Home ବାଲେଶ୍ବର ଦୁର୍ନୀତି ନିବାରଣ ସପ୍ତାହରେ ପ୍ରଶାସନର ଶପଥପାଠ

ଦୁର୍ନୀତି ନିବାରଣ ସପ୍ତାହରେ ପ୍ରଶାସନର ଶପଥପାଠ

31

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶପଥପାଠ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ଜିଲ୍ଲାପାଳ କେ-ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସମେତ ଏନଡିଆରଏଫ୍ ଯବାନମାନେ ଏଥିରେ ଯୋଗ ଦେଇ ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରତ୍ୟେକ ସ୍ତରରୁ ଉଦ୍ୟମ ଜାରି ରଖିବା ନିମନ୍ତେ ଶପଥ ପାଠ କରିଥିଲେ। ଶପଥ ପାଠର ମହତ୍ୱକୁ ବୁଝିବା ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଏହି ଅବସରର ଆହ୍ୱାନ ଦେଇଥିଲେ। ଆମେ ସମସ୍ତେ ଏଥିପାଇଁ ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କୋଭିଡ୍ ନିୟମାବଳୀର ଅନୁପାଳନ ପୂର୍ବକ ଆଜିର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଡି, ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସୂଚନା ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ଏହାର ସଂଯୋଜନା କରିଥିଲେ। ଅନୁରୂପ ଭାବେ ବାଲେଶ୍ୱର ଭିଜିଲାନ୍ସ ମଣ୍ଡଳ କାର୍ଯ୍ୟାଳୟରେ ମଧ୍ୟ ଆଜି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭିଜିଲାନ୍ସ ଏସ-ପି- ସନ୍ତୋଷ କୁମାର ମିଶ୍ର ମଣ୍ଡଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.