Home ଜିଲ୍ଲା ପରିକ୍ରମା ଦୁଇଶହ ବର୍ଷର ବାରବାଟୀ ବୁଢ଼ାକାର୍ତ୍ତିକଙ୍କ ପୂଜା ସମ୍ପନ୍ନ

ଦୁଇଶହ ବର୍ଷର ବାରବାଟୀ ବୁଢ଼ାକାର୍ତ୍ତିକଙ୍କ ପୂଜା ସମ୍ପନ୍ନ

22

ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ଉତ୍କଳୀୟ ପରମ୍ପରାରେ ବାର ମାସରେ ୧୩ ପର୍ବ ମଧ୍ୟରୁ ମାର୍ଗଶୀର ମାସ ସଂକ୍ରାନ୍ତିରେ ଚିରକୁମାର ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜାର ମହତ୍ୱ ବେଶ୍ ଅଧିକ। ରାଜ୍ୟର କୋଣ ଅନୁକୋଣରେ ଏହି ପୂଜା କରାଯାଉଥିବା ବେଳେ ବାଲେଶ୍ୱରରେ କିଛିଟା ସ୍ୱନ୍ତ୍ରତା ପରିଲକ୍ଷିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ସାର୍ବଜନୀନ ମଣ୍ଡପ ସାଙ୍ଗକୁ ମାନସିକଧାରୀମାନେ ନିଜ ଘରେ କୁମାର କାର୍ତ୍ତିକଙ୍କ ପୂଜା କରିଥିଲେ ବି ବାଲେଶ୍ୱର ସହରର ବାରବାଟୀର ବୁଢ଼ା କାର୍ତ୍ତିକ ନିଆରା ପୂଜା ସମସ୍ତଙ୍କୁ ଆକର୍ଷିତ କରିଥାଏ। ୧୮୩୭ ମସିହାରୁ ପାଖାପାଖି ୨ଶହ ବର୍ଷ ଧରି ଏହି ମଣ୍ଡପରେ ପ୍ରଭୁ କାର୍ତ୍ତିକେଶ୍ୱର ପୂଜା ପାଇ ଆସୁଛନ୍ତି। ନିଶାର୍ଦ୍ଧରେ ବୁଢ଼ାବଳଙ୍ଗ ନଦୀର ବାଲିଘାଟରୁ ଘଟ ଉତ୍ତୋଳନ ସହ ରାତ୍ରିର ୪ ପ୍ରହରରେ ଷୋଡ଼ଶ ଉପଚାର ପୂଜା ମାଧ୍ୟମରେ ପ୍ରଭୁ ବୁଢ଼ା କାର୍ତ୍ତିକଙ୍କୁ ଏଠାରେ ଆରଧନା କରାଯାଇଥାଏ। ମାନସିକଧାରୀମାନେ ଗୋଟିଏ ଦିନ ଆଗରୁ ଏକବାର ପାଳନ ସହ ପୂଜା ଦିନ ଉପବାସ ରହି ପ୍ରଭୁଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା କରିଥା’ନ୍ତି। ଭୋର ଭୋର ପ୍ରଭୁଙ୍କୁ ବିସର୍ଜନ କରିବା ପରେ ଉପବାସ ଥିବା ଶ୍ରଦ୍ଧାଳୁମାନେ ଭୋଗ ଗ୍ରହଣ ରିଥା’ନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଏଠାରେ ମାନସିକଧାରୀମାନେ ପୂଜାଡାଲାରେ ଫଳମୂଳ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ସହ ଖେଳଣା ପ୍ରଦାନ କରିଥା’ନ୍ତି। ଛୋଟପିଲାମାନଙ୍କୁ ପିତାମାତାମାନେ ବାବୁ, ବୁଢ଼ା ଆଦି ସମ୍ବୋଦନ କରିବା ସହ ତାଙ୍କ ହାତରେ ଖେଳଣାଟିଏ ଧରାଇ ଦେଲେ ସେମାନେ ଯେମିତି ଖୁସୀ ହୋଇଥା’ନ୍ତି, ସେହିଭଳି ଏଠାରେ କୁମାର କାର୍ତ୍ତିକଙ୍କୁ ବୁଢ଼ା ବୋଲି ସମ୍ବୋଧନ କରାଯାଇଥାଏ ବୋଲି ସ୍ଥାନୀୟ ଅଞ୍ଚଳର ପୁରୁଖା ଲୋକେ ସୂଚନା ଦେଇଛନ୍ତି। ସେଇଥି ପାଇଁ ପ୍ରତ୍ୟେକ ମାନସିକଧାରୀ ଭୋଗଡାଲାରେ ଛୋଟ ହେଉପଛେ ଖେଳଣାଟିଏ ରଖିବାକୁ କେବେ ଭୁଲିନଥା’ନ୍ତି। ଏଥି ସହିତ ପୂଜାଡାଲାରେ ନଡ଼ିଆକୋରା ମିଠାଇ ଭୋଗକୁ ମଧ୍ୟ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଅପୁତ୍ରିକ ନାରୀ ପୁତ୍ରବତୀ ହେବା ପାଇଁ କାହିଁ କେଉଁ ଅମଳରୁ ଏହି ପରମ୍ପରା ଚଳି ଆସୁଛି। ଏଠାରେ ଭକ୍ତମାନେ କରୁଥିବା ମାନସିକ ପୂର୍ଣ୍ଣ ହେଉଥିବା ବେଳେ ପ୍ରତିବର୍ଷ ହଜାରେରୁ ଉର୍ଦ୍ଧ୍ୱ ବ୍ରତୀ ଡଲା ଲଗାଇଥା’ନ୍ତି। ମାତ୍ର ଚଳିତ ବର୍ଷ କରୋନା କଟକଣା ଓ ସତର୍କତାକୁ ଗୁରୁତ୍ୱ ଦେଇ ବ୍ରତଧାରୀମାନେ ଅଧିକ ଭିଡ଼ ନ କରି ସାମାଜିକ ଦୂରତା ରକ୍ଷା ପୂର୍ବକ ମାଆଙ୍କଠାରେ ସଂକଳ୍ପ କରିଥିବା ଦେଖିବାକୁ ମିଳିଥିଲା। ମୟୁର ବାହାନ ସହିତ ଚିରକୁମାର ପ୍ରଭୁ କାର୍ତ୍ତିକ ଦେବଙ୍କ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ବାରବାଟୀର ଏହି ମଣ୍ଡପ ବେଶ୍ ଆର୍ଷଣୀୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.