Home ଜିଲ୍ଲା ପରିକ୍ରମା ଡାକ୍ତରଙ୍କ ଆନ୍ଦୋଳନ ୩ ଦିନରେ ପହଂଚିଲା,ଆୟୁଷ ଡାକ୍ତରଙ୍କ ଦ୍ୱାରା ରୋଗୀସେବା ଚାଲିଛି, ଗୁରୁତର ରୋଗୀଙ୍କୁ ରେଫର...

ଡାକ୍ତରଙ୍କ ଆନ୍ଦୋଳନ ୩ ଦିନରେ ପହଂଚିଲା,ଆୟୁଷ ଡାକ୍ତରଙ୍କ ଦ୍ୱାରା ରୋଗୀସେବା ଚାଲିଛି, ଗୁରୁତର ରୋଗୀଙ୍କୁ ରେଫର କରାଯାଉଛି

3

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ(ଓମ୍‌ସା)ର ଆହ୍ୱାନ କ୍ରମେ ବିଭିନ୍ନ ଦାବି ନେଇ ଡାକ୍ତରମାନଙ୍କ ଆନ୍ଦୋଳନ ଆଜି ତିନି ଦିନରେ ପହଂଚିଛି। ଡାକ୍ତର ନିଜ ଜିଦ୍‌ରେ ଅଟଳ ଥିବାବେଳେ ରୋଗୀ ଛଟପଟ ହେଉଛନ୍ତି। ଠପ୍ ହୋଇଯାଇଛି ସ୍ୱାସ୍ଥ୍ୟସେବା। ଏଭଳି ପରିସ୍ଥିତିରେ ଜନ ଅସନ୍ତୋଷ ବଢିଚାଲିଛି। ଏହାର ପ୍ରଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହ୍ୟ ରୋଗୀ ବିଭାଗ (ଓପିଡି) ସମେତ ଜରୁରୀ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେବା ସହ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଗୁରୁତର ରୋଗୀ ଓ ଦୁର୍ଘଟଣା ଜନିତ ଆହତ ବ୍ୟକ୍ତିଙ୍କୁ କଟକ ମେଡିକାଲକୁ ରେଫର କରାଚାଲିଛି। ଫଳରେ ରୋଗୀମାନେ ଖର୍ଚ୍ଚାନ୍ତ ହେବା ସହ ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେହିପରି ପ୍ରସୂତି ଜନିତ ମହିଳା, ଶିଶୁ ଓ ଅସ୍ତ୍ରୋପଚାର ଆବଶ୍ୟକ ପଡୁଥିବା ରୋଗୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ତେବେ ଓପିଡି, ନିର୍ଦ୍ଧାରିତ ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ନିୟମିତ ସେବା ବନ୍ଦ ରହିଥିବାରୁ ସାଧାରଣ ରୋଗୀମାନେ ଅଧିକ ହଇରାଣର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟବ୍ୟାପୀ ଓମ୍‌ସା ଆହ୍ୱାନରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ, ସରକାର ଶୀଘ୍ର ସମସ୍ୟାର ସମାଧାନ କରି ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଭଦ୍ରକ ଜିଲ୍ଲା ଓମ୍‌ସା ସଭାପତି ବରିଷ୍ଠ ଡାକ୍ତର ସୁଧୀରଂଜନ ନାୟକ ଓ ସମ୍ପାଦକ ଡାକ୍ତର ଅମିତାଭ ଜେନା ଏହି ଅନ୍ଦୋଲୋନର ନେତୃତ୍ୱ ନେଉଥିବା ବେଳେ ଆନ୍ଦୋଳନରେ ଶହେରୁ ଅଧିକ ସରକାରୀ ଡାକ୍ତର ସାମିଲ ଅଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଭଦ୍ରକରେ ମୃତଦେହ ବ୍ୟବଚ୍ଛେଦ ସ୍ୱଭାବିକ ଭାବେ ହୋଇପାରୁନଥିବା ବେଳେ ଠିକା ଡାକ୍ତରମାନେ ଏହା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା, ଜିଲ୍ଲା ମୁଖ୍ୟ ଚିକିତ୍ସାୟର ଓ.ଟି(ଅପରେସନ ଥିଏଟର) ଓ ମାଇନର ଓ.ଟି ବନ୍ଦ ଥିବାରୁ ଗୁରୁତର ରୋଗୀଙ୍କ କୌଣସି ଅପରେସନ କରାଯାଇ ପାରୁନି। ସେହିଭଳି ସବୁ ବିଶେଷଜ୍ଞ(ସ୍ପେଶାଲିଷ୍ଟ)ଡାକ୍ତରମାନେ ଆନ୍ଦୋଳନରେ ସାମିଲ ଥିବାରୁ ରୋଗୀମାନେ ବାରଓଳି ଶୁଣ୍ଢିପିଣ୍ଡା ହେଉଛନ୍ତି। ଡାକ୍ତରଙ୍କ ଏହି ଆନ୍ଦୋଳନ ଯୋଗୁଁ ୩ଦିନରେ ୭୦ରୁ ଅଧିକ ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ରେଫର୍ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଶିଶୁରୋଗୀ ଓ ମେଡିସିନ୍ ବିଭାଗର ଗୁରୁତର ରୋଗୀମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ପ୍ରକାଶଯୋଗ୍ୟ ପେରିଫେରିରେ ଥିବା ୭ଗୋଟି ସିଏଚସି, ୫୦ ଗୋଟି ପିଏଚସି ଓ ୨ଟି ସହରାଂଚଳ ଡାକ୍ତରଖାନା ସହ ମୁଖ୍ୟ ଚିକିତ୍ସାଳୟଳ ମିଶାଇ ୬୦ ସରକାରୀ ଡାକ୍ତରଖାନା ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ପ୍ରହରାଜଙ୍କ ସୂଚନାନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଜଣ ଆଡମିନିଷ୍ଟ୍ରେଟିଭ୍ ଅଧିକାରୀଙ୍କ ସହ ଆରବିଏସ୍‌କେ ରେ ୨୫ ଜଣ ଆୟୁଷ ଓ ୭ ଜଣ ଠିକା ଡାକ୍ତର ଏବେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଥିବାବେଳେ ଜିଲାର ସମସ୍ତ ସିଏଚ୍‌ସି ଓ ପିଏଚ୍‌ସିରେ ୫୮ ଜଣ ଆୟୁଷ ଡାକ୍ତର ରୋଗୀସେବାରେ ନିୟୋଜିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.