Home ଓଡ଼ିଶା ଜେ.ଏନ୍ .ୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ବିରୁଦ୍ଧରେ ମିଳିତ ଛାତ୍ରସଂଗଠନମାନଙ୍କର ପ୍ରତିବାଦ ସଭା

ଜେ.ଏନ୍ .ୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ବିରୁଦ୍ଧରେ ମିଳିତ ଛାତ୍ରସଂଗଠନମାନଙ୍କର ପ୍ରତିବାଦ ସଭା

429

ଭୁବନେଶ୍ୱର, ୨୨ା୧୧ (ଓଡ଼ିଆ ପୁଅ) : ଜେ.ଏନ୍ .ୟୁ ଭାରତବର୍ଷର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। ଉଚ୍ଚମାନର ଗବେଷଣା ଶିକ୍ଷା ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଭାରତ ସମେତ ୧୪୫ ଗୋଟି ଦେଶରୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ ନିମନ୍ତେ ଆସିଥାଆନ୍ତି। ବର୍ତ୍ତମାନର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଚଳିତବର୍ଷ ଅର୍ଥନୀତି କ୍ଷେତ୍ରରେ ନୋବେଲ୍ ପୁରସ୍କାର ଜିତିଥିବା ଅଭିଜିତ୍ ବାନାର୍ଜୀଙ୍କ ପର୍ଯ୍ୟନ୍ତ ଜେ.ଏନ୍ .ୟୁ ଅନେକ ପ୍ରତିଭା ତିଆରି କରିଛି। ଆର୍ଥିକ ଅନଗ୍ରସର ପରିବାରବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୪୦% ସ୍ଥାନ ଏଠାରେ ସଂରକ୍ଷିତ ଯେଉଁମାନଙ୍କର ଦୈନିକ ଆୟ ୪୦୦ ଟଙ୍କାରୁ ବି କମ୍। ଯାହାଫଳରେ ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ ଏଭଳି ଏକ ଉଚ୍ଚସ୍ତରୀୟ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସୁଯୋଗ ପାଇଥାଆନ୍ତି। ବର୍ତ୍ତମାନର ନରେନ୍ଦ୍ର ମୋଦି ପରିଚାଳିତ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଜେ.ଏନ୍ .ୟୁ ଭଳି ଶିକ୍ଷାନୁଷ୍ଠାନକୁ ଧ୍ୱଂସ କରିବା ପାଇଁ ବାରମ୍ବାର ଉଦ୍ୟମ କରୁଛି। ଛାତ୍ରାବାସର ଫିସ୍, ପାଣି ଚାର୍ଜ, ବିଦ୍ୟୁତ୍ ଚାର୍ଜ ଇତ୍ୟାଦି ଆଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେନ୍ଦ୍ରସରକାରଙ୍କ ଇସାରାରେ ୨୦୦ ରୁ ୬୦୦ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ। ଏହି ଫି ବୃଦ୍ଧି ପ୍ରତିବାଦରେ ଜେ.ଏନ୍ .ୟୁର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ସମୟରେ ଦିଲ୍ଲୀ ପୋଲିସ୍ ର ଅମାନୁଷିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଦୃଷ୍ଟିହୀନ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟ ଏହି ମରଣାତ୍ମକ ଆକ୍ରମଣରୁ ରକ୍ଷା ପାଇନଥିଲେ। ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ ସମସ୍ତଙ୍କୁ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଆବଶ୍ୟକତାକୁ କୁଠାରଘାତ କରି ଫାଶୀବାଦୀ ବିଜେପି ସରକାର ଶିକ୍ଷା ବେପାର କମ୍ପାନୀମାନଙ୍କୁ ଅସୁମାରୀ ଲାଭ ପାଇଁ ପଥ ଉନ୍ମୁକ୍ତ କରୁଛନ୍ତି। ଏହି ଆନ୍ଦୋଳନର ସ୍ୱର ଏବେ ଭାରତ ବର୍ଷର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ମଧ୍ୟ ତୀବ୍ର ହେଲାଣି। ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଦାବି ସହିତ ଜେ.ଏନ୍ .ୟୁ.ର ଫି ବୃଦ୍ଧି ପ୍ରତ୍ୟାହାର ଦାବିକୁ ସମର୍ଥନ ଜଣାଇ ରାଜଧାନୀସ୍ଥ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏ.ଆଇ.ଏସ୍ .ଏଫ୍ ., ଏସ୍ .ଏଫ୍ .ଆଇ, ଏ.ଆଇ.ଡି.ଏସ୍ .ଓ., ଏ.ଆଇ.ଏସ୍ .ଏ., ଏ.ଆଇ.ଏସ୍ .ବି. ଓ ପି.ୱାଇ.ଏସ୍ .ଏଫ୍ . ଛାତ୍ରସଂଗଠନ ପକ୍ଷରୁ ଏକ ମିଳିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ପ୍ରଗତିଶୀଳ ବ୍ୟକ୍ତିମାନେ ମଧ୍ୟ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.