଜଣେ ଯୁବକ ଲକ୍ଷପତି ହେବା ମାୟାରେ ପ୍ରଥମେ ନିଜ ମଉଷା(ଦଲାଲ)ଙ୍କ ସହ କଥା ହୋଇ ବେପାର କେମିତି ହେବ ଏବଂ କେତେଟଙ୍କା କାହାକୁ ଦେଲେ କେତେ ଟଙ୍କା ମିଳି ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ପ୍ରଥମ ପଦକ୍ଷେପ ସ୍ୱରୂପ ସେ କିଛି ଅସଲି ଟଙ୍କା ନେଇ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ନିଜ ମଉଷାଙ୍କ ଦ୍ୱାରା ଦ୍ୱିଗୁଣୀତ ଜାଲ ଟଙ୍କା ଆଣି ଧାମରାରେ ଚଳାଇ ପାରିଥିଲେ ।ଏହି ବେପାରରୁ ସେ ପ୍ରଥମ କିସ୍ତିରେ ଲାଭବାନ ହେବା ପରେ ପୁନଶ୍ଚ ଦ୍ୱିତୀୟ କିସ୍ତି ଜାଲ ଟଙ୍କା ବେପାର କରିବାକୁ ପୁନଶ୍ଚ ନିଜ ମଉଷାଙ୍କ ସହ କଥା ହୋଇଥିଲେ । ଶେଷରେ ୫୦ହଜାର ଟଙ୍କା ନେଇ ତାଳଚୁଆ ଅଭିମୁଖେ ଯାତ୍ରା କରିଥିଲେ । ଦଲାଲ ତଥା ନିଜ ମଉଷାଙ୍କ କଥାନୁଯାୟୀ ରାତିରେ ସେଠାରେ ରହିବା ସହ ରାତି ସମୟରେ ଅସଲି ଟଙ୍କା ମଉଷାଙ୍କୁ ଦେଇଥିଲେ । ମଉଷା ଟଙ୍କା ନେବାକୁ ଅମଙ୍ଗ ହେବା ସମୟରେ ଆଗରୁ ଗୁପ୍ତ ମନ୍ତ୍ରଣା କରି ରଖିଥିବା କିଛି ସ୍ଥାନୀୟ ଯୁବକ ସେଠାରେ ପହଂଚି ୫୦ହଜାର ଟଙ୍କା ସଂପୃକ୍ତ ଯୁବକଙ୍କ ପାଖରୁ ଜୋର ଜବରଦସ୍ତ ହାତେଇ ନେଇଥିଲେ ।

ଏବଂ ଏ ବିଷୟରେ କାହାକୁ କିଛି ଅଭିଯୋଗ କରିବା ପୂର୍ବରୁ ଧାମରା ଅଂଚଳରୁ ଯାଇଥିବା ସଂପୃକ୍ତ ଯୁବକଙ୍କୁ ଗୋଟିଏ ନିଛାଟିଆ ଘରେ ପୂରାଇ ରଖିବା ସହ ଯୁବକଙ୍କ ଘରକୁ ଏ ବିଷୟରେ ଖବର ଦେଇଥିଲେ । ଏଥିସହ ସଂପୃକ୍ତ ଯୁବକ ପୁନଶ୍ଚ ୮୦ହଜାର ଟଙ୍କା ନଦେଲେ ସ୍ଥାନୀୟ ଯୁବକ ତାଳଚୁଆ ଥାନାରେ ଜଣାଇଦେବେ ବୋଲି ଧମକ ଦେଇଥିଲେ । ଧାମରା ଯୁବକଙ୍କ ଘରେ ଏହି ଖବର ପାଇବା ପରେ ସଂପୃକ୍ତ ଯ୍‌ୁବକଙ୍କ ବାପା ପୁନଶ୍ଚ ହାତଉଦ୍ଧାର ଆଣି ୫୦ହଜାର ଟଙ୍କା ନେଇ ତାଳଚୁଆ ଯାଇ ସେଠାରେ ଦଲାଲ ମାନଙ୍କୁ ନେହୁରା ହୋଇ ଏତିକି ଟଙ୍କା ନେବା ପାଇଁ ଗୁହାରୀ କରିଥିଲା ଏବଂ ପୁଲିସରେ ଏବିଷୟରେ ଅଭିଯୋଗ କରନ୍ତୁ ନାହିଁ ବୋଲି ମଧ୍ୟ ନେହୁରା ହୋଇଥିଲା । ଫଳରେ ସ୍ଥାନୀୟ ଯୁବଗୋଷ୍ଠୀ ୫୦ହଜାର ଟଙ୍କା ନେଇ ସଂପୃକ୍ତ ଯୁବକକୁ ନିଜର ବାପାକୁ ହସ୍ତାନ୍ତରିତ କରିଥିଲେ । ବାପପୁଅ ଅନ୍ୟ ଉପାୟ ନପାଇ ଧାମରାକୁ ଫେରିଥିଲେ ।ଦିନକୁ ଦିନ ଧାମରା ଅଂଚଳରେ ଜାଲ ଟଙ୍କା ଦଲାଲ ହାତ ଛପେଇ କରି ଅସଲି ଟଙ୍କାକୁ ଦ୍ୱିଗୁଣିତ କରିଦେବେ ବୋଲି କହି ମଧ୍ୟ ଅସଲି ଟଙ୍କା ହାତେଇ ନେଇ ଜାଲ ଟଙ୍କା ଦେଉଥିବା ଖବର ମଧ୍ୟ ହସ୍ତଗତ ହୋଇଛି । ଏହି ସମସ୍ତ ଜାଲ ଟଙ୍କା ବ୍ୟବସାୟ ଧାମରା,ଦୋସିଙ୍ଗା ଏବଂ ଜାଗୁଳା ପଂଚାୟତରେ ଚାଲିଥିବା ବେଳେ ଏହି ଖବର ମଧ୍ୟ ପୁଲିସର ହସ୍ତଗତ ହୋଇଥିବା କଥା ଏକ ଅସମର୍ଥିତ ସୂତ୍ରରୁ ଜାଣିବାକୁ ମିଳିଛି । ସମସ୍ତ ଖବର ମିଳିବା ପରେ କେଉଁ ପରିସ୍ଥିତିରେ ପୁଲିସ ପ୍ରଶାସନ ନୀରବ ରହୁଛି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ହୋଇପଡିଛି । ତୁରନ୍ତ ଏହି ଜାଲ ଟଙ୍କା ମାଫିଆଙ୍କ ଗିରଫ କରିବାକୁ ସର୍ବସାଧାରଣରେ ଦାବୀ ହୋଇଥିବା ବେଳେ ପୁଲିସ ଅଧିକାରୀମାନଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.