Home Top News ଜାତୀୟ ସଂପତିକୁ ହାତେଇଥିବା ଗାନ୍ଧି ପରିବାରକୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସତ୍ୟାଗ୍ରହର ନାଟକ କରୁଛି କଂଗ୍ରେସ...

ଜାତୀୟ ସଂପତିକୁ ହାତେଇଥିବା ଗାନ୍ଧି ପରିବାରକୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସତ୍ୟାଗ୍ରହର ନାଟକ କରୁଛି କଂଗ୍ରେସ :ଡ.ସମ୍ବିତ ପାତ୍ର

85

ଭୁବନେଶ୍ୱର, ୧୨/୦୬ (ଓଡ଼ିଆ ପୁଅ) : କଂଗ୍ରେସ ଦଳ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର। ଗାନ୍ଧୀ ପରିବାର ଭ୍ରଷ୍ଟାଚାରରେ ସଂପୂର୍ଣ୍ଣ ଲିପ୍ତ ବୋଲି ସମସ୍ତଙ୍କୁ ଜଣାଅଛି। ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧି ପରିବାରର ସଂପୃକ୍ତି କାରଣରୁ ବର୍ତମାନ ଉଭୟ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି କୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ପାଇ ବାହାରେ ବୁଲୁଛନ୍ତି। ଅର୍ଥ ହେରଫେର ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉଭୟଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ। ସୋନିଆ ଗାନ୍ଧି ହାଜର ହୋଇନଥିବାବେଳେ ଆସନ୍ତାକାଲି ରାହୁଲ ଗାନ୍ଧି ହାଜର ହେବାର ଅଛି। ଜାତୀୟ ସଂପତିକୁ ଚୋରି କରିଥିବା ଏବଂ ଧରାପଡିବା ଭୟରେ ଗାନ୍ଧି ପରିବାର ପୁଣି ଡ୍ରାମାବାଜୀ ଆରମ୍ଭ କରିଦେଇଛନ୍ତି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର କହିଛନ୍ତି।

ନ୍ୟାସନାଲ ହେରାଲ୍ଡ ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ଏବଂ ଜାତୀୟ ସଂପତିକୁ ଚୋରି କରିଥିବା ଅଭିଯୋଗରୁ ଖସିଯିବା ପାଇଁ ଗାନ୍ଧି ପରିବାର ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ ବଂଚାଇବା ପାଇଁ ଆସନ୍ତା କାଲି ସମସ୍ତ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀକୁ ଆଣି ସତ୍ୟାଗ୍ରହ କରାଯିବାକୁ ଡାକରା ଦିଆଯିବା କେବଳ ଏକ ନାଟକବାଜୀ ବୋଲି ଡ.ପାତ୍ର କହିଛନ୍ତି।

ପାଂଚ ହଜାରରୁ ଊର୍ଦ୍ଧ୍ୱ ସ୍ୱାଧିନତା ସଂଗ୍ରାମୀଙ୍କଠାରୁ ଟଙ୍କା ଆଣି ୧୯୩୭ ମସିହାରେ ଜବାହାରଲାଲ ନେହେରୁ ଏସୋସିଏଟ୍ ଜର୍ନାଲ କମ୍ପାନୀ (ଏଜେଏଲ୍‌) ପ୍ରତିଷ୍ଠା କରିଥିଲେ। ଏହି ବ୍ୟବସାୟିକ କମ୍ପାନୀର କରଜ ପରିମାଣ ୯୦ କୋଟି ଟଙ୍କା ବୃଦ୍ଧି ପାଇବା କାରଣରୁ ୨୦୦୮ ମସିହାରେ ଏହାକୁ ବନ୍ଦ କରିଦିଆଗଲା। ପରବର୍ତ୍ତୀ ସମୟରେ ଏଜେଏଲ କମ୍ପାନୀ କଂଗ୍ରେସ ଦଳରୁ ୯୦ କୋଟି ଟଙ୍କା ଆଣିଥିଲା। ଗାନ୍ଧି ପରିବାରର ନିର୍ଦ୍ଦେଶକ୍ରମେ କଂଗ୍ରେସ ଦଳର କୋଷାଧ୍ୟକ୍ଷ ଶ୍ରୀ ମୋତିଲାଲ ବୋରା ଏଜେଏଲ କମ୍ପାନୀର ଚେୟାରମ୍ୟାନ ଥିବା ସେହି ମୋତିଲାଲ ବୋରାଙ୍କୁ ୯୦ ଟଙ୍କା ଦେଇଥିଲେ। ଯାହାକି ଆଇନତଃ ଅପରାଧ। ସମୟକ୍ରମେ ୟଙ୍ଗ ଇଣ୍ଡିଆ କମ୍ପାନୀ ଗଠନ କରାଯାଇଥିଲା ଏବଂ ଏହାର ଅଧ୍ୟକ୍ଷ ମଧ୍ୟ ମୋତିଲାଲ ବୋରା ହୋଇଥିଲେ। ସେୟାର ହୋଲ୍ଡରଙ୍କ ବିନା ପରାମର୍ଶରେ ଏଜେଏଲ କମ୍ପାନୀର ସେୟାରକୁ ୟଙ୍ଗ୍ ଇଣ୍ଡିଆକୁ ବିକ୍ରି କରିଦିଆଯାଇଥିଲା, ଯାହାକି ସଂପୂର୍ଣ୍ଣ ଅବୈଧ ଏବଂ ଆଇନିବିରୋଧି। ମାତ୍ର ୫ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ୟଙ୍ଗ୍ ଇଣ୍ଡିଆ କଂପାନୀରେ ଏଜେଏସ୍ କଂପାନୀ ନାମରେ ଥିବା ଦିଲ୍ଲୀ, ମୁମ୍ବାଇ, ହରିୟାନା, ଇନ୍ଦୋର, ଭୋପାଳ ସମେତ ଦେଶର ବିଭିନ୍ନ ସ୍ଥାନରେ ଜମି ଆପେଆପେ ୟଙ୍ଗ୍ ଇଣ୍ଡିଆର ହୋଇଗଲା, ଯାହାର ମୂଲ୍ୟ ପ୍ରାୟ ୫୦୦୦କୋଟି ହେବ। ୫ଲକ୍ଷ ଟଙ୍କାରେ ଗାନ୍ଧି ପରିବାର ୫୦୦୦କୋଟିର ସମ୍ପତିର ମାଲିକ ହୋଇଗଲେ। ୟଙ୍ଗ୍ ଇଣ୍ଡିଆ ଲିମିଟେଡ କମ୍ପାନୀରେ ସୋନିଆ ଗାନ୍ଧିଙ୍କ ୩୮ପ୍ରତିଶତ ଓ ରାହୁଲ ଗାନ୍ଧିଙ୍କ ୩୮ ପ୍ରତିଶତ ସେୟାର ରହିଛି। ଏହା ବ୍ୟତୀତ ମୋତିଲାଲ ବୋରାଙ୍କ ୧୨ ପ୍ରତିଶତ ସେୟାର ରହିଛି। ଜାତୀୟ ସମ୍ପତିକୁ ଛଳନା କରି ହାତେଇଥିବା ଗାନ୍ଧି ପରିବାର ଧରା ପଡିବା ଭୟରେ ସତ୍ୟାଗ୍ରହ କରିବାର ଛଳନା ଆରମ୍ଭ କରିଦେଇଛି ବୋଲି ଡ.ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.