Home ଜିଲ୍ଲା ପରିକ୍ରମା ଜୀବିକା ପାଇଁ ସଂଘର୍ଷରେ ଦିବ୍ୟାଙ୍ଗ ସାଜିଛନ୍ତି ପରେଶ

ଜୀବିକା ପାଇଁ ସଂଘର୍ଷରେ ଦିବ୍ୟାଙ୍ଗ ସାଜିଛନ୍ତି ପରେଶ

64

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରର ବଡ଼ ପୁଅ । ଘରେ ପାଠ ପଢ଼ୁଥିବା ସାନ ଭାଇ ସମେତ ବୃଦ୍ଧ ବାପା, ପତ୍ନୀ ଓ ୨ବର୍ଷର ଶିଶୁ କନ୍ୟାଙ୍କୁ ନେଇ ତାଙ୍କର ପରିବାର । ବାପାଙ୍କ ବୃଦ୍ଧାବସ୍ଥା ପାଇଁ ପରିବାର ବୋଝ ମୁଣ୍ଡାଇବାକୁ ଆଗେଇ ଆସିଥିଲେ । ଘରର ଆର୍ଥୀକ ବ୍ୟବସ୍ଥାକୁ ସୁଧାରିବାକୁ ସଂଘର୍ଷ କରୁଥିବାବେଳେ, ଏକ ଆକସ୍ମିକ ଦୁର୍ଘଟଣାରେ ଦିବ୍ୟାଙ୍ଗ ସାଜିଲେ । ଇତିମଧ୍ୟରେ ୧୦ ବର୍ଷ ବିତିଯାଇଛି । ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧ ଆଗରେ ହାର ମାନି ନାହାନ୍ତି । ଏହାବ୍ୟତୀତ ନିଜ ଜୀବନର ନିତୀ ଓ ନୈତିକତା ସହ ସାଲିଶ କରି ନାହାନ୍ତି । ଆଜି ମଧ୍ୟ ସେ ଚଳଚଞ୍ଚଳ । ଏହି ଯୁବକ ଜଣକ ହେଉଛନ୍ତି ଭଦ୍ରକ ବ୍ଲକ ନଳାଙ୍ଗ ମୂଳଗାଁ ନିବାସୀ ନିରଂଜନ ପଣ୍ଡାଙ୍କ ପୁତ୍ର ପରେଶ(୩୨) ।ସୂଚନା ଅନୁଯାୟୀ ୧୦ ବର୍ଷ ପୂର୍ବେ ପରେଶ ବାଙ୍ଗାଲୁରରେ ଏକ ଘରୋଇ କମ୍ପାନୀ ଗୌତମ ଏଣ୍ଟରପ୍ରାଇଜେସରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏଥିରେ ତାଙ୍କ ଡାହାଣହାତର କହୁଣୀ ତଳକୁ ସମ୍ପୂର୍ଣ୍ଣ କଟିଯାଇଥିଲା । କମ୍ପାନୀ କତ୍ତ୍‌ୃର୍ପକ୍ଷ ଆବଶ୍ୟକ ଚିକିତ୍ସା ଓ ଅସ୍ତ୍ରୋପଚାର କରିବା ପରେ ପରେଶଙ୍କୁ ଘରକୁ ପଠାଇ ଦେଇଥିଲେ । କାରଣ ଡାହାଣ ହାତ କଟି ଯାଇଥିବାରୁ ସେ କମ୍ପାନୀର କୌଣସି କାମ କରିବାକୁ ଅସମର୍ଥ ଥିଲେ । ତଥାପି କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ପୁଣି କାମ କରିବାର ସୁଯୋଗ ଦେଇଥିଲେ ମଧ୍ୟ ପରେଶ ନିଜର ଅକ୍ଷମତା ପ୍ରକାଶ କରିଥିଲେ । କିନ୍ତୁ ଘରେ ବିନା କାମରେ ବସିବାକୁ ଆଦୌ ଚାହିଁନଥିଲେ ପରେଶ । ଘରର ଆର୍ଥୀକ ସ୍ଥିତି ଭଲ ନଥିବାରୁ ଅଧିକ ପୁଞ୍ଜି ଖଟାଇ କୌଣସି ବ୍ୟସାୟ ମଧ୍ୟ କରି ପାରିନଥିଲେ । ପରିବା ବ୍ରବସାୟ ଏବେ ବ୍ୟୟବହୁଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ଯୋଗାଯୋଗ କରି ପରେଶ କେବଳ କଦଳୀ ଓ ମଞ୍ଜା ବିକ୍ରି ଆରମ୍ଭ କରିଥିଲେ । ଏହି ସାମଗ୍ରୀକୁ ପରେଶ ଗତ ୩ବର୍ଷ ହେଲା ଭଦ୍ରକ କଲେଜ ରୋଡର ପରିବା ହାଟ ଓ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ରି କରି ଆସୁଛନ୍ତି । ଏତିକିରୁ ଯାହା କିଛି ରୋଜଗାର ହେଲା, ସେଥିରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଏକମାତ୍ର ରୋଜଗାରିଆ ବଡ଼ପୁଅର ଏପରି ଅବସ୍ଥା ଦେଖି ବୃଦ୍ଧ ବାପା ମଧ୍ୟ ମୂଲ ଲାଗିବାକୁ ପଛାଉ ନାହାନ୍ତି । ଦୃଢ଼ ଇଛାଶକ୍ତି ତାଙ୍କ ମନୋବଳକୁ ଅଧିକ ଦୃଢ଼ କରିଛି । ଶାରିରୀକ ଭାବେ ଭିନ୍ନକ୍ଷମ ହେଲେ ମଧ୍ୟ ନଜକୁ କେବେ ମଧ୍ୟ ଅକ୍ଷମ ବୋଲି ଭାବୁ ନାହାନ୍ତି ପରେଶ । ସରକାରଙ୍କ କୌଣସି ଆତ୍ମନିର୍ଭର ଯୋଜନାରେ ପରେଶଙ୍କୁ ସହାୟତା ଦିଆଗଲେ, ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିପାରନ୍ତେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.