ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ଜବରଦଖଲ ଏବେ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଜନସଂଖ୍ୟା ଏବଂ ଗାଡ଼ି ମଟର ସଂଖ୍ୟା ବଢୁଥିବା ବେଳେ ଜବରଦଖଲ ଯୋଗୁଁ ରାସ୍ତାଘାଟ ସଙ୍କୁଚିତ ହେବାରେ ଲାଗିଛି। ଏହି ଗମ୍ଭୀର ସମସ୍ୟାକୁ ନେଇ ଗୁରୁବାର ଦିନ ଧାମନଗର ଅଂଚଳର କାର୍ଯ୍ୟରତ ସାମ୍ବାଦିକମାନେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।ସୂଚନା ଅନୁଯାୟୀ, ଧାମନଗର ତହସିଲ ଅନ୍ତର୍ଗତ ଧାମନଗର, ଦୋବଲ, ଧୁଷୁରୀ ଓ ଅଶୁରାଳୀ ଜୋନ ସମେତ ଭଗବାନପୁର, ମୁସ୍ତାଫାପୁର, ଖଡ଼ିପଦା, ଶୋହଡ଼ା, ନଦିଗାଁ ଏବଂ ଭଟଶାହି ପରି ପଂଚାୟତଗୁଡ଼ିକରେ ପାଖାପାଖି ୫ ଶହ ଏକର ସରକାରୀ ଗୋଚର ଓ ଅନାବାଦୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି। ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ସରକାରୀ ଜାଗାରେ ଦୋକାନ ଗୃହ ଓ ଘର ନିର୍ମାଣ କରି ଭଡ଼ାରେ ଲଗାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି।ବିଶେଷ କରି ଧାମନଗର ବଡ଼ ବଜାର ଓ ଦୋବଲ ବଜାରରେ ଜବରଦଖଲ ଏତେ ମାତ୍ରାରେ ବଢିଛି ଯେ ରାସ୍ତାରେ ଯିବା ଆସିବା କରିବା ସାଧାରଣ ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସୁଧାକର ଦାଶ, ପ୍ରଦୀପ କୁମାର ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ସଞ୍ଜିବ କୁମାର ମହାନ୍ତି, ସୁଦୀପ୍ତ ଖଟୁଆ ଓ ଗୌରାଙ୍ଗ ଦାସ ପ୍ରମୁଖ ତହସିଲଦାର ଜ୍ଞାନରଞ୍ଜନ ଦାସଙ୍କୁ ଭେଟି ଏହି ସମସ୍ୟା ବାବଦରେ ଅବଗତ କରାଇଥିଲେ। ଅଂଚଳକୁ ଜବରଦଖଲ ମୁକ୍ତ କରିବା ସହ ବେଆଇନ ନିର୍ମାଣ ଉଚ୍ଛେଦ ପାଇଁ ସାମ୍ବାଦିକମାନେ ଦାବି କରିଛନ୍ତି। ତହସିଲଦାର ଶ୍ରୀ ଦାସ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ଖୁବଶୀଘ୍ର ଧାମନଗର ଅଂଚଳକୁ ଜବରଦଖଲ ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ,ଏଥିରେ ସାଧାରଣ ଲୋକଙ୍କ ସହ ଯୋଗ ରହିବା ଦରକାର ବୋଲି ତହସିଲଦାର ଶ୍ରୀ ଦାସ କହିଛନ୍ତି।ପ୍ରଶାସନର ଏହି ଆଶ୍ୱାସନା ପରେ ଅଂଚଳବାସୀଙ୍କ ମଧ୍ୟରେ ସରକାରୀ ଜମି ଉଦ୍ଧାର ନେଇ ଆଶା ସଂଚାର ହୋଇଛି।








