ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାନ୍ଦୀଆ, ଭଦ୍ରକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନ୍ୟାୟ ବିଚାର କୃତ୍ରିମ ଜ୍ଞାନ କୌଶଳ ଏବଂ ବିଚାର ହେଉଥିବା ମାମଲା ଗୁଡ଼ିକର ରାୟ ଆଂଚଳିକ ଭାଷା ମାଧ୍ୟମରେ ଲୋକମାନଙ୍କ ପାଖରେ କିପରି ସହଜରେ ପହଂଚି ପାରିବ ଏବଂ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଇନ୍, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍, ସିଭିଲ୍ ଓ ଫୌଜଦାରୀ ଆଇନ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ପୂଣ୍ୟଶ୍ଳୋକ ରଥ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ବକ୍ତବ୍ୟରେ କହିଥିଲେ ଯେ ମଧ୍ୟସ୍ଥତା ହେଉଛି ଏପରି ଏକ ପ୍ରକ୍ରିୟା ଯାହାଦ୍ୱାରା ବହୁତ ଅସହାୟ ଲୋକ ସୁବିଧାରେ ଓ ସହଜରେ ସେମାନଙ୍କର ମାମଲାର ସମାଧାନ କରିପାରିବେ ତଥା ଆସନ୍ତା ଅକ୍ଟୋବର- ୨୦୨୬ ମାସରୁ ମଧ୍ୟସ୍ଥତା ମାଧ୍ୟମରେ ଉପଯୁକ୍ତ ବିଚାରାଧୀନ ମାମଲାଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ ୩ .୦ ସମଗ୍ର ଭାରତବର୍ଷରେ ଆରମ୍ଭ ହେବାକୁ ଯାଉଅଛି। ଏହି ମଧ୍ୟସ୍ଥତା ଅଭିଯାନର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧାନ ବ୍ୟବସ୍ଥା ମାଧ୍ୟମରେ ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ସହିତ ସହଯୋଗ କରିବା। ଅତିଥି ମାନଙ୍କ ମଧ୍ୟରେ ସହାୟକ ଏଲ୍.ଏ.ଡିସ୍.ଏସ୍. ଡଃ ତାପସ କୁମାର ମହାନ୍ତି, ଜିଲ୍ଲା ଶିଶୁ ଓ ଯତ୍ନ ବିଭାଗ, ଭଦ୍ରକର ଲିଗାଲ ପ୍ରୋବେଶନ ଅଧିକାରୀ ସୁଭାଶିଷ ମିଶ୍ର, ଶିଶୁ ସହାୟକ ବିଭାଗର (ଚାଇଲ୍ଡ ହେଲ୍ପ ଲାଇନ) ରମାକାନ୍ତ ଜେନା, କଲେଜର ଉପ-ଅଧ୍ୟକ୍ଷ ଲକ୍ଷ୍ମୀଧର ନାୟକ ଏବଂ ପ୍ରମୁଖ ଅଧ୍ୟାପକ ତଥା ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ଏହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ।
Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାନ୍ଦିଆରେ ସଚେତନତା କାର୍ଯ୍ୟକ୍ରମ







