Home Top News ଦଳ ଭିତରେ ଷଡ଼ଯନ୍ତ୍ର !

ଦଳ ଭିତରେ ଷଡ଼ଯନ୍ତ୍ର !

129

ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଅଚଳାବସ୍ଥା। ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ଜିଦରେ ଅଟଳ। ମମତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିସ୍କାର ଓ ଘଟଣାକୁ ସିବିଆଇକୁ ହସ୍ତାନ୍ତର ଦାବିରେ ଦୁଇ ଦଳ ଗୃହକୁ ଏକ ପ୍ରକାର ଅଚଳ କରି ରଖିଛନ୍ତି। ଏହାକୁ କାଉଂଟର କରିବାକୁ ଯାଇ ଶାସକ ବିଜେଡି ଦରଦାମ ଓ ପେଟ୍ରୋଲ ବୃଦ୍ଧିକୁ ଆୟୁଧ କରି ବିଧାନସଭାରେ ହୋ ହାଲ୍ଲା ଚଳାଇଛି। ପବିତ୍ର ଗୃହରେ ଗଙ୍ଗାଜଳ ଛିଂଚିବା, ଘଣ୍ଟ ବାଡେଇବା, ବିଭିନ୍ନ ଫଟୋ ଦେଖାଇ ରଡି ଛଡିବା ରାଜନିତୀର ଏକ ନଗ୍ନ ଚିତ୍ରକୁ ସାରା ରାଜ୍ୟବାସୀ ଦେଖୁଛନ୍ତି। ନିଜେ ଭୋଟ ଦେଇ ନିର୍ବାଚିତ କରିଥିବା ଜନପ୍ରତିନିଧିଙ୍କର ଏହି ନାଗିନ ନୃତ୍ୟକୁ ଦେଖି ଭୋଟର ମାନେ ଆଜି ଏକ ପ୍ରକାର ପସ୍ତାଉଛନ୍ତି କହିଲେ ଚଳେ। ରାଜ୍ୟ ରାଜକୋଷର କୋଟି କୋଟି ଟଙ୍କା ପାଣିରେ ପଡୁଛି।

ବିରୋଧି ବିଜେପିର ସମସ୍ତ ନେତୃବୃନ୍ଦ ଏହି ଲଢେଇରେ ସାମିଲ। ଦଳର ସଭାପତିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ବିଧାୟକ, ସାଂସଦମାନେ, ଯୁବ ଓ ଛାତ୍ର ବିଜେପିର ନେତୃବୃନ୍ଦ ସମସ୍ତେ ମମତା ମେହେର ଘଟଣାରେ ସରକାରଙ୍କୁ ଘେରୁଛନ୍ତି। ଅନ୍ୟ ବିରୋଧି କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ପ୍ରତିବାଦ କରୁଛି। ମାତ୍ର ଶାସକ ବିଜେଡି ଯେପରି ଏବଂ ଯେଉଁ ଢଙ୍ଗରେ କାଉଂଟର କରୁଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଦଳରେ ନେତୃତ୍ୱରେ ତାଳମେଳ ରହୁ ନାହିଁ। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ବିଜୁ ଜନତା ଦଳର ଶାସନ ଚାଲିଛି। ଆଗରୁ ଅନେକ ଘଟଣାରେ ବିଜେଡି ବିରୋଧିଙ୍କୁ ମହଁତୋଡ ଜବାବ ଦେଇ ପାରଦର୍ଶୀତା ଦେଖାଇଛି। ମାତ୍ର ମମିତା ମେହେର ଘଟଣାରେ ଦଳର ରଣନିତୀ ଫିକା ପଡୁଥିବାର ଦୃଷ୍ଟି ଗୋଚର ହେଉଛି। ତାର କାରଣ ମଧ୍ୟ ସ୍ପଷ୍ଟ। ପୂର୍ବରୁ ଆମେ ପରିପ୍ରକାଶ କରିଥିଲୁ। ଯୁବ ନେତୃତ୍ୱକୁ ନେଇ ଏତେ ବଡ ଘଟଣାକୁ ଦଳ ସମ୍ଭାଳି ପାରିବ ନାହିଁ। ତାହା ହିଁ ଘଟୁଛି। ଶାସକ ବିଜେଡିର ସବୁ ବରିଷ୍ଠ ନେତାମାନଙ୍କୁ ଏହି ଘଟଣାରୁ ଦୂରେଇ ରଖାଯାଉଛି। ସମ୍ମୁଖ ଭାଗକୁ କାହାରିକୁ ଅଣାଯାଉ ନାହିଁ। ଏହି ବରିଷ୍ଠ ନେତାମାନେ ମଧ୍ୟ ଘରେ ରହି ମଜା ଦେଖୁଛନ୍ତି। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶଦାସ ଓ ତୃତୀୟ ମହଲୀ ମିଳିତ ଭାବରେ ଏହି ରାଜନୈତିକ ଲଢେଇରେ ରଣନିତୀ ପ୍ରସ୍ତୁତ କରୁଛନ୍ତି। ପ୍ରଣବ ପ୍ରକାଶଦାସ ତାଙ୍କ ଯୁବ ଦଳବଳକୁ ସାଥିରେ ଧରି ବିରୋଧିଙ୍କୁ ମାତ ଦେବାକୁ ଶତ ପ୍ରୟାସ କଲେ ମଧ୍ୟ ସଫଳ ହୋଇ ପାରୁ ନାହାଁନ୍ତି। ବିଜେଡି ଭାରତ ବର୍ଷର ଗୋଟିଏ ବୃହତ ଆଂଚଳିକ ଦଳ। ପୋଖତ ରାଜନେତା ଏହି ଦଳରେ ଅଛନ୍ତି। ମାତ୍ର ଥରିକିଆ ବା ଦୁଇ ଥରିଆ ବିଧାୟକଙ୍କୁ ଧରି ଦଳ ଯେପରି ରଣନୀତି କରୁଛି ତାହା ନିହାତି ହାସ୍ୟାସ୍ପଦ।

ଏକଦା ବିଜେଡିର ଆଗଧାଡିରେ ଥିବା ଅନେକ ନେତା ଆଜି କଣଠୋସା। ବିଶ୍ୱସ୍ତ ସୁତ୍ରରୁ ଜଣା ପଡିଛି ସେମାନେ ତୃତୀୟ ମହଲା ଓ ପ୍ରଣବଙ୍କ ରଣନିତୀକୁ ମାତ ଦେବା ପାଇଁ ବିଭିନ୍ନ ରଣକୌଶଳ ଆପଣାଇଛନ୍ତି। ବିଜେପି ଓ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଭିତିରିଆ ସଂପର୍କରେ ରହି ନିଆଁ ଉପରେ ଘିଅ ଢାଳିବାକାମ କରୁଛନ୍ତି। ଏଥିରେ ଦଳର କିଛି ମନ୍ତ୍ରୀ, ବିଧାୟକ ଓ କିଛି ପରାଜୟ ବିଧାୟକ ମଧ୍ୟ ସାମିଲ। ଦଳର ବିରୋଧି କାଉଂଟର କିପରି ଫେଲ ମାରିଯାଉ ଏବଂ ସେମାନଙ୍କୁ ଖୋଜା ପଡୁ ଏହା ସେମାନଙ୍କ ଉଦ୍ଦ୍ୟେଶ। ଅନ୍ୟ ଏକ ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡିଛି ଯେ, କଂଗ୍ରେସ ବିଧାୟକ ସୁର ରାଉତରାୟ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ପାଣ୍ଡିୟାନ ଓ ଅନ୍ୟ ନେତୃବୃନ୍ଦଙ୍କୁ ଯେଉଁ ଗାଳି ଦେଉଛନ୍ତି ତାହା ମଧ୍ୟ ଏହି କଣଠୋସା ବିଜେଡି ନେତାମାନଙ୍କର ପ୍ରୟୋଜିତ। ପୁରୀ ଜିଲ୍ଲାର ଜଣେ ଟାଣୁଆ ବିଜେଡି ନେତା ଯିଏ ଗତଥର ନିର୍ବାଚନରେ ପରାଜୟ ବରଣ କରିଛନ୍ତି ସେ ଏହି କଣଠୋସା ଗୃପର ଚେୟାରମ୍ୟାନ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣା ପଡିଛି। ତାଙ୍କ ସହିତ ଉପକୂଳ ଅଂଚଳର କିଛି ମନ୍ତ୍ରୀ ଓ ବିଧାୟକ ମଧ୍ୟ ଏହି ଷଡଯଂତ୍ରରେ ସାମିଲ। ଏହି ଷଡ଼ଯଂତ୍ରରେ ଏହି ନେତାମାନେ ସଫଳ ହୋଇଗଲେ ଭଲ ଯଦି ଫେଲ ମାରିଲେ ତେବେ ଏ ସମସ୍ତଙ୍କର ଗୋଛି କଟାଯିବା ଏକ ପ୍ରକାର ନିଶ୍ଚିତ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.