Home ଓଡ଼ିଶା ଦିଲ୍ଲୀ ଏମ୍ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

ଦିଲ୍ଲୀ ଏମ୍ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

341

ବାଲିଗୁଡା, ୨୮ା୧୨-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ଚେକ୍ଜରିଆରେ ଫୁଲବାଣୀ ଷ୍ଟେଟ୍ବ୍ୟାଙ୍କ ଶାଖାରୁ ଉଠାଣ ହୋଇଛି। ଫୁଲବାଣୀର ମାଦିକୁନ୍ଦା ଛକରେ ଥିବା ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟକୁ ଏହି ଟଙ୍କା କ୍ରେଡିଟ ହେବା ପରେ ସେଥିରୁ ୧୩ ଟ୍ରାନଜାକ୍ସନରେ ୪ କୋଟି ୬୪ ଲକ୍ଷ ୫୩ ହଜାର ଟଙ୍କା ବିଭିନ୍ନ ଆକଉଣ୍ଟକୁ ପଠାଯାଇଛି। ସେଥିରୁ ୫୦ ଲକ୍ଷ ଟଙ୍କା କ୍ୟାସ ଉଠାଣ ହୋଇଥିବା ବେଳେ ବାକି ଟଙ୍କା ଟ୍ରାନ୍ସଫର କରାଯାଇଛି। ଚେନ୍ନାଇର ଭିଏମ୍ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ୪ କୋଟି ୧୦ ଲକ୍ଷ ଟଙ୍କା ଆରଟିଜିଏସ୍ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି। ବଡ କଥା ହେଉଛି, ଏସବୁ ଟ୍ରାନଜାକ୍ସନ ଗୋଟିଏ ଦିନରେ ହୋଇଛି। ଏତେ ଟଙ୍କା ଗୋଟିଏ ଦିନରେ ଜଣକ ଆକାଉଣ୍ଟରେ ଚେକ୍ ଜରିଆରେ ଜମା ହେବା ଏବଂ ଉଠାଣ ହୋଇ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ଘଟଣା କିପରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଲା ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଘଟଣା ବିଷୟରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଏହା ଜଣାଇବା ପରେ ଉକ୍ତ ଆକାଉଣ୍ଟକୁ ବ୍ୟାଙ୍କ ଅଧିକାରୀ ଅଚଳ କରିଛନ୍ତି। ଅନ୍ୟପକ୍ଷରେ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା କେଉଁଆଡେ ଫେରାର ହୋଇଯାଇଛନ୍ତି। ତାଙ୍କର ପତ୍ତା ମିଳୁନାହିଁ। ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ତନାଘନା ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ଥାନା, କ୍ରାଇମବ୍ରାଞ୍ଚ, ସିବିଆଇ କି ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରାଯାଇନାହିଁ, ଅକ୍ଟୋବର ୨୩ ରେ ଫୁଲବାଣୀ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଚନ୍ଦ୍ରଶେଖରଙ୍କ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟ ନଂ. ୩୨୮୮୦୪୭୯୪୦୧ରେ ନୂଆଦିଲ୍ଲୀସ୍ଥିତ ଏମସ୍ର ଚେକ୍ନଂ. ୮୮୯୩୮୭ ଜମା କରାଯାଇଥିଲା। ଏହାପରେ ଚେକ୍ରେ ୪ କୋଟି ୭୬ ହଜାର ୬୭୫ ଟଙ୍କା କ୍ରେଡିଟ ହୋଇଥିଲା। ସେହିଦିନ ପଣ୍ଡା ଏକ ଚେକ୍ଜରିଆରେ ୨୦ ଲକ୍ଷ ଓ ଅନ୍ୟ ୩୦ ଲକ୍ଷ ସୀମାଞ୍ଚଳ ମିଶ୍ର ଏକ ଚେକ୍ମାଧ୍ୟମରେ ଉଠାଇ ଥିଲେ। କଥା ଏତିକିରେ ସରି ନ ଥିଲା। ୧୧ ଟ୍ରାନଜାକ୍ସନ ଅନ୍ଲାଇନ ଜରିଆରେ ହୋଇଥିଲା। ସେଥିରୁ ଗୋଟିଏ ଟ୍ରନ୍ଜାକ୍ସନ ୪ କୋଟି ୧୦ ଲକ୍ଷ ଟଙ୍କା ଚେନ୍ନାଇର ଭିଏମ୍ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ଯାଇଥିଲା। ପଣ୍ଡାଙ୍କ ସହ ଏହି କମ୍ପାନୀର ସମ୍ପର୍କ କ’ଣ ତାହାକୁ ନେଇ ଏବେ ବ୍ୟାଙ୍କ କର୍ତ୍ତୃପକ୍ଷ ତନାଘନା ଚଳାଇଛନ୍ତି। ଏ ନେଇ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ(ରିଜିଓନାଲ ମ୍ୟାନେଜର) ବିକ୍ରମ କେଶରୀ ମାନ୍ଧାତାଙ୍କୁ ପଚାରିବାରୁ ସେ ଘଟଣାକୁ ପ୍ରଥମେ ଅସ୍ବୀକାର କରିଥିଲେ। ଏହାପରେ ଘଟଣାର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ସତ୍ୟସାଇ ମେଡିସିନି ଷ୍ଟୋର ମାଲିକ ଚନ୍ଦ୍ର ଶେଖର ପଣ୍ଡାଙ୍କୁ ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ବନ୍ଦ ଥିବାରୁ ପ୍ରତିକ୍ରିୟା ନିଆଯାଇ ପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.