ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଜାତୀୟ ପ୍ରେସ୍ ଦିବସ ଆଜି ସାରା ଦେଶରେ ପାଳିତ ହେଉଥିବାବେଳେ ଭଦ୍ରକରେ ଏହି ଦିବସ ପାଳନରେ ଅବ୍ୟବସ୍ଥାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରୀ ଯୋଜନାର ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସର୍ବସାଧାରଣରେ ତଥା ତୃଣମୂଳ ସ୍ତରରେ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମକୁ ସାମ୍ବାଦିକ ମାନେ ପହଚାଂଇଥାଆନ୍ତି। ପ୍ରଶାସନ, ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରେସ୍ ହେଉଛି ଏକ ଶ୍ରେଷ୍ଠ ଯୋଗସୂତ୍ର। ଏଣୁ ଜାତୀୟ ସ୍ତରରେ ପ୍ରେସ୍ ଦିବସ ପାଳନ ପାଇଁ ଗୁରୁତ୍ୱ ଦିଆଯାଇଛି। ଆଜି ଭଦ୍ରକର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଭଦ୍ରକ ତରଫରୁ ଆଜି ପୂର୍ବାହ୍ନ ୧୧ ଘଟିକାରେ ଜାତୀୟ ପ୍ରେସ୍ ଦିବସ ପାଳନ ହେବାରେ ଅବ୍ୟବସ୍ଥା ଦେଖାଦେଇଛି। ଆୟୋଜିତ ଏହି ସଭାରେ ଜିଲା ପ୍ରଶାସନର କେତେକ ବରିଷ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ସମସ୍ତ ସାମ୍ବାଦିକମାନେ ଠିକ୍ ସମୟରେ ସଂସ୍କୃତି ଭବନ ଠାରେ ଉପସ୍ଥିତ ହୋଇଥିଲେ ମଧ୍ୟ ବରିଷ୍ଠ ଅଧିକାରୀ ଦୁଇଘଂଟା ବିଳମ୍ବରେ ଆସିବାରୁ ସଭାସ୍ଥଳ ଛାଡି କେତେକ ସାମ୍ବାଦିକ ପଳାଇଯାଇଥିଲେ। ପ୍ରଶାସନିକ ଅଣଦେଖା ଓ ସାମ୍ବାଦିକ ମାନଙ୍କ ପ୍ରତି ହେୟଜ୍ଞାନ ମନୋଭାବ ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା। ତେବେ ବିଳମ୍ବରେ ହେଲେ ବି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ ସାମ୍ବାଦିକ ଓ ପ୍ରଶାସନର ସୁସମ୍ପର୍କ ନରହିଲେ ପ୍ରଶାସନିକ ବ୍ୟବସ୍ଥା ଭୁଶୁଡିପଡିବ ବୋଲି ସେ କହିଥିଲେ। ତୃଣମୂଳ ସ୍ତରରେ ଯେଉଁସବୁ ସମସ୍ୟା ଉପୁଜିଛି, ତାହାର ସମାଧାନ କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା,ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ଦୁର୍ଗାଶଙ୍କର ବିଶ୍ୱାଳ ପ୍ରଦୀପ ପ୍ରଜ୍ୱଳନ କରି ସଭାର ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଚଳିତ ବର୍ଷର ବିଷୟବସ୍ତୁ “ସାମ୍ବାଦିକତା – ଲୋକପ୍ରିୟତା ବନାମ କର୍ତବ୍ୟବୋଧ’ ଶୀର୍ଷକ ଆଲୋଚନାରେ ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ, ହରିହର ନାୟକ, ଗୌରହରି ନାୟକ, ନରେନ୍ଦ୍ର ସାମଲ, ଜ୍ଞାନପ୍ରକାଶ ପାଣି, ସନାତନ ରାଉତ,ବଂଶୀଧର ଦାସ, ପ୍ରମୋଦ ନାୟକ, ଅଶୋକ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ବିଶେଷକରି ପେନସନ ପ୍ରଦାନ ଓ ସୁରକ୍ଷା ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅତିରିକ୍ତ ଜିଲାପାଳ ଶ୍ରୀ ସାହୁ ଆଜି ଜନଶୁଣାଣୀ ଥିବାରୁ ପ୍ରଶାସନର ଏଭଳି ବିଳମ୍ବକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗର ସହାୟିକା ମିନାକ୍ଷୀ ଗରାବଡୁ ପରିଚାଳନା କରିଥିଲେ।







