Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଗାଡି ଭଙ୍ଗାରୁଜା ଓ ବ୍ରହ୍ମପୁର ହତ୍ୟାକାଣ୍ଡ ପରେ ଉଠିଲା ପ୍ରଶ୍ନ, ଗୁଇନ୍ଦା ବିଭାଗ କରୁଛି...

ଜିଲାପାଳଙ୍କ ଗାଡି ଭଙ୍ଗାରୁଜା ଓ ବ୍ରହ୍ମପୁର ହତ୍ୟାକାଣ୍ଡ ପରେ ଉଠିଲା ପ୍ରଶ୍ନ, ଗୁଇନ୍ଦା ବିଭାଗ କରୁଛି କ’ଣ!

81

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୁଲିସ୍‌ର ଅପରାଗତା ନେଇ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଜିଲା ପୁଲିସ୍ କିଭଳି ନିୟନ୍ତ୍ରଣ କରିବ, ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତରେ ଘଟିଯାଇଥିବା ହିଂସାକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା ପୁଲିସ୍‌ର ନିଷ୍କ୍ରିୟତାକୁ ପଦାରେ ପକାଇଛି। ସଂଗଠିତ ହିଂସାକାଣ୍ଡର ପୂର୍ବାଭାସ ଉତ୍ତେଜନା ମୂଳକ ପରିସ୍ଥିତିି ସଂପର୍କରେ ସ୍ଥାନୀୟ ପୁଲିସ୍ ଅବଗତ ଥିଲେ ବୋଲି ସେଠାକାର ଅଞ୍ଚଳବାସୀଙ୍କ ଠାରୁ ଜଣାଯାଇଛି। ପୁଲିସ୍ ଯଦି ଏହି ଉତ୍ତେଜନାମୂଳକ ପରିସ୍ଥିତିକୁ ଗୁରୁତ୍ୱ ଦେଇ ଠିକ୍ ବେଳେ ପଦକ୍ଷେପ ନେଇଥାନ୍ତେ ଏ ମୃତ୍ୟୁ ଘଟଣାକୁ ଏଡାଇ ଦିଆଯାଇପାରିଥାନ୍ତା। ଏହି ପଞ୍ଚାୟତର ଭଦ୍ରକ-ଚାନ୍ଦବାଲି / ବାସୁଦେବପୁର ସଡକ ପଥର ପାଶ୍ୱର୍ର ଅବସ୍ଥିତ।

ନିର୍ମାଣଧୀନ ଖେଳପଡିଆ ଓ ଏକ କ୍ଲବ୍‌ଘରକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି। ଏହି ବିବାଦୀୟ ଘଟଣା ସଂପର୍କରେ ପ୍ରଶାସନ ମଧ୍ୟ ପୂର୍ବରୁ ଅନୁଧ୍ୟାନ କରିଥିଲା। ଏବେ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ମୃତ୍ୟୁ ଘଟଣାରେ ରାଜନୈତିକ ରଙ୍ଗ ଲାଗିଯାଇଛି। ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ଓ ଶାସକ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଚାଲିଛି। ଜିଲାର ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମୁତା ଯେତିକି ବଢିଚାଲିଛି। ଜିଲା ପୁଲିସ୍‌ର ଆଇନ୍ କାନୁନ୍ ବ୍ୟବସ୍ଥା ଅଧିକ ଶୀଥିଳ ହେବାରେ ଲାଗିଛି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଜିଲା ପୁଲିସ୍ ଏହାକୁ ଗୁରୁତ୍ୱ ଦେଉନଥିବା ଭଳି ଉପଲବ୍ଧ ହୋଇଛି। ଜିଲା ପୁଲିସ୍‌ର କାର୍ଯ୍ୟ ଦକ୍ଷତାକୁ ନେଇ ଗଣତନ୍ତ୍ର ଦିବସରେ ଜିଲାର କେତେକ ପୁଲିସ୍ ଅଧିକାରୀ ରାଜ୍ୟସ୍ତରୀୟ ସମ୍ମାନ ମିଳିଛି। ବାସ୍ତବ ଚିତ୍ର ହେଲା ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଜିଲା ପୁଲିସ୍ ବହୁ ପଛରେ ପଡିଛି। ଗତ ଏକମାସ ତଳେ ବିଜେପି କର୍ମୀଙ୍କ ଜିଲାପାଳଙ୍କ ଅଫିସ୍ ଘେରାଉ ଓ ତାଙ୍କ ଗାଡି ଭଂଗାରୁଜା ଘଟଣାକୁ ନିୟନ୍ତ୍ରଣ କରିବାରେ ପୁଲିସ୍‌ର ବିଫଳତା ପଦାରେ ପଡିଥିଲା। ଜିଲାପାଳଙ୍କୁ ସୁରକ୍ଷା ଦେଇପାରୁନଥିବା ପୁଲିସ୍ ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦେବ ଏନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଥିଲା। ବ୍ରହ୍ମପୁର ହତ୍ୟାକାଣ୍ଡ ଓ ଜିଲାପାଳଙ୍କ ଗାଡି ଭଂଗାରୁଜା ଦୁଇଟି ସମ୍ବେଦନଶୀଳ ଘଟଣାରେ ଜିଲା ପୁଲିସ୍‌ର ଗୁଇନ୍ଦା ବିଭାଗ ଫେଲ୍ ମାରିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.