Home ଜିଲ୍ଲା ପରିକ୍ରମା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ,ଓଭରବ୍ରିଜ୍ କାମ ସାରିବା ଦାବିରେ ରାସ୍ତାରୋକ

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ,ଓଭରବ୍ରିଜ୍ କାମ ସାରିବା ଦାବିରେ ରାସ୍ତାରୋକ

2

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଆଜି ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଭଦ୍ରକ ରୋରାଲ ଥାନା ଅନ୍ତର୍ଗତ ଗଣ୍ଡୋଗୋରା ଗ୍ରାମର ବିଷ୍ଣୁ ସେଠୀଙ୍କ ପୁଅ ଆଶୋକ ସେଠୀ (୪୦)। ପୁଲିସ ସୂଚନା ଅନୁଯାୟୀ, ଆଶୋକ ବାଇକ୍‌ରେ ଭଦ୍ରକ ଅଭିମୁଖେ ଯାଉଥିବାବେଳେ ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ସେ ରାସ୍ତାକୁ ଛିଟିକି ପଡ଼ି ଟ୍ରକ୍ ଚକା ତଳେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ଆଶୋକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକାଇବା ସହ ରାଜପଥ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ପ୍ରାୟ ୩ ଘଂଟା ଧରି ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଷ୍ଣୁପୁର ଛକ ନିକଟରେ ଚାଲିଥିବା ଓଭରବ୍ରିଜ୍ କାମ ଦୀର୍ଘଦିନ ଧରି ଶେଷ ହେଉନଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ। ଓଭରବ୍ରିଜ୍ କାମ ଶୀଘ୍ର ଶେଷ କରିବାକୁ ସେମାନେ ଦାବି କରିଥିଲେ। ଖବର ପାଇ ଭଦ୍ରକ ତହସିଲଦାର ସଂଗ୍ରାମ ଖୁଂଟିଆ ଘଟଣାସ୍ଥଳରେ ପହଂଚି ରେଡକ୍ରସ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୩୦ ହଜାର ଟଙ୍କା ସହାୟତା ଦେଇଥିଲେ। ଭଣ୍ଡାରୀପୋଖରୀ ତହସିଲଦାର ରୋଜାଲିନୀ ବେହେରା, ଅତିରିକ୍ତ ଆରକ୍ଷ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ, ଧାମନଗର ଏସ୍‌ଡିପିଓ ବିଷ୍ଣୁ ଚରଣ ବାରିକ, ଥାନା ଅଧିକାରୀ ସୁବ୍ରଜିତ ଦାସ ଓ ଏସ୍‌ଆଇ ନାରାୟଣ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଲୋକଙ୍କ ସହ ଆଲୋଚନା କରିଥିଲେ। ରାଜପଥ କର୍ତୃପକ୍ଷ ଓଭରବ୍ରିଜ୍ କାମ ଶୀଘ୍ର ଶେଷ କରିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ଅବରୋଧ ହଟାଇଥିଲେ। ଏହାପରେ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପୁଲିସ ମୃତଦେହ ଜବତ କରି ଆଇନଗତ ପ୍ରକ୍ରିୟା ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.