ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ପଂଚାୟତ ସମିତି ସଭାଗୃହରେ ଗୁରୁବାର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଧାମନଗର ଅଂଚଳ ରେ ବରିଷ୍ଠ ନାଗରିକ ସଂଗଠନର ଶତାଧିକ ସଭ୍ୟ ଏଥିରେ ଯୋଗଦେଇଥିଲେ। ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ଉପସଭାପତି ତଥା ଧାମନଗର ବରିଷ୍ଠ ନାଗରିକ ପରିଷଦର ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଡିଓ ବନବିହାରୀ ଦିଣ୍ଡା ତତ୍ୱାବଧାନ କରିଥିଲେ। ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଓ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ ଜାତିର କୋଣାର୍କ ବୋଲି କହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଯଶୋଦା ରାଣୀ ସାହୁ, ‘ମୋଗଲ ତାମସା’ର ସ୍ରଷ୍ଟା ବାଦଲ ସିକଦାର ଓ ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ବରିଷ୍ଠ ନାଗରିକମାନେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ସହ ଯୋଡ଼ି ହେଲେ ନିଜେ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇପାରିବେ ବୋଲି କହିଥିଲେ। ଏହି ଅବସରରେ ଧାମନଗର ବରିଷ୍ଠ ନାଗରିକ ପରିଷଦ, କୋଠାର ବରିଷ୍ଠ ନାଗରିକ ସଂଗଠନ, ବେତାଳିଗାଁ ଆଂଚଳିକ ବରିଷ୍ଠ ନାଗରିକ ମଂଚ, ଧୂଷୁରୀ ବରିଷ୍ଠ ନାଗରିକ ମଂଚ ଓ କଲ୍ୟାଣୀ ସଂଘର ସଦସ୍ୟମାନେ ଯୋଗଦେଇଥିଲେ। ସକାଳ ୯ଟାରେ ଧାମନଗର ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ଚାରାରୋପଣ କରାଯାଇଥିଲା।








