Home ଜିଲ୍ଲା ପରିକ୍ରମା ଧାମନଗରରେ ରବି ଧାନ ସଂଗ୍ରହରେ ଦୁର୍ନୀତି,ମଣ୍ଡି ନଖୋଲିବାରୁ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ, ଧୂଷୁରୀ ମେଡ଼ିକାଲରେ ଚିକିତ୍ସାଧୀନ

ଧାମନଗରରେ ରବି ଧାନ ସଂଗ୍ରହରେ ଦୁର୍ନୀତି,ମଣ୍ଡି ନଖୋଲିବାରୁ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ, ଧୂଷୁରୀ ମେଡ଼ିକାଲରେ ଚିକିତ୍ସାଧୀନ

13

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅଂଚଳରେ ରବି ଧାନ ସଂଗ୍ରହ ବ୍ୟବସ୍ଥାରେ ଚରମ ଅବ୍ୟବସ୍ଥା ଓ ମିଲର-ସେକ୍ରେଟେରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଣେ ଚାଷୀ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଚାଷୀ ଜଣକ ହେଲେ ଧୂଷୁରୀ ଥାନା ଅନ୍ତର୍ଗତ ବମକୁରା ଖଡ଼ିମାହାରା ଘାଟସାହି ଅଂଚଳର ଚିତରଞ୍ଜନ ମଲ୍ଲିକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବର୍ତମାନ ଧୂଷୁରୀ ମେଡ଼ିକାଲରେ ଭର୍ତି କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ମିଳିଥିବା ସୂଚନା ମୁତାବକ, ଅଂଚଳରେ ରବି ଧାନ ଅମଳ ହୋଇ ସାରିଥିଲେ ମଧ୍ୟ ସରକାରୀ ସ୍ତରରେ ମଣ୍ଡି ଅଦ୍ୟାବଧି ଖୋଲାଯାଇ ନାହିଁ । ଯେଉଁ ଚାଷୀମାନେ ନିୟମିତ ଭାବେ ଅନଲାଇନ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ଧାନ ବିକ୍ରି ପାଇଁ କୌଣସି ସୁଯୋଗ ବା ଟୋକନ ମିଳୁନାହିଁ । ଅନ୍ୟପଟେ, ସୋସାଇଟି ସେକ୍ରେଟେରୀ ଓ କେତେକ ଅସାଧୁ ବ୍ୟାପାରୀ ମିଳିତ ଭାବେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ପ୍ରକୃତ ଚାଷୀଙ୍କ ଠାରୁ କୁଇଂଟାଲ ପ୍ରତି ୨୪ ରୁ ୨୫ କିଲୋ ପର୍ଯ୍ୟନ୍ତ ଅତ୍ୟଧିକ କଟନୀ-ଛଟନୀ (ପୋଡ଼ା) କାଟିବା ପାଇଁ ବାଧ୍ୟ କରାଯାଉଛି । ନିଜର କଷ୍ଟଅର୍ଜିତ ଧାନ ବିକ୍ରି କରିନପାରି ଏବଂ ଦଲାଲ ଓ ଅଧିକାରୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଚାଷୀ ଚିତରଞ୍ଜନ ମଲ୍ଲିକ ବମକୁରା ସୋସାଇଟି ଅଫିସ ସାମ୍ନାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଚାଷୀମାନେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧୂଷୁରୀ ଡାକ୍ତରଖାନାକୁ ନେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ତୁରନ୍ତ ସରକାରୀ ମଣ୍ଡି ଖୋଲା ନଯାଏ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ସମଗ୍ର ଧାମନଗର ଓ ଧୂଷୁରୀ ଅଂଚଳରେ ଚାଷୀମାନେ ରାସ୍ତାରୋକ କରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.