Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରାର୍ଥୀ ସଂରକ୍ଷଣ ତାଲିକା, ବହୁ ଆଶୟୀ ହାତଯୋଡ଼ି ବସିବେ

ଧାମନଗର ବ୍ଲକ- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରାର୍ଥୀ ସଂରକ୍ଷଣ ତାଲିକା, ବହୁ ଆଶୟୀ ହାତଯୋଡ଼ି ବସିବେ

56

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଚିଠା ସଂରକ୍ଷଣ ତାଲିକା ଇତିମଧ୍ୟରେ ପ୍ରକାଶ ପାଇବା ପରେ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି । ଏହି ସଂରକ୍ଷଣ ତାଲିକାରେ ମହିଳାଙ୍କ ଲାଗି ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବାବେଳେ ପଛୁଆ ବର୍ଗଙ୍କ ପାଇଁ ୨୮ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷିତ ରଖାଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ଥିବା ପଂଚାୟତ ମାନଙ୍କରେ ଆଶୟୀ ପଛୁଆବର୍ଗ ଓ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ କିଛିଟା ଅସୁବିଧା ରହୁଛି । ବ୍ଲକର ଅଧ୍ୟକ୍ଷ ପଦ ସଂରକ୍ଷିତ ହୋଇ ଅନୁସୂଚିତ ଜାତି ମହିଳାବର୍ଗ ହୋଇଥିବାରୁ ବିଭିନ୍ନ ଦଳର ମୁଣ୍ଡିଆଳଙ୍କ ପାଇଁ ମୁଣ୍ଡବ୍ୟାଥର କାରଣ ହୋଇଛି । ଧାମନଗରରେ ୧୧ ଓ ୧୨ନଂ ଜିଲ୍ଳା ପରିଷଦ ଜୋନ୍ ଜୋନ୍‌କୁ ଛାଡ଼ି ୧୦ ଏବଂ ୧୩ନଂ ଜିଲ୍ଳାପରିଷଦ ଜୋନ୍ ପଛୁଆବର୍ଗ ଏବଂ ଅନୂସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପୁରୁଖା ରାଜନୈତିକ ବ୍ୟକ୍ତି ଚିନ୍ତିତ ଅଛନ୍ତି । କଟସାହି, କୋଠାର, ବୟାଂଡ଼ିହ ପଂଚାୟତ ସରପଂଚ ପଦ ଅନୁସୂଚିତ ଜାତି ମହିଳା ଓ ଭଗବାନପୁର ପଂଚାୟତ ସରପଂଚ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଏଠାରେ ପୂର୍ବରୁ କ୍ଷମତାରେ ଥିବା ସରପଂଚଙ୍କ ସମେତ ବହୁ ଆଶାୟୀଙ୍କ ଆଶା ଧୂଳିସାତ ହେବାସହ କିଛି ଆଶାୟୀ ନେତା ଅଦାଲତକୁ ଗଲେଣି । କଲ୍ୟାଣୀ,ଖଡ଼ିପଦା, ନଦୀଗାଁ ପଂଚାୟତ ସରପଂଚ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହେତୁ ଏଠାରେ ଆଶାୟୀ ପ୍ରାର୍ଥୀମାନେ ହତୋତ୍ସାହ ହୋଇପଡ଼ିଛନ୍ତି । ସେହିପରି କଲ୍ୟାଣୀ, କଟସାହି, କୋଠାର, ଖଡ଼ିପଦା, ଦଳାଙ୍ଗ, ନଦୀଗାଁ, ବୟାଡ଼ିହ, ଭଗବାନପୁର ଆଦି ପଂଚାୟତର ସମିତିସଭ୍ୟ ପଦ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବାରୁ ବଡ଼ପଣ୍ଡା ହେବାକୁ ଆଶା ରଖିଥିବା ବହୁ ନେତା ଓ ସଂଗଠକ ମାନେ ମନମାରି ବସିଛନ୍ତି ।

ବିଶେଷ କରି ସଂରକ୍ଷଣ କ୍ଷେତ୍ରରେ ଭଗବାନପୁର, କଟସାହି, କଲ୍ୟାଣୀ, କୋଠାର, ଖଡ଼ିପଦା, ଦଳାଙ୍ଗ, ନଦୀଗାଁ, ବୟାଂଡ଼ିହ ଆଦି ପଂଚାୟତର ୨ଟି ଯାକ ଆସନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବାରୁ ଏହା ରାଜନୈତିକ ଆକ୍ରୋଶ ପୂର୍ବକ ପୂର୍ବ କଳ୍ପିତ ଯୋଜନା ଅନୁସାରେ ସ୍ଥିର କରାଯାଇଛି ବୋଲି ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ କ୍ଷୋଭର ସହ କହିଛନ୍ତି । ସେହିପରି ଗଢିଆଳି, ଦୋବଲ, ପଧାନୀ, ଫତେପୁର, ବମକୁରା, ଭଟସାହି, ମୁସ୍ତଫାପୁର, ରଇପୁର, ରାଧାବଲ୍ଲଭପୁର, ସରେଇ ଚୁଡ଼ାକୁଟି, ସୋହଡ଼ା, ହସନାବାଦ ଇତ୍ୟାଦି ପଂଚାୟତରେ ଉଭୟ ଆସନ ଅସଂରକ୍ଷିତ ଥିବାରୁ ସେ ଅଂଚଳର ନେତା ଓ ଆଶୟୀମାନେ ଖୁସ୍‌ିଥିବା ଜଣାଯାଇଛି । ତେବେ ୨୦୨୨ ମସିହା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦପାଇଁ ସଂରକ୍ଷଣ ତାଲିକା କାହାପାଇଁ ଅଭିଶାପ ହୋଇଥିଲେ ହେଁ କିଛି ନେତା ଓ ସଂଗଠକଙ୍କ ପାଇଁ ବରଦାନ ସଦୃଶ ହୋଇଥିବାବେଳେ ଅନ୍ୟକିଛି ନେତା ସଉତୁଣି ବଦଳା ନେଲାପରି ଆତ୍ମସନ୍ତୋଷ ଲାଭ କରୁଛନ୍ତି । ଧାମନଗର ବ୍ଲକରେ କ୍ଷମତାସୀନ ଦଳର ଅର୍ନ୍ତକଳହ ଦୂର ସହ ବିରୋଧି ବିଜେପି ଦଳର ପତିଆରା ହ୍ରାସ ପାଇଁ ଏହି ସଂରକ୍ଷଣ ପ୍ରକ୍ରିୟା ବ୍ରହ୍ମବାଣ ବୋଲି ରାଜନୈତିକ ସମୀକ୍ଷକ ଓ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଥିବା ଜଣାଯାଇଛି । ତେବେ ପଂଚାୟତ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ବ୍ଲକ ସ୍ତରୀୟ ମଙ୍ଗୁଆଳ ଖୋଜା ଚାଲିଥିବାବେଳେ ପାରିବା ପଣିଆଥିବା ନେତାମାନେ ପଛଘୁଂଚା ଦେଉଥିବା ଜଣାଯାଇଛି । ବିଶେଷ କରି ଅଧ୍ୟକ୍ଷା ପଦପାଇଁ ଶାସକ ଦଳପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଥିବାବେଳେ ବିଜେପି ଟିକିଏ ଧିମେଇ ଥିବାବେଳେ କଂଗ୍ରେସ ସମ୍ପୁର୍ଣ୍ଣ ଭାବରେ ପଛରେ ପଡ଼ିଛି । ତେବେ ୨୬ତାରିଖ ପରେ ବାତାବରଣ ସମ୍ପୁର୍ଣ୍ଣ ଭାବରେ ଅଲଗା ହୋଇପାରେ ବୋଲି କେତେକ ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି । ତେବେ ଯାହା ହେଉନା କାହିଁକି ଧାମନଗର ବ୍ଲକ ଭଦ୍ରକ ଜିଲ୍ଲା ତଥା ରାଜ୍ୟର ଏକ ଚର୍ଚ୍ଚିତ ବ୍ଲକ ଭାବରେ ପରିଚିତ । ଏହାକୁ ନେଇ ସବୁ ରାଜନୈତିକ ଦଳର ନେତାମାନଙ୍କର ମଧ୍ୟ ଆଖି ଏହି ବ୍ଲକ ଉପରେ ରହୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.