ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ପୁରୁଣାହାଟ- କାଳୀମେଘା ରାସ୍ତା ବର୍ଷାପାଣିରେ କୁତ୍ରିମ ପୋଖରୀ ସଦୃଶ ହେଉଛି। ଯାହାଫଳରେ ପ୍ରତିଦିନ ଯାତାୟତ କରୁଥିବା ହଜାର ହଜାର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ସମସ୍ୟାର ସମାଧାନ କରି ଆଗାମୀ ୨୫ ତାରିଖ ସୁଦ୍ଧା ରାସ୍ତାରେ ଡ୍ରେନେଜ ନିର୍ମାଣ ସହିତ ଜବର ଦଖଲ ଉଚ୍ଛେଦ କରିବାକୁ ସୋମବାର ତିହିଡି ବଜାର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ କମିଟି ଦାବି ଜଣାଇଛି। ଏହା କାର୍ଯ୍ୟକାରୀ ନହେଲେ ୨୮ ତାରିଖରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କମିଟି ଆମରଣ ଅନଶନ କରିବବୋଲି ଚେତା୍ୱନୀ ଦେଇଛି। ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏନେଇ କଂଗ୍ରେସ କମିଟି ଅସନ୍ତୋଷ ପ୍ରକାଶ କରିବା ସହ ଆମରଣ ଅନଶନ କରିବାକୁ ନିଷ୍ପତି ନେଇଛି। ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ଦର୍ଶାଇଥିଲେ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିହିଡି଼ ପୁରୁଣାହାଟ -କାଳୀମେଘା ରାସ୍ତା ବ୍ୟସ୍ତବହୁଳ ହୋଇଥିବା ବେଳେ ପ୍ରତିଦିନ ସହସ୍ରାଧିକ ଲୋକ ରାସ୍ତାରେ ଯାତାୟତ କରିଥାନ୍ତି । ତିହିଡି଼ ଏନଏସି ଅଧୀନ ତହସିଲ କାର୍ଯାଳୟ ସାମ୍ନା, ପ୍ରଧାନସାହି ଓ ବଉଳପାଳ ଛକରେ ବର୍ଷାପାଣି ଜମି ରହୁଥିବାରୁ ୧୦ଟି ପଂଚାୟତର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଦୁର୍ଘଟଣା ଘଟି ଲୋକ ଆହତ ହେଉଛନ୍ତି।ଏହି ରାସ୍ତା ଦେଇ ତହସିଲ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ, ଜଳ ପରିମଳ ବିଭାଗ କାର୍ଯ୍ୟାଳୟ, ଉପ ନିବନ୍ଧକ ସମେତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯିବାକୁ ପଡୁଥିବାରୁ ଲୋକଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ସମସ୍ୟାରେ ପଡୁଛନ୍ତି । ତେବେ ଏହି ରାସ୍ତାର ଉଭୟ ପାର୍ଶ୍ୱ ଜବରଦଖଲ ହୋଇଥିବାରୁ ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି କୁତ୍ରିମ ପୋଖରୀ ହେଉଛି। ପ୍ରତିଦିନ ଶତାଧିକ ଯାନବାହନ ମଧ୍ୟ ରାସ୍ତାରେ ଚଳାଚଳ କରିଥାଏ । ତେବେ ବ୍ଲକ କଂଗ୍ରସ କମିଟି ପକ୍ଷରୁ ଡ୍ରେନେଜ ନିର୍ମାଣ ସହ ଜବରଦଖଲ ଉଛେଦ ପାଇଁ ବିଭିନ୍ନ ସମୟରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଗତ ଜୁନ୍ ୨୨ ତାରିଖରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସଭାପତି ଦାସ ଦର୍ଶାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରସ ନେତା ମିନ କେତନ ସେନାପତି, ସୁରେଶ ମହାପାତ୍ର, ତ୍ରିଲୋଚନ ମହାଳିକ,ପିତାମ୍ବର ସେଠୀ, ନରହରି ନାୟକ,ଶିବ ଚରଣ ନାୟକ, କୈଳାଶ ପାତ୍ର, ଦିଗମ୍ବର ରାଉଳ, ସୌମେନ୍ଦ୍ର ପଣ୍ଡା ,ସୌମ୍ୟ ପ୍ରକାଶ ନାୟକ,ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ରହି ତୁରନ୍ତ ସମସ୍ୟାର ସମାଧାନ କରାଯିବାକୁ ଦାବି କରିଥିଲେ।
Home ଜିଲ୍ଲା ପରିକ୍ରମା ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତା କୁତ୍ରିମ ପୋଖରୀ, ସମସ୍ୟାର ସମାଧାନ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ୨୮ରେ...








