Home ଜିଲ୍ଲା ପରିକ୍ରମା ତୃଷ୍ଣାରାଣୀଙ୍କ ଆତ୍ମହତ୍ୟା ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ତୃଷ୍ଣାରାଣୀଙ୍କ ଆତ୍ମହତ୍ୟା ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

55

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ମହିଳା ମୋର୍ଚ୍ଚାର ବହୁ ଆନ୍ଦୋଳନ ପରେ ଆଜି ଭଦ୍ରକ ହଳଦିଡିହ ବାଇପାସ୍ ନାଥସାହିର ଝିଅ ତୃଷ୍ଣାରାଣୀଙ୍କ ଆତ୍ମହତ୍ୟା ଘଟଣାରେ ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍ ସେକ୍ ସମୀର ଓ ସେକ୍ ହୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସେକ୍ ମୁସ୍ତାକିମ୍ ଗିରଫ ହୋଇଥିଲା ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ନାଥସାହିର ତୃଷ୍ଣାରାଣୀ ଗତ ୨ ତାରିଖ ଦିନ ବଜାରକୁ ଚକୋଲେଟ୍ କିଣିବା ପାଇଁ ଆସିଥିବାବେଳେ ୭୦ ବର୍ଷିୟ ବୃଦ୍ଧ ସେକ୍ ମୁସ୍ତାକିମ୍ ତାକୁ ଘର ଭିତରକୁ ଟାଣିନେଇ ବଳପୂର୍ବକ ଅସଦାଚରଣ କରିଥିଲେ । ଏହି ଘଟଣାରେ ପୁଲିସ୍ ମୁସ୍ତାକିମ୍‌ଙ୍କୁ ଗିରଫ କରି ପରେ ଜାମିନ୍‌ରେ ଛାଡିଥିବାବେଳେ ମୁସ୍ତାକିମ୍‌ଙ୍କ ପୁତ୍ରମାନେ ତୃଷ୍ଣାରାଣୀର ପରିବାରକୁ କେଶ୍ ଉଠାଇବା ନେଇ ବିଭିନ୍ନ ଧମକ ଚମକ ଦେଇଥିଲା । ଫଳରେ ବାଧ୍ୟହୋଇ ତୃଷ୍ଣାରାଣୀ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିନେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳବାସୀ, କିନ୍ନର ସଂଘ ଓ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିବାଦର ସ୍ୱର ଉଠି ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ ହୋଇଥିଲା । ତେବେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଅଭିଯୁକ୍ତଙ୍କୁ ୭ ଦିନ ଭିତରେ ଗିରଫ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଭଦ୍ରକ ଆସି କ୍ଷେତ୍ରୀୟ ତଦନ୍ତ ପରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଭଦ୍ରକରେ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ଚରମ ଚେତାବନୀ ଦେଇଥିଲେ । ତେବେ ଆଜି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଦୁଇଜଣଙ୍କୁ ଗିରଫ କରାଯିବା ପରେ ମହିଳା ମୋର୍ଚ୍ଚା ଆନ୍ଦୋଳନରେ ବ୍ରେକ୍ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.