ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଗଛିଆ-ବାଂଶଡା ୧୦ କିଲୋମିଟର ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ପୂର୍ତ ବିଭାଗ ପକ୍ଷରୁ ୪ ବର୍ଷ ତଳେ କେବିଏମ କଂଷ୍ଟ୍ରକସନ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ୨୫ କୋଟି ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୪ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ସମାପ୍ତ ହେବାପାଇଁ ସମୟ ନିଘଣ୍ଟ ହୋଇଥିଲା।ମାତ୍ର ଏ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ। ଦୈନଦିନ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୨ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଥିବା ବେଳେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସମ୍ପୂର୍ଣ ନୀରବ ଦ୍ରଷ୍ଟା ସାଜିଛି। ଆଜି ଭଳି ଦିନରେ ବହୁ ସମୟରେ ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ, ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ଯାତାୟତ କରିପାରୁ ନାହିଁ। ସେପ୍େଟମ୍ବର ମାସ ୭ ତାରିଖ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଆରମ୍ଭ ନ ହେଲେ ଜାତୀୟ କଂଗ୍ରେସ ସାଧାରଣ ଜନତା ଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତା କୁ ଓଲ୍ହାଇବ ବୋଲି ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ପ୍ରେସ ବିବୃତି ରେ ଏହି ଅଭିଯୋଗ ଆଣିବା ସହ ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ଶେଷ ନ ହେବାରୁ ଏହାର ଅଟକଳ ମୂଲ୍ୟ ୨୫ କୋଟିରୁ ଯାଇ ୩୪ କୋଟି ଟଙ୍କାକୁ ବୃଦ୍ଧି ହୋଇଥିଲା। ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇ ଅଧିକ ୨୦ମାସ ବିତିଯାଇଥିଲେ ମଧ୍ୟ ଏହା ବିଭାଗୀୟ ଅଧିକାରୀ ଙ୍କ ଅପାରଗତା ଅଥବା ଅଂଚଳ ବାସୀ ଙ୍କ ଦୁର୍ଭାଗ୍ୟ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି। ଏବେ ବନ୍ୟା ଯୋଗୁଁ ଏହି ନିର୍ମାଣଧିନ ରାସ୍ତା ଉପରେ ପାଣି ଜମି ରହିବା ସହ ଏହି ରାସ୍ତାକୁ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କୁ ଯାତାୟତରେ ବହୁ ଅସୁବିଧା ହେଉଛି । ସେପ୍େଟମ୍ବର ୭ତାରିଖ ସୁଦ୍ଧା କାର୍ଯ୍ୟାରମ୍ଭ ନ ହେଲେ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି ।








