ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଦୋବଲ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା । ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ ବ୍ୟାଙ୍କର ଏହି ଗ୍ରାମୀଣ ଶାଖାରେ ଗ୍ରାହକ ସୁରକ୍ଷା ଓ ବ୍ୟାଙ୍କିଙ୍ଗ ନିୟମାବଳୀକୁ ଜଳାଞ୍ଜଳି ଦିଆଯାଇଛି। ୨୦୧୬ ମସିହାରୁ ଦୀର୍ଘ ୧୦ ବର୍ଷ ହେବ ଏହି ବ୍ୟାଙ୍କର କୌଣସି ବୈଧ ଭଡ଼ା ଚୁକ୍ତି ନାହିଁ। କୋଠା ମାଲିକଙ୍କ ପାରିବାରିକ ବିବାଦ ଯୋଗୁଁ ଚୁକ୍ତି ନବୀକରଣ ହୋଇପାରୁ ନଥିବା ବେଳେ ବ୍ୟାଙ୍କ କର୍ତୃପକ୍ଷ ଏଥିପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ବୈଧ ଚୁକ୍ତିନାମା ଓ ଅଗ୍ନି ନିରାପତା ବ୍ୟବସ୍ଥା ନଥିବାରୁ ବୀମା କମ୍ପାନୀ ବ୍ୟାଙ୍କର ବୀମା କରୁନାହାନ୍ତି। ଏଭଳି ସ୍ଥିତିରେ ଯଦି ବ୍ୟାଙ୍କରେ କୌଣସି ଅଗ୍ନିକାଣ୍ଡ ଘଟେ କିମ୍ବା ଚୋରି ହୁଏ, ତେବେ ଗ୍ରାହକଙ୍କ କୋଟି କୋଟି ଟଙ୍କା ଓ ସମ୍ପତିର କ୍ଷତି ଭରଣା କିଏ କରିବ, ତାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟାଙ୍କ କର୍ତୃପକ୍ଷଙ୍କ ଚରମ ଦାୟିତ୍ୱହୀନତା ଯୋଗୁଁ ଶାଖାର ଲକରରେ ଗ୍ରାହକଙ୍କର ପ୍ରାୟ ୪ କୋଟି ଟଙ୍କାର ସୁନା ବନ୍ଧକ ରହିଥିଲେ ହେଁ, ଏବେ ଆଂଚଳିକ ପରିଚାଳକ ଗୋଲ୍ଡ ଲୋନ୍ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି। ଫଳରେ ସ୍ଥାନୀୟ କୃଷକ ଓ ଗ୍ରାହକମାନେ ଜରୁରୀ ସମୟରେ ସୁନା ରଖି ଋଣ ପାଇବାରୁ ବଂଚିତ ହେଉଛନ୍ତି। ସ୍ଥାନୀୟ ଅଂଚଳରେ ଅନ୍ୟ କୌଣସି ଉପଯୁକ୍ତ କୋଠା ମିଳୁନଥିବାରୁ ବ୍ୟାଙ୍କ ଟି ଏଠାରୁ ସ୍ଥାନାନ୍ତର ହୋଇଯିବା ଭୟରେ ସ୍ଥାନୀୟ ଲୋକେ ଏହି ଗମ୍ଭୀର ସମସ୍ୟାକୁ ନଜର ଅନ୍ଦାଜ କରିବାକୁ ବାଧ୍ୟ ହେଉଛନ୍ତି।ଅନ୍ୟପଟେ, ବ୍ୟାଙ୍କର ଆଭ୍ୟନ୍ତରୀଣ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ପ୍ରାୟ ୯୫ ହଜାର ଗ୍ରାହକ ଏବଂ ୧୭୦୦ ଋଣ ଗ୍ରହୀତା ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶାଖାକୁ ଚଳାଇବା ପାଇଁ ମାତ୍ର ୪ ଜଣ ସ୍ଥାୟୀ କର୍ମଚାରୀ (ଶାଖା ପରିଚାଳକ, କ୍ଷେତ୍ର ଅଧିକାରୀ, ଜଣେ କ୍ୟାଶିୟର ଓ ଅନ୍ୟ ଜଣେ କର୍ମଚାରୀ) ଅଛନ୍ତି। ଏହାର ସୁଯୋଗ ନେଇ ବ୍ୟାଙ୍କରେ ‘ଆଉଟସୋର୍ସିଂ କର୍ମଚାରୀ’ଙ୍କ ରାଜ୍ ଚାଲିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ଆକ୍ସେସ୍ କେଂଟ୍ରାଲ୍ ନିୟମକୁ ଉଲ୍ଲଂଘନ କରି ସଫେଇ କର୍ମଚାରୀ, ରିକଭରି ଏଜେଂଟ ଏବଂ ଜେନେରେଟର ଅପରେଟରମାନେ ବ୍ୟାଙ୍କର ଅତି ସେନସିଟିଭ୍ ଜୋନ୍ ଯଥା ଟ୍ରେଜେରୀ, କ୍ୟାଶ୍ ରୁମ୍ ଏବଂ ଲକର ରୁମ୍ ଭିତରକୁ ଅବାଧ ପ୍ରବେଶ କରୁଛନ୍ତି।ଆଉଟସୋର୍ସିଂ କର୍ମଚାରୀମାନେ ବ୍ୟାଙ୍କର ଗୋପନୀୟ ଆଇଟି ପାସୱାର୍ଡ ବ୍ୟବହାର କରିବା ସହ ଲକର ଓ ଟ୍ରେଜେରୀ ଭିତରକୁ ଯିବା ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟର ସ୍ପଷ୍ଟ ଉଲ୍ଲଂଘନ। ଯଦି ଏହି ବାହାର କର୍ମଚାରୀଙ୍କ ଦ୍ୱାରା କୌଣସି ବଡ଼ ଧରଣର ଆର୍ôଥକ ଜାଲିଆତି କିମ୍ବା ଚୋରି ହୁଏ, ତେବେ ଏଥିପାଇଁ କିଏ ଦାୟୀ ରହିବ? କାହିଁକି ବ୍ୟାଙ୍କର ଉପରିସ୍ଥ କର୍ତୃପକ୍ଷ ଏହି ଚରମ ଅରାଜକତା ବିରୋଧରେ କୌଣସି ପଦକ୍ଷେପ ନେଉନାହାନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହି ପରି ଉକ୍ତ ବ୍ୟାଙ୍କ ଟି ଉପର ମହଲା ରେ ଚାଲୁ ଥିବାରୁ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତି ମାନେ ବ୍ୟାଙ୍କ କୁ ଯିବାକୁ ଅନେକ କଷ୍ଟ ସହୁଛନ୍ତି।ଅପରପକ୍ଷେ ବ୍ୟାଙ୍କ ଟି ସର୍ବ ପୂରାତନ କୋଠା ହୋଇ ଥିବାରୁ ଧୀରେ ଧୀରେ ଅସୁରକ୍ଷିତ ହେବା କୁ ଲାଗିଲାଣି। ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋବଲ ଶାଖାରେ ସ୍ଥାୟୀ କର୍ମଚାରୀ ନିଯୁକ୍ତି ଏବଂ ସୁରକ୍ଷିତ କୋଠାକୁ ସ୍ଥାନାନ୍ତର ନହେଲେ, ଆଗାମୀ ଦିନରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇନପାରେ। ଅନ୍ୟପକ୍ଷ ରେ ବ୍ୟାଙ୍କ ଶାଖା ପରିଚାଳକ ବବଲୁ ଖାଁଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ଏଠାକୁ ସେ ନୂଆ ଆସିଛନ୍ତି। ସବୁ କିଛି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।







