Home ଜିଲ୍ଲା ପରିକ୍ରମା ଧାମନଗର ଥାନା ପରିସରରେ ଆଖଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା

ଧାମନଗର ଥାନା ପରିସରରେ ଆଖଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା

10

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ହି ଜିଲାର ଧାମନଗର ଥାନା ପରିସରରେ ନବନିର୍ମିତ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ଉତ୍ସବ ସୋମବାର ପୂର୍ଣ୍ଣାହୁତି ସହ ଉଦ୍‌ଯାପିତ ହୋଇଥିଲା। ଥାନା ଅଧିକାରୀ ସୁବ୍ରଜିତ ଦାସ ଓ ତାଙ୍କ ପତ୍ନୀ ରଶ୍ମିତା ଦାସ କର୍ତା ଭାବେ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଥମ ଦିନ ଅଧିବାସ, କଳସ ଶୋଭାଯାତ୍ରା ଓ ବିଭିନ୍ନ ବୈଦିକ ନୀତିକାନ୍ତି ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ଦିନ ହରିନାମ ସଙ୍କୀର୍ତନ, ଭଜନ ଓ ବେଦମନ୍ତ୍ର ଧ୍ୱନି ମଧ୍ୟରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ଶେଷଦିନ ଯଜ୍ଞ, ହୋମ, ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ସହ ଉତ୍ସବର ସମାପନ ହୋଇଥିଲା। ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ବାମନ ଚରଣ ତ୍ରିପାଠୀ ଓ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ସମସ୍ତ ବୈଦିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପିତାମ୍ବର ଅଗସ୍ତି, ଅଭୟ ପଣ୍ଡା, କାର୍ତିକ ଚନ୍ଦ୍ର ପଣ୍ଡା, ବିପ୍ଳବ ପଣ୍ଡା ଓ ବିଦ୍ୟାଧର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଉତ୍ସବର ଶେଷଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଡ଼ା. ସଞ୍ଜୟ କୁମାର ଦାସ, ଭଦ୍ରକ ଏସ୍‌ପି ମନୋଜ କୁମାର ରାଉତ, ଏଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଏସ୍‌ଡିପିଓ ବିଷ୍ଣୁ ଚରଣ ବାରିକ, ତହସିଲଦାର ଜ୍ଞାନରଞ୍ଜନ ସାହୁ, ବିଡିଓ ବନବିହାରୀ ଦିଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଉତ୍ସବ ଅବସରରେ ଥାନା ପରିସର ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.