Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ସାମୂହିକ ମାରାଂବୁରୁ ପୂଜା : ପାରମ୍ପାରିକ ଆଦିବାସୀ ନୃତ୍ୟରେ କମ୍ପିଲା ବଡ଼ଖୁଆ ଅଞ୍ଚଳ

ଜିଲାସ୍ତରୀୟ ସାମୂହିକ ମାରାଂବୁରୁ ପୂଜା : ପାରମ୍ପାରିକ ଆଦିବାସୀ ନୃତ୍ୟରେ କମ୍ପିଲା ବଡ଼ଖୁଆ ଅଞ୍ଚଳ

51

ବାଲେଶ୍ୱର, ୧୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ବଡ଼ଖୁଆ ଜୁଆନ ଜୁମିଦ ଯୁବକ ସଂଘ ପକ୍ଷରୁ ଜିଲାସ୍ତରୀୟ ଆଦିବାସୀ ସମ୍ମିଳନୀ ଓ ସାମୂହିକ ମାରାଂବୁରୁ ପୂଜା ବେଶ ହର୍ଷ ଉଲାସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସହର ସମେତ ଜିଲାର ଇଞ୍ଚୁଡ଼ି ପାହି, ଜୟଦେବକସବା, ନିଧିପଣ୍ଡା, ପାତ୍ରପଡ଼ା ପ୍ରଭୃତି ଅଞ୍ଚଳ ଓ ମୟୁରଭଂଜ ଜିଲାର ବିଭିନ୍ନ ସ୍ଥାନରୁ ଆଦିବାସୀ କମିଟିର ସଦସ ସଦସ୍ୟାମାନେ ଏହି ଉତ୍ସବରେ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା। ବଡ଼ଖୁଆ ପଡ଼ିଆରେ ଆଦିବାସୀ ପୂଜକ ବା ଦେହୁରୀ ମାରାଂବୁରୁ ଦେବତାଙ୍କୁ ବିଧିମତେ ପୂଜାର୍ଚ୍ଚନା କରିବା ପରେ ପାରମ୍ପାରିକ ନୃତ୍ୟଗୀତରେ ସମସ୍ତେ ସାମିଲ ହୋଇଥିଲେ। ଶ୍ରୀ ପଞ୍ଚମୀରେ ଅନୁଷ୍ଠିତ ଏହି ଉତ୍ସବରେ ସକାଳେ ସମସ୍ତେ ଘର ଘରେ ମାରାଂବୁରୁ ଦେବତାଙ୍କୁ ପଜୂା କରିବା ପରେ ବଡ଼ଖୁଆ ଗ୍ରାମସ୍ଥିତ ଦେବତାଙ୍କ ଆସ୍ଥାନରେ ସାମୂହିକ ପୂଜାରେ ଯୋଗ ଦେଇଥିଲେ। ଅପରାହ୍ନରେ ମାରାଂବୁରୁ ଦେବତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସାମୂହିକ ନୃତ୍ୟ କାର୍ଯ୍ୟକ୍ରମକୁ ପୂର୍ବତନ କାଉନସିଲର ଉଦଘାଟନ କରିଥିଲେ। ଆଧୁନିକ ଚାକଚ୍ୟରେ ହଜି ଯାଉଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଥିଲେ। ଅନ୍ୟପକ୍ଷରେ ପରିବାରର ସମସ୍ତଙ୍କ କୁଶଳ ମଙ୍ଗଳ ଓ ଆଦିବାସୀ ସମାଜର କଲ୍ୟାଣ ନିମନ୍ତେ ଏହି ଉତ୍ସବ ଆୟୋଜିତ ହୋଇଥାଏ ବୋଲି ଯୁବକ ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ। ଆଦିବାସୀ ଦେବାତାଙ୍କ ଆଶୀର୍ବାଦରୁ ସେମାନେ ଶାନ୍ତି ଶୃଙ୍ଖଳା ଓ ସୌହାର୍ଦ୍ଧ୍ୟର ସହ ଜୀବନଯାପନର କାମନା କରି ଏହି ଉତ୍ସବ ପାଳନ କରିଥା’ନ୍ତି ବୋଲି ସେମାନେ କହିଥିଲେ। ମାଦଳ ଓ ଘଣ୍ଟାର ତାଳେ ତାଳେ ପାରମ୍ପାରିକ ବେଶଭୂଷାରେ ସଜ୍ଜିତ ବହୁ ଆଦିବାସୀ ପୁରୁଷ ଓ ମହିଳା ହାତକୁ ହାତ ଧରି ନାଚୁଥିବା ଦେଖିବାକୁ ମିଳିଥିଲା। ସବୁଠିଥିଲା ଆଦିବାସୀ ପରାମ୍ପରାର ଝଲକ। ଏମିତିକି ଆଧୁନିକତା ସ୍ପର୍ଶ ସହ ଜିନ୍ସ ଓ ଟି ସାର୍ଟ ପିନ୍ଧା ଯୁବଗୋଷ୍ଠୀ ମଧ୍ୟ ଏହି ନାଚରେ ମତୁଆଲା ହେଉଥିବା ଲକ୍ଷ୍ୟ କରାଯାଇଥିଲା। ସଂଧ୍ୟାରେ ଆଦିବାସୀଙ୍କ ନୃତ୍ୟ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା ସହ ଦେବତାଙ୍କ ଆସ୍ଥାନ ନିକଟରେ ପହଞ୍ଚିବା ପରେ ଉତ୍ସବ ଉଦଯାପିତ ହୋଇଥିଲା। ଲାଲ ମୋହନ ହେମ୍ବ୍ରମ, ସୁରେନ ମୁର୍ମୁ, ଦାସ ହେମ୍ବ୍ରମ, ବୁଦ୍ଧିଆ ହେମ୍ବ୍ରମ, ଦାସ ହେମ୍ବ୍ରମ, ଉଦୟ ହେମ୍ବ୍ରମ, ଶ୍ୟାମ ମୁର୍ମୁ, ମହେନ୍ଦ୍ର ମାଝୀ, ଜିତେନ୍ଦ୍ର ମୁର୍ମୁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.