Home ଓଡ଼ିଶା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ କଂଗ୍ରେସ ପକ୍ଷରୁ ଦାବି

ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ କଂଗ୍ରେସ ପକ୍ଷରୁ ଦାବି

78

ବଲାଙ୍ଗୀର, ୧୬-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଉପଖଣ୍ଡର ବେଲପଡା, ପାଟଣାଗଡ଼ ଆଦି ଅଞ୍ଚଳରେ ସରକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ଅନେକ ଲୋକ ଆବେଦନ କରି ଦୀର୍ଘ ଦିନ ଅତିବାହିତ ହେବା ସତ୍ୱେ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଚଳିତ ବର୍ଷା ସମୟରେ ମଧ୍ୟ ଏ ନେଇ ବାରମ୍ବାର ଆବେଦନ, ନିବେଦନ କରିବା ସତ୍ତ୍ୱେ କେହି କର୍ଣ୍ଣପାତ ନ କରିବା ନେଇ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।

ଏହି ଅଞ୍ଚଳରେ ବର୍ଷା ଯୋଗୁଁ ଅନେକ ସଂଖ୍ୟକ ଘର ଭାଙ୍ଗିବା ସହ ଅନେକ ଦୁର୍ଦ୍ଦଶାର ଶିକାର ହେବା ସତ୍ୱେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ସେହିପରି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଦେଉଳଗାଁ ପଞ୍ଚାୟତର ଘୁନଘୁଟିପାଲି ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଏକ ଘର ଭାଙ୍ଗି ଜଣେ ୧୬ ବର୍ଷିୟା ଝିଅ ଦୀପା ବାରଲେଣ୍ଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ୪ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଗତକାଲି ସକାଳୁ ଲାଗି ରହିଥିବା ଅନବରତ ବର୍ଷା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଘୁନଘୁଟିପାଲି ଗ୍ରାମର ଶୋଭାବନ ବାରଲେଣ୍ଡିଆ(୪୫) ସପରିବାର ଗାଁରେ ଥିବା ନିଜ ଘର ଛାଡି କିଛି ଦୂରରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ କାମ କରୁଥିବା ସହ ସେଠାରେ ଏକ ଘରେ ରହୁଥିଲେ। ତେବେ ଗତ ସନିବାର ଦିନ ଶନି ମେଳା କରିବା ପାଇଁ ସପରିବାର ନିଜ ଘରକୁ ଆସିଥିବା ସହ ପୂଜା ପରେ ଖାଇ ପିଇ ନିଜ ଘରେ ଶୋଇଥିଲେ। ତେବେ ଆଜି ଭୋର ପ୍ରାୟ ୫ ଟା ବେଳକୁ ଘରର କାନ୍ଥ ଭାଙ୍ଗି ସେମାନଙ୍କ ଉପରେ ପଡିଯିବା ଯୋଗୁଁ ପରିବାରର ସଭିଏଁ ଗୁରୁତର ହୋଇ ପଡିଥିଲେ।

ଏହା ଜାଣି ଗ୍ରାମବାସୀ ସେମାନଙ୍କୁ ମାଟି କାନ୍ଥ ତଳୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ। ରାସ୍ତାରେ ଶୋଭାବନଙ୍କ ଝିଅ ଦୀପାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା।ଏଥିରେ ପରିବାରର ଅନ୍ୟ ସଦସ୍ୟ ଶୋଭାବନ, ସ୍ତ୍ରୀ ସତ୍ୟଭାମା(୪୩), ପୁଅ ଦୀପକ(୧୪) ଏବଂ ଟିଟୁ(୬)ଙ୍କୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଅବସ୍ଥା ସ୍ଥିର ରହିଛି।

ସେହିପରି ବେଲପଡାର କୁମୁଦ ମାଝି, ନରେନ୍ଦ୍ର କୁମ୍ଭାରଙ୍କ ଘର ଭାଙ୍ଗିଥିବା ବେଳେ ପ୍ରଶାସନ ତରଫରୁ ଜରୀ ପାଇଁ ଆବେଦନ ସତ୍ୱେ କିଛି ପଦକ୍ଷେପ ନ ନେବା ଓ କାନ୍ଥ ପଡି ରୁକ୍ମିଣୀ ମାଝୀ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଦୃଢ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.