Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକରେ କୃତ୍ରିମ ଛେଳି ପ୍ରଜନନରେ ସଫଳତା

ତିହିଡ଼ି ବ୍ଲକରେ କୃତ୍ରିମ ଛେଳି ପ୍ରଜନନରେ ସଫଳତା

37

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକକୁ କୃତ୍ରିମ ଛେଳି ପ୍ରଜନନରେ ସଫଳତା ମିଳିଛି । ରାଜ୍ୟରେ ପ୍ରଥମକରି ତିହିଡ଼ି ବ୍ଲକରେ ଏହି ଛୁଆ ଜନ୍ମ ହୋଇଥିବା ତିହିଡ଼ି ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି । ଏହି ଯୋଜନା ଚଳିତ ବର୍ଷ ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୭୦ ଛେଳିକୁ କୃତ୍ରିମ ପ୍ରଜନନ ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୫୦ ଛେଳି ଗର୍ଭ ଧାରଣ କରିଛନ୍ତି । ଭାଟପଡ଼ା ପଞ୍ଚାୟତ ଅଧୀନ ଶଙ୍ଖିଡ଼ା ଗ୍ରାମରେ ଚଳିତ ମାସ ୬ ତାରିଖରେ ପ୍ରଥମେ ୩ଟି ଛେଳି ଛୁଆ ଜନ୍ମ ହୋଇଥିବା ବେଳେ ୧୧ ତାରିଖରେ ମହରମପୁରର ସଂଦୀପ କୁମାର ନାୟକଙ୍କ ୩ଟି ଛେଳି ଠାରୁ ୮ଟି ଛୁଆ ଜନ୍ମ ହୋଇଛନ୍ତି । କୃତ୍ରିମ ପ୍ରଜନନରେ ଗୋଟିଏ ଛେଳିରୁ ୨ରୁ ଅଧିକ ଛୁଆ ଜନ୍ମ ହେଉଥିବାରୁ ଏବଂ ଏହି ଛୁଆମାନେ ହୃଷ୍ଟପୁଷ୍ଟ ହେଉଥିବାରୁ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରାକୃତିକ ପ୍ରଜନନରେ କମ୍ ଛୁଆ ଜନ୍ମ ହେଉଥିବା ବେଳେ ମୃତ୍ୟୁ ହାର ଅଧିକ ହେଉଥିଲା । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଏହି ଯୋଜନାର ସୁବିଧା ନେଇ ପାରିଲେ ଛେଳି ଚାଷ ଲାଭ ଜନକ ବ୍ୟବସାୟ ହୋଇପାରିବ ବୋଲି ତିହିଡ଼ି ପ୍ରାଣୀ ଚିକିତ୍ସାଧିକାରୀ ତଥା ଏହି ପ୍ରକଳ୍ପର ମୁଖ୍ୟ ଡା. ନିରାକାର ଜେନା ପ୍ରକାଶ କରିଛନ୍ତି । ବ୍ଲକରେ ବ୍ଲାକ ବେଙ୍ଗଲ ଛେଳି ଚାଷ ପାଇଁ ପ୍ରକୃଷ୍ଟ ଅଞ୍ଚଳ ଏବଂ ଗତ ବର୍ଷକ ମଧ୍ୟରେ ଛେଳି ସଂଖ୍ୟା ୧୨ ହଜାରରୁ ୩୦ ହଜାରକୁ ବୃଦ୍ଧି ପାଇଛି ବୋଲି ଡା. ଜେନା କହିଛନ୍ତି । ବୋଦା ପାଳନ ଦ୍ୱାରା ଚାଷୀମାନେ ଖର୍ଚ୍ଚାନ୍ତ ହେଉଥିଲା ବେଳେ ଏହି କୃତ୍ରିମ ପ୍ରଜନନ ଦ୍ୱାରା କମ୍ ଖର୍ଚ୍ଚ ହେବ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.