ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟାରେ ଧାମନଗରରୁ ସାମ୍ନାକୁ ଆସିଛି ଗୁରୁତର ଅସଙ୍ଗତି। ଶୁଣାଣି ପାଇଁ ନୋଟିସ ପ୍ରସ୍ତୁତ ହେଲା, ତାରିଖ ଧାର୍ଯ୍ୟ ହେଲା; କିନ୍ତୁ ୪୭୬୩ଟି ମାମଲାରେ ଶୁଣାଣି ତାରିଖ ଅତିକ୍ରାନ୍ତ ହେବା ପରେ ନୋଟିସ୍ ପହଂଚିଥିବା ତଥ୍ୟ ପ୍ରକ୍ରିୟାର ସମୟବଦ୍ଧତା ଉପରେ ବଡ଼ ପ୍ରଶ୍ନ ଉଠାଇଛି।ବିଭାଗୀୟ ରିପୋର୍ଟ ଅନୁଯାୟୀ, ଧାମନଗରର ୩୨୭ଟି ପାର୍ଟ ପାଇଁ ମୋଟ ୩୩,୭୦୬ଟି ନୋଟିସ୍ ପ୍ରସ୍ତୁତ ହୋଇଥିଲା। ବର୍ତମାନ ନୋଟିସ୍ ବଂଟନ ଶତପ୍ରତିଶତ ହୋଇଥିବା ଦର୍ଶାଯାଇଛି। ହେଲେ ଶୁଣାଣି ତାରିଖ ସରିଯିବା ପରେ ନୋଟିସ୍ ପହଂଚିଥିବା ଘଟଣା ଏବେ ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ନେଇ ସନ୍ଦେହ ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ, ମୋଟ ୮୧୦୬ଟି ମାମଲାର ଶୁଣାଣି ତାରିଖ ଅତିକ୍ରାନ୍ତ ହୋଇସାରିଛି। ଏହା ସହିତ ୮୧ ଟି ପୁନଃ ନିର୍ଦ୍ଧାରିତ ଶୁଣାଣି ତାରିଖ ମଧ୍ୟ ସରିଯାଇଛି। ଅନ୍ୟପକ୍ଷରେ ୯୫୬୮ଟି ମାମଲାର ଶୁଣାଣି ଶେଷ ହୋଇଥିବା ତଥ୍ୟ ରହିଛି। ଏସ୍ଆଇଆର ପ୍ରକ୍ରିୟାରେ ୬୭୭୭ଟି ତଥ୍ୟ ଯାଂଚ ହୋଇଥିବାବେଳେ ୮୨ ଟି ତଥ୍ୟ ଯାଂଚ ହୋଇପାରିନାହିଁ। ୨୬୦ଟି ଆବେଦନ ଚୂଡ଼ାନ୍ତ ତାଲିକା ପାଇଁ ଅଯୋଗ୍ୟ ବିବେଚିତ ହୋଇଛି। ସେହିପରି ୧,୯୮,୦୧୯ଟି ମାମଲା ବିଭିନ୍ନ କାରଣରୁ ଚୂଡ଼ାନ୍ତ ପ୍ରକାଶନ ପାଇଁ ‘ପାର୍କଡ୍’ ଅବସ୍ଥାରେ ଥିବାବେଳେ ୧୯୩୦ଟି ମାମଲା ପ୍ରସ୍ତୁତ ନୋଟିସ୍ ଆଧାରରେ ଚୂଡ଼ାନ୍ତ ପ୍ରକାଶନ ଅପେକ୍ଷାରେ ରହିଛି।ଶୁଣାଣି ତାରିଖ ପରେ ନୋଟିସ୍ ପହଂଚିଥିବା ୪୭୬୩ଟି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ମିଳିଥିଲା କି ନାହିଁ, ତାହା ଏବେ ମୁଖ୍ୟ ପ୍ରଶ୍ନ। ନୋଟିସ୍ ବଂଟନରେ ବିଳମ୍ବର କାରଣ କ’ଣ, ଏଥିପାଇଁ କେଉଁ ସ୍ତରରେ ଦାୟିତ୍ୱ ରହିଛି ଏବଂ ପ୍ରଭାବିତ ବ୍ୟକ୍ତିଙ୍କୁ ପୁନଃ ଶୁଣାଣିର ସୁଯୋଗ ଦିଆଯିବ କି ନାହିଁ – ଏସବୁ ପ୍ରଶ୍ନର ସ୍ପଷ୍ଟ ଉତର ଅପେକ୍ଷାରେ ରହିଛି।ଏସ୍ଆଇଆର ଭଳି ଗୁରୁତ୍ୱପୂର୍ଣ୍ଣ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏଭଳି ବିଳମ୍ବ ଯଦି ସାଧାରଣ ଭୋଟରଙ୍କ ଶୁଣାଣି ସୁଯୋଗକୁ ପ୍ରଭାବିତ କରେ, ତେବେ ଏହାକୁ ହାଲୁକା ଭାବେ ନେବାର ଅବକାଶ ନାହିଁ। ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନ ଏହି ତଥ୍ୟର ଗମ୍ଭୀରତାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବା ସହ ସ୍ଥିତି ସ୍ପଷ୍ଟ କରିବାକୁ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା ଧାମନଗର ଏସଆଇଆରରେ ଅବ୍ୟବସ୍ଥା!, ଶୁଣାଣି ତାରିଖ ପରେ ନୋଟିସ; ୪୭୬୩ ମାମଲାକୁ ନେଇ ପ୍ରଶ୍ନ, ୮୧୦୬...








