ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଗତ ତିନି ଦିନ ଧରି ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଧାମନଗର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରବଳ ବର୍ଷା ଯୋଗୁଁ ଅଂଚଳର କୋଚିଳା, ବୈତରଣୀ ଓ ଗେଙ୍ଗୁଟି ନଦୀର ଜଳସ୍ତର ବିପଦ ସଙ୍କେତ ଆଡକୁ ମୁହାଁଉ ଥିବା ବେଳେ ଏହା ବନ୍ୟାର ଆଶଙ୍କା ସୃଷ୍ଟି କରିଛି। ନଦୀ ଗୁଡିକ ଫୁଲିବା ଯୋଗୁଁ ନଦୀ ପଠାରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି।ଅତିବର୍ଷା କାରଣରୁ ଧାମନଗର-ଫଳପୁର ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ପାଣି ଜମି ରହିଛି। ବିଶେଷକରି ରାସ୍ତାର ଦୁଇ ନମ୍ବର ଘୋଷରା ଅଂଚଳରେ ରାସ୍ତା ଉପରେ ସ୍ରୋତ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ସାଧାରଣ ଲୋକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରବଳ ବର୍ଷା ଓ ନଦୀର ପାଣି ଚାଷ ଜମିରେ ପଶିଯିବାରୁ ଶହ ଶହ ଏକର ଚାଷ ଜମି ଏବେ ଜଳମଗ୍ନ। ମୁଖ୍ୟତଃ ଧାନ ତଳିଗୁଡିକ ପାଣିରେ ବୁଡି ରହିବା କାରଣରୁ ତାହା ନଷ୍ଟ ହେବାରେ ଲାଗିଛି। ଚଳିତ ବର୍ଷ ଭଲ ଫସଲ ଆଶାରେ ଥିବା ଚାଷୀମାନେ ଏବେ ପାଣିଘେରରେ ଥିବା କ୍ଷେତ ଦେଖି ଚିନ୍ତାରେ ପଡିଯାଇଛନ୍ତି।ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ସଫା କରିବା ଓ ବନ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ଅଂଚଳବାସୀ ଦାବି କରିଛନ୍ତି।
Home ଜିଲ୍ଲା ପରିକ୍ରମା ଧାମନଗରରେ ଲଘୁ ଚାପ ବର୍ଷା ଆଣିଲା ବିପଦ,ନଦୀ ଫୁଲିବା ସହ ବେହାଲ ଯୋଗାଯୋଗ, ଚାଷୀକୂଳ ଚିନ୍ତାରେ,...








