ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ତମାନ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷାର ଆଗମନରେ ଚାଷୀକୂଳ ଏବେ ବେଶ୍ ଉତ୍ସାହର ସହ ବିଲକୁ ଓହ୍ଲାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେଣି। କିନ୍ତୁ ଠିକ୍ ଏଭଳି ସମୟରେ ତୀବ୍ର ଡିଜେଲ ସଙ୍କଟ ଦେଖାଦେବା ଚାଷୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ବର୍ଷା ଅନୁକୂଳ ଥିଲେ ମଧ୍ୟ ଡିଜେଲ ଅଭାବ ଯୋଗୁଁ ଚାଷ କାର୍ଯ୍ୟର ସ୍ୱାଭାବିକ ଆରମ୍ଭ ନେଇ ଏବେ ଆଶଙ୍କା ଉପୁଜାଇଛି।ଆଜିକାଲି ଦିନରେ ଗାଁ ଗହଳିରେ ଆଉ ବଳଦଙ୍କୁ ଚାଷ ବେଳେ ହଳ ବୁଲାଇବା ପ୍ରାୟ ଦେଖିବାକୁ ମିଳୁନାହିଁ। କିଛି ବର୍ଷ ଧରି ସମ୍ପୂର୍ଣ୍ଣ କୃଷି କାର୍ଯ୍ୟ ଟ୍ରାକ୍ଟର ଓ ପାୱାର ଟିଲର ଉପରେ ନିର୍ଭରଶୀଳ ହୋଇପଡ଼ିଛି। ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ଜମି ହଳ କରି ଧାନ ବୁଣିବା ବା ତଳି ପକାଇବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ମାତ୍ର ଧାମନଗର ବ୍ଲକର ବିଭିନ୍ନ ତେଲ ଟାଙ୍କିରେ ଡିଜେଲ ମିଳୁ ନଥିବାରୁ କୃଷି ଯନ୍ତ୍ରପାତି ଗୁଡ଼ିକ ଏବେ ଗାଁ ଗହଳିରେ ସ୍ଥାଣୁ ପାଲଟିଛି। ଧାମନଗର ସଦର, ଅସୁରାଳି, କୋଠାର, ମଙ୍ଗଳପୁର, ଗୁହାଳିଆ ଓ ବାହାରବିଲ ଆଦି ସ୍ଥାନରେ ଥିବା ଟାଙ୍କିରେ ପର୍ଯ୍ୟାପ୍ତ ପେଟ୍ରୋଲ ଥିଲା ବେଳେ ଡିଜେଲ ଯୋଗାଣ ସ୍ୱାଭାବିକ ନଥିବା ଜଣାଯାଇଛି। ଅନେକ ସ୍ଥାନରେ ଚାଷୀମାନେ ବହୁ କଷ୍ଟରେ ଅଳ୍ପ ବହୁତ ଡିଜେଲ ସଂଗ୍ରହ କରୁଥିଲେ ମଧ୍ୟ ତାହା ଚାଷ କାର୍ଯ୍ୟ ପାଇଁ ଆଦୌ ପର୍ଯ୍ୟାପ୍ତ ହେଉନାହିଁ। ଏହି ସଙ୍କଟ ଯୋଗୁଁ ଆଗାମୀ ଦିନରେ ଡିଜେଲର କଳାବଜାରୀ ବୃଦ୍ଧି ପାଇବା ନେଇ ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଯଦି ତୁରନ୍ତ ତେଲ ଟାଙ୍କି ଗୁଡ଼ିକରେ ଡିଜେଲ ଉପଲବ୍ଧ ନହୁଏ, ତେବେ ଉପଯୁକ୍ତ ମୌସୁମୀ ବର୍ଷା ସତ୍ୱେ ଚଳିତ ବର୍ଷ ଧାନ ଚାଷ ବ୍ୟାହତ ହେବ ବୋଲି ସ୍ଥାନୀୟ କୃଷକମାନେ କହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏବଂ ଡିଜେଲର କଳାବଜାରୀକୁ ରୋକିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ନିର୍ଦ୍ଦେଶ ଦେବା ଆବଶ୍ୟକ। ଧାମନଗର ବ୍ଲକର ତେଲ ଟାଙ୍କି ଗୁଡ଼ିକରେ ଯେପରି ଚାଷୀଙ୍କ ପାଇଁ ସୁବିଧାରେ ଓ ଉଚିତ ମୂଲ୍ୟରେ ଡିଜେଲ ମିଳିପାରିବ, ସେଥିପାଇଁ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଧାମନଗର ବ୍ଲକର ଚାଷୀକୂଳ ଦାବି କରିଛନ୍ତି।








