ଭଦ୍ରକ, ୬ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଶାସନିକ ଅନିୟମିତତା ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଧାମନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ନିଲମ୍ବନ ପ୍ରଶାସନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ତାଙ୍କ ସ୍ଥାନରେ ଭଦ୍ରକ ଡେପୁଟି କଲେକ୍ଟର (ଓଏଏସ) ଦେବବ୍ରତ ମହାପାତ୍ରଙ୍କୁ ଧାମନଗର ଏନଏସି ଇଓ ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା) ପକ୍ଷରୁ ଅକ୍ଟୋବର ୩ ରେ ଜାରି କାର୍ଯ୍ୟାଳୟ ଆଦେଶ, ପତ୍ର ସଂଖ୍ୟା ୩୧୮ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଆଦେଶ ଜାରି କରିଛନ୍ତି।ଆଦେଶ ଅନୁଯାୟୀ, ଦେବବ୍ରତ ମହାପାତ୍ର ତୁରନ୍ତ ଦାୟିତ୍ୱ ଗ୍ରହଣ କରି ନିଜର ବର୍ତମାନ ଦାୟିତ୍ୱ ସହ ଧାମନଗର ଏନଏସି ଇଓଙ୍କ ସମସ୍ତ କାର୍ଯ୍ୟଭାର ତୁଲାଇବେ। ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।ସନ୍ତୋଷ ନାୟକଙ୍କ ନିଲମ୍ବନ ଆଦେଶର ନକଲ ପୌର ପ୍ରଶାସନ ନିର୍ଦ୍ଦେଶକ, ଧାମନଗର ଏନଏସି ଅଧ୍ୟକ୍ଷ ଓ ସମ୍ପୃକ୍ତ ବିଭାଗକୁ ପଠାଯାଇଛି।ଏହି ପଦକ୍ଷେପକୁ କେବଳ ଜଣେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭାବେ ନୁହେଁ, ବରଂ ସରକାରୀ କାର୍ଯ୍ୟରେ ନିୟମ, ସ୍ୱଚ୍ଛତା ଓ ଜବାବଦେହିତାର ଗୁରୁତ୍ୱର ଏକ ସ୍ପଷ୍ଟ ବାର୍ତା ଭାବେ ଦେଖାଯାଉଛି।








