ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ,ଧୁଷୁରୀ, ଦୋବଲ, ଅସୁରାଳୀ ଅଂଚଳରେ ଏବେ ଛତୁ ଫୁଟିଲା ଭଳି ବେଆଇନ ଔଷଧ ଦୋକାନ ଖୋଲିବାରେ ଲାଗିଛି। ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏହି ବ୍ୟବସାୟୀଙ୍କ ପାଇଁ ସାଧାରଣ ରାସ୍ତା ପାଲଟିଛି ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ଡ୍ରଗ୍ସ ବିଭାଗ। ସରକାରୀ ନିୟମକୁ ବେଖାତିର କରି କିଛି ଅସାଧୁ ଦୋକାନୀ ଅନ୍ୟ ଫାର୍ମାସିଷ୍ଟଙ୍କ ନାମରେ ଲାଇସେନ୍ସ ଆଣି ନିଜେ କିମ୍ବା ନିଜ ପରିବାର ଲୋକଙ୍କ ଦ୍ୱାରା ଦୋକାନ ଚଳାଉଛନ୍ତି। ଏପରିକି ଟ୍ରେଡ ଲାଇସେନ୍ସ ନଆଣି ମଧ୍ୟ ଅନେକ ଦୋକାନ ବେଧଡ଼କ ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଭଦ୍ରକ ଜିଲ୍ଲା ଡ୍ରଗ୍ସ ଇନସପେକ୍ଟର ଏବଂ ଡ୍ରଗ୍ସ କେଂଟ୍ରାଲର କାର୍ଯ୍ୟାଳୟ ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛନ୍ତି। ନିୟମିତ ଯାଂଚ ଅଭାବରୁ ଏହି ଅସାଧୁ ଦୋକାନୀମାନଙ୍କ ସାହସ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗର୍ଭପାତ ପାଇଁ ବ୍ୟବହୃତ ‘ଅନୱାେଂଟଡ୍ କିଟ୍, (ମିଫେପ୍ରିଷ୍ଟନ ଓ ମିଜୋପ୍ରଷ୍ଟଲ) ଭଳି ସିଡ୍ୟୁଲ୍-ଏଚ୍ ବର୍ଗର ଅତି ସମ୍ବେଦନଶୀଳ ଔଷଧ କେବଳ ପଞ୍ଜୀକୃତ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଲିଖିତ ପ୍ରେସକ୍ରିପସନ୍ ଏବଂ ସ୍ୱତନ୍ତ୍ର ରେକର୍ଡ ରଖି ବିକ୍ରି କରାଯିବା କଥା। ମାତ୍ର ଧାମନଗରରେ ଏହା ଖୋଲାଖୋଲି ମିଳୁଛି। ଏହା ସହିତ ନିକଟରେ ସରକାର ପ୍ରତିବନ୍ଧକ ଲଗାଇଥିବା ୧୬ଟି ସ୍ୱାସ୍ଥ୍ୟହାନିକାରୀ ଏଫଡିସି ଔଷଧ (ଯେପରିକି ମକ୍ସିକାଇଣ୍ଡ-ଏସ୍, ସୁଡୋକ୍ଲାଭ୍, ସ୍ପାଜମୋନିଲ୍) ମଧ୍ୟ ଏଠାରେ ବେଆଇନ ଭାବେ ବିକ୍ରି ହେଉଛି। ପ୍ରତିନିଧିଙ୍କ ଦ୍ୱାରା କରାଯାଇଥିବା ଏକ ଗୁପ୍ତ ରିଆଲିଟି ଟେଷ୍ଟରୁ ଜଣାପଡ଼ିଛି ଯେ, ଧାମନଗରର ୧୦ଟି ପ୍ରମୁଖ ମେଡିସିନ୍ ଷ୍ଟୋର ମଧ୍ୟରୁ କୌଣସି ଗୋଟିଏ ହେଲେ ଦୋକାନୀ ଗ୍ରାହକଙ୍କୁ ଏହି ପ୍ରେସକ୍ରିପସନ୍ ମାଗିନଥିଲେ। ନିଶାପ୍ରଦ ସିଡ୍ୟୁଲ୍-ଏକ୍ସ ଏବଂ ଅପବ୍ୟବହାର ହେଉଥିବା ସିଡ୍ୟୁଲ୍ ଏଚ୍ ୱାନ୍ ଆଂଟିବାୟୋଟିକ୍ ରେଜିଷ୍ଟର ମଧ୍ୟ ଏହି ଦୋକାନଗୁଡ଼ିକରେ କେବଳ କାଗଜପତ୍ରରେ ସୀମିତ ରହିଛି। ସାଧାରଣ ରୋଗୀଙ୍କ ଅଜ୍ଞତାର ସୁଯୋଗ ନେଇ ଜେନେରିକ୍ ଔଷଧକୁ ବ୍ରାଣ୍ଡେଡ୍ ଦାମ୍ରେ ବିକ୍ରି କରି ଦୋକାନୀମାନେ ଲୋକଙ୍କୁ ଶୋଷଣ କରୁଛନ୍ତି। ଧାମନଗର ର ଅଧିକାଂଶ ଔଷଧ ଦୋକାନ ଏବେ ବେଆଇନ ଅସ୍ଥାୟୀ କ୍ଲିନିକ୍ ରେ ପରିଣତ ହୋଇଛି। କଟକ ଓ ଭୁବନେଶ୍ୱରର ବଡ଼ ଡାକ୍ତରଙ୍କ ନାମ ପ୍ରଚାର କରି ନକଲି ଡାକ୍ତର ଏବଂ ଆୟୁଷ ଡାକ୍ତରମାନଙ୍କୁ ବସାଇ ଓପିଡି ଚଲାଯାଉଛି। କ୍ଲିନିକାଲ୍ ଏଷ୍ଟାବ୍ଲିଶ୍ମେଂଟ ଆକ୍ଟକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି କୌଣସି ଅନୁମତି ବିନା ଏହି ଦୋକାନ ଗୁଡ଼ିକରେ ରୋଗୀଙ୍କୁ ସାଲାଇନ ଚଢ଼ାଯାଉଛି ଏବଂ ଛୋଟମୋଟ ସର୍ଜରୀ କରାଯାଉଛି। ଏପରିକି ଗ୍ରାହକ ଯେପରି ଅନ୍ୟ ଦୋକାନକୁ ନଯିବେ, ସେଥିପାଇଁ ଡାକ୍ତର ଦେଖିସାରିବା ମାତ୍ରେ ଦୋକାନୀଙ୍କ କର୍ମଚାରୀ ପ୍ରେସକ୍ରିପସନ୍ ଛଡ଼ାଇ ଆଣୁଛନ୍ତି। ଡ୍ରଗ୍ସ ଇନସପେକ୍ଟରଙ୍କ ଏହି ସନ୍ଦେହଜନକ ନୀରବତା କାହା ସ୍ୱାର୍ଥରେ! ମୁଣ୍ଡଗୁଞ୍ଜିବା ପାଇଁ ମାସିକ ଲାଂଚ କାରବାର ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ଜୀବନକୁ ମରଣ ମୁହଁକୁ ଠେଲି ଦିଆଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏ ଦିଗରେ ତୁରନ୍ତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଉଚ୍ଚ କର୍ତୃପକ୍ଷ ହସ୍ତକ୍ଷେପ କରି ଭଦ୍ରକ ଡ୍ରଗ୍ସ କେଂଟ୍ରାଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
Home ଜିଲ୍ଲା ପରିକ୍ରମା ଧାମନଗରରେ ମେଡିସିନ୍ ଦୋକାନ ଆଳରେ ଚାଲିଛି ମୃତ୍ୟୁର କାରବାର: ନୀରବ ସ୍ରଷ୍ଟା ସାଜିଛି ଡ୍ରଗ୍ସ ବିଭାଗ,ବିନା...








